'ମଉସା' ଡାକି ଲୁଟିନେଲେ ୫୫ହଜାର ଟଙ୍କା; ରାଜଧାନୀରେ ସକ୍ରିୟ ଭଦ୍ରମୁଖା ଲୁଟେରା ଗ୍ୟାଙ୍ଗ

ଗୁଣନିଧି ବେହେରାଙ୍କଠାରୁ ଗ୍ୟାଙ୍ଗ ଚତୁରତାର ସହ ତାଙ୍କ ଏ.ଟି.ଏମ୍ କାର୍ଡ଼ ନେଇ ୫୫ହଜାର ଟଙ୍କା ଚଳୁ କରିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଗ୍ୟାଙ୍ଗ ବିରୁଦ୍ଧରେ ଦୁଇଟି ଅଭିଯୋଗ ଆସିବା ପରେ ଚିନ୍ତାରେ କମିସନରେଟ ପୋଲିସ ।

ରାଜଧାନୀ ଭଦ୍ରମୁଖା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି (ପ୍ରତୀକାତ୍ମକ ଛବି)

ରାଜଧାନୀ ଭଦ୍ରମୁଖା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କିଛି ଦିନର ନୀରବତା ପରେ ପୁଣି ଥରେ ରାଜଧାନୀରେ  ଭଦ୍ରମୁଖା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି । ବିଭିନ୍ନ ATM ଆଖପାଖ ଲରେ ରହି ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଆକାଉଣ୍ଟକୁ ଖାଲି କରିଦେଉଛନ୍ତି । ଏଭଳି ଗ୍ୟାଙ୍ଗ ବିରୁଦ୍ଧରେ ଦୁଇଟି ଅଭିଯୋଗ ଆସିବା ପରେ   ଚିନ୍ତାରେ କମିସନରେଟ ପୋଲିସ ।

ଏୟାରଫିଲଡ଼ ଥାନାରେ ଏହି ଗ୍ୟାଙ୍ଗ ନାମରେ ଗତ ଶନିବାର ଦିନ ଅଭିଯୋଗ ହୋଇଛି । କାର୍ଗିଲ ବସ୍ତିରେ ରହୁଥିବା ଗୁଣନିଧି ବେହେରାଙ୍କ ଠାରୁ ଏହି ଗ୍ୟାଙ୍ଗ ଚତୁରତାର ସହ ତାଙ୍କ ଏ.ଟି.ଏମ୍ କାର୍ଡ଼ ନେଇ ୫୫ହଜାର ଟଙ୍କା ଚଳୁ କରିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସେହିପରି କ୍ୟାପିଟାଲ ଥାନାରେ ମଧ୍ୟ ଏହି ଗ୍ୟାଙ୍ଗ ନାମରେ ଏକ ଅଭିଯୋଗ ରହିଛି । ସମାନ ଉପାୟ ଆପଣେଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୪୫ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ପରେ ପୋଲିସ ଗୁରୁତର ସହ ତଦନ୍ତ ଆରମ୍ଭ କରିଛି  ।

"ଗତ ଶନିବାର ଦିନ ମୁଁ ପୋଖରୀପୁଟ ଛକରେ ଥିବା SBI ଏଟିଏମକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲି । ତିନିଜଣ ଯୁବକ ସେହି ATM ଭିତରେ ଥିଲେ । ମୁଁ ଟଙ୍କା ଡ଼ିପୋଜିଟ କରିବା ଜାଣି ନଥିବାରୁ ସେମାନଙ୍କୁ ସାହାଯ୍ୟ ମଗିଥିଲି । ଏହି ବାହାନାରେ ସେମାନେ ମୋ ଏଟିଏମ କାର୍ଡ଼କୁ ବଦଳାଇବା ସହ ଆକାଉଣ୍ଟରୁ ୫୫ହଜାର ଟଙ୍କା ଟ୍ରାଞ୍ଜକସନ କରିନେଇ ଥିଲେ । ମୋବାଇଲକୁ ମେସେଜ ଆସିବା ପରେ ମୁଁ ଥାନାର ଦ୍ୱାରସ୍ଥ ହୋଇଥିଲି," କହିଛନ୍ତି ଲୁଟର ଶିକାର ହୋଇଥିବା ଗୁଣନିଧି ବେହେରା।

ସେହିପରି ବାଳକାଟି ଛକ ନିକଟରେ ଥିବା ଏକ ଏଟିଏମ କୁ ଜଣେ ଦୁର୍ବୁତ୍ତ ଭାଙ୍ଗୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସୋମବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଟଙ୍କା କାଢ଼ିବା ବାହାନାରେ ଏଟିଏମ ଭିତରକୁ ଯାଇଥିଲା । ପରେ ଏଟିଏମର ଡ଼ିସପ୍ଲେକୁ ଭାଙ୍ଗୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆଇଛି । ଖବର ପାଇ ଘଟଣା ସ୍ଥଳରେ ବାଲିପାଟଣା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମରୁ କୌଣସି ଟଙ୍କା ଚୋରି ହୋଇନଥିବା ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ତେବେ କେଉଁ କାରଣା ପାଇଁ ଯୁବକ ଜଣଙ୍କ ଏଟିଏମ ଭାଙ୍ଗିବାକୁ ଉଦ୍ୟମ କରୁଥିଲା ତଦନ୍ତ କରୁଛି ପୋଲିସ।

"ରାଜଧାନୀରେ ଏଭଳି ଏକ ଗ୍ୟାଙ୍ଗ ଏବେ ସକ୍ରିୟ ଅଛନ୍ତି । ଏୟାରଫିଲଡ ଓ କ୍ୟାପିଟାଲ ଥାନାରେ ଏହି ଗ୍ୟାଙ୍ଗ ବିରୁଦ୍ଧରେ ଦୁଇଟି ମାମଲା ରୁଜୁ ହୋଇଛି ।  ଦୁଇଟି ଯାକ ଘଟଣାରେ ଲୁଟେରାଙ୍କ ତାରିକା ସମାନ ଥିଲା। ଦୁଇଟି ଯାକ ATM କୁ ଜବତ କରାଯାଇଛି । ସେମାନଙ୍କୁ ଧରିବା ପାଇଁ ଡ୍ରାଇଭ ଆରମ୍ଭ ହୋଇଛି," କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ।
Published by:Soumya Das
First published: