୭୪ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର; ୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି ୭୪ ତମ ପ୍ରତିଷ୍ଠା ଦିବସ । ୧୯୪୮ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍ ଆଜିର ଦିନରେ ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା । ଚଳିତ ବର୍ଷ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି ।

୭୪ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର (ପ୍ରତୀକାତ୍ମକ ଛବି)

୭୪ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୭୪ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର । ଦୁଇ ବର୍ଷ ପରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହୋଇଛି ଉତ୍ସବ । ୭୩ଟି ଟ୍ରୁପକୁ ନେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସମୟର ତାଳେ ତାଳେ ଭୁବନେଶ୍ବରର ବିକାଶ ହେବା ସହିତ ଦେଶର ଏକ ନମ୍ବର ସ୍ମାର୍ଟସିଟିର ମାନ୍ୟତା ବି ପାଇଛି।

ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି ୭୪ ତମ ପ୍ରତିଷ୍ଠା ଦିବସ । ୧୯୪୮ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍ ଆଜିର ଦିନରେ ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ କରକମଳରେ ବିଧାନସୌଧ ସମ୍ମୁଖରେ ଶିଳାନ୍ୟାସ ହୋଇଥିଲା । ତେବେ ଦୀର୍ଘ ବର୍ଷ ଧରି ରାଜଧାନୀ ପ୍ରତିଷ୍ଠା ଉତ୍ସବ ପାଳନ ହେଉନଥିବା ବେଳେ ଏକ କମିଟି ଜରିଆରେ ଏହି ଉତ୍ସର ଆୟୋଜନ କରାଯାଉଛି । କ୍ରମଶଃ ରାଜଧାନୀର କଳେବର ବୃଦ୍ଧି ପାଇଛି । ଜନସଂଖ୍ୟା ସହିତ ଲୋକଙ୍କ ଚାଲିଚଳନ ସବୁକିଛି ବଦଳିଛି । ଦୁଇ ବର୍ଷ କୋଭିଡ଼ ଯୋଗୁଁ ଉତ୍ସବ ପାଳନ ହୋଇପାରିନଥିବା ବେଳେ ଚଳିତ ବର୍ଷ ଆଡମ୍ବର ସହକାରେ ଉତ୍ସବକୁ ପାଳନ କରାଯାଇଛି । ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ବରକୁ ସ୍ମାର୍ଟସିଟିର ମାନ୍ୟତା ମଧ୍ୟ ମିଳିସାରିଛି । ବିକାଶର ଧାରାରେ ସାମିଲ ହୋଇ ଦେଶର ଏକ ବିକଶିତ ତଥା ଶ୍ରେଷ୍ଠ ସହର ଭାବେ ପରିଗଣିତ ହୋଇପାରିଛି ଭୁବନେଶ୍ବର ।



ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଥିଲା ଛାତ୍ରଛାତ୍ରୀଙ୍କ ଦ୍ବାରା ମିଳିତ ବେସାମରିକ ପ୍ୟାରେଡ଼ । ଯେଉଁଥିରେ ସାମିଲ ହୋଇଥିଲେ ୭୩ ଟି ଶିକ୍ଷାନୁଷ୍ଠାନର ଟ୍ରୁପ । ଏହା ସହିତ ପ୍ୟାରେଡରେ ଡେର ଡେଭିଲ ଗ୍ରୁପ୍ ଓ ସ୍କେଟିଂ ଗ୍ରୁପ୍ ସାମିଲ ହୋଇ ଚିତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ୧୫ ହଜାର ଜନସଂଖ୍ୟା ଓ କିଛି ସରକାରୀ କୋଠାକୁ ନେଇ ଆରମ୍ଭ ହୋଇଥିବା ରାଜଧାନୀରେ ଅନେକ ବିକାଶ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷ ଶାସନ କାଳରେ ଦୂରଦୃଷ୍ଟି ସମ୍ପନ୍ନ ଯୋଜନାଗୁଡ଼ିକ ଯୋଗୁଁ ଭୁବନେଶ୍ବରର ସାମଗ୍ରିକ ବିକାଶ ହୋଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ଉପଢୌକନ ଓ ପୁଷ୍ପଗୁଚ୍ଛ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । କ୍ରୀଡ଼ା, ସ୍ବାସ୍ଥ୍ୟ, ବିଜ୍ଞାନ, ଶିକ୍ଷା, ପରିମଳ, କୋଭିଡ ପରିଚାଳନା, ସେବା ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ତ୍ବ ଦିଆଯାଇଥିଲା । ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ ହେବା ଦ୍ବାରା ସେମାନେ ଅଧିକ ଉତ୍ସାହିତ ହୋଇଥିବା ବେଳେ ଅନ୍ୟମାନେ ଏହା ଦ୍ବାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି।

ଚଳିତ ବର୍ଷ ୩ ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଉତ୍ସବ। ପ୍ରଥମ ଦିନ ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।
Published by:Soumya Das
First published: