କୌଣସି ମୂହୁର୍ତ୍ତରେ ହୋଇପାରେ ବ୍ରଜରାଜନଗର ଉପନିର୍ବାଚନ; ପ୍ରସ୍ତୁତ ହେଲେଣି ତିନି ପ୍ରମୁଖ ଦଳ

ଯେ କୌଣସି ମୂହୁର୍ତ୍ତରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇସାରିଛନ୍ତି।

କୌଣସି ମୂହୁର୍ତ୍ତରେ ହୋଇପାରେ ବ୍ରଜରାଜନଗର ଉପନିର୍ବାଚନ (ପ୍ରତୀକାତ୍ମକ ଛବି)

କୌଣସି ମୂହୁର୍ତ୍ତରେ ହୋଇପାରେ ବ୍ରଜରାଜନଗର ଉପନିର୍ବାଚନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଯେ କୌଣସି ମୂହୁର୍ତ୍ତରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇସାରିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।

ଗତ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ପରଲୋକ ହୋଇଥିଲା। ନିୟମ ଅନୁସାରେ ୬ ମାସ ଭିତରେ ହେବ ଉପନିର୍ବାଚନ । ନିର୍ବାଚନ ରଣନୀତିରେ ମାହିର ଥିବା ବିଜୁ ଜନତା ଦଳ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏକ୍ସରସାଇଜରେ ଆଗରେ ରହିଛି। ଏମିତି କି ଦଳ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତି ପଞ୍ଚାୟତ ଦାୟିତ୍ୱରେ ନେତାଙ୍କୁ ନିୟୋଜିତ କରିଥିବା ଜଣାପଡ଼ିଛି। ବିଜେଡ଼ି ପ୍ରାର୍ଥୀ ପାଇଁ ଅନେକ ରେସରେ ଥିବା ବେଳେ ଦୁଇ ଜଣଙ୍କ ନାଁକୁ ନେଇ ବେଶ ଚର୍ଚ୍ଚା ହେଉଛି। ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରମୁଖ ଦାବିଦାର ଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏଥିପାଇଁ ବାପା ନବଦାସ ଜୋରଦାର ଲବି କରୁଥିବା ଜଣାପଡ଼ିଛି।ତେବେ ଉପନିର୍ବାଚନ ପୂର୍ବରୁ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି।

ବିଜେଡିର ନିର୍ବାଚନ ଷ୍ଟ୍ରାଟେଜିକୁ ତର୍ଜମା କଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଟିକେଟ୍‌ ପାଇବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ବ୍ରଜରାଜନଗରରେ ରାଜନୀତିକ ଘଟଣା ଗୁଡ଼ିକୁ ଅନୁଧ୍ୟାନ କଲେ ଲାଗୁଛି ଏଠାରୁ ଟିକେଟ୍ ପାଇବାକୁ ଆଶା ବାନ୍ଧିଛନ୍ତି ଦୀପାଳି ଦାସ। ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନେକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଦୀପାଳିଙ୍କୁ ଦେଖିବାକୁ ମିଳୁଛି ।

ଅନ୍ୟପକ୍ଷରେ ପୌର ନିର୍ବାଚନ ସମୟରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ଉପ-ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କହି ସାରିଛନ୍ତି। ଅଳକା ଓ ଦୀପାଳିଙ୍କୁ ନେଇ କେବଳ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉ ନାହିଁ, ବିଜେଡ଼ି କର୍ମୀଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହେଉଛି। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି," କିଏ ପ୍ରାର୍ଥୀ ହେବେ ଦଳର ସଭାପତି ନିଷ୍ପତ୍ତି ନେବେ। କିନ୍ତୁ ବ୍ରଜରାଜନଗର ଲୋକଙ୍କ ଭଲ ପାଇବା ନବୀନ ବାବୁଙ୍କ ସହିତ ରହିଛି। ଦଳ ବିଜୟ ଲାଭ କରିବ"।

ବିଜେପି ମଧ ଆରମ୍ଭ କରିସାରିଛି ରାଜନୈତିକ କାର୍ଯ୍ୟକ୍ରମ। ରାଧାରାଣୀ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିପାରେ। ରାଧାରାଣୀ ୨୦୧୪-୨୦୧୯ ଯାଏଁ ବିଧାୟିକା ଥିଲେ। ତେଣୁ ବିଜେପି ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ।

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି,"ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଜେଡିର ଦୁଇ ଜଣ ପ୍ରତିଦ୍ୱନ୍ଦୀ ଜଣେ ସ୍ବର୍ଗତ ବିଧାୟକଙ୍କ ପତ୍ନୀ ଓ ଆଉ ଜଣେ ମନ୍ତ୍ରୀଙ୍କ ଝିଅ ଭିତରେ ପ୍ରତଦ୍ବନ୍ଦିତା ଆରମ୍ଭ ହୋଇଛି। ଲୋକ ପରିବର୍ତ୍ତନ ଚାହୁଁଛନ୍ତି।ବିଜେପି ବିଜୟୀ ହେବ"।

ଦୁର୍ବଳ ନେତୄତ୍ବ ସତ୍ବେ କଂଗ୍ରେସ ବି ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ। ବିଧାୟକ ମହମ୍ମଦ ମୋକିମ କହିଛନ୍ତି," କଂଗ୍ରେସ ପ୍ରସ୍ତୁତ ଅଛି। ବ୍ରଜରାଜନଗର ପାଇଁ କାମ ଆରମ୍ଭ ହୋଇସାରିଛି। ଦୄଢ଼ ବିଶ୍ୱାସ ବ୍ରଜରାଜନଗର ନିର୍ବାଚନରୁ ଟର୍ଣ୍ଣିଂ ପଏଣ୍ଟ ଷ୍ଟାଟ ହେବ। ବ୍ରଜରାଜନଗର ନିର୍ବାଚନରେ କଂଗ୍ରେସ ବହୁତ ଭଲ କରିବ"।

ବିଜେପୁର, ବାଲେଶ୍ଵର, ତିର୍ତୋଲ,ପିପିଲି ସବୁ ଉପନିର୍ବାଚନ ରେ ବିଜେଡି ବାଜିମାତ କରିଥିବା ବେଳେ ବ୍ରଜରାଜନଗର ଫଳାଫଳକୁ ସମସ୍ତଙ୍କଶ ଅପେକ୍ଷା।
Published by:Soumya Das
First published: