ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସରିଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ଦଳ

ସରିଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ଦଳ

ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବା ସହ ଶେଷ ହୋଇଛି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଆଗକୁ ଏସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ଦଳ ।

ସରିଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ଦଳ
ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 24, 2021, 6:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନାରୀ ସୁରକ୍ଷାଠାରୁ ଆରମ୍ଭ କରି  ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି । ମାହାଙ୍ଗା ଡବଲ ମର୍ଡର ଠାରୁ ମମିତା ମେହେର ହତ୍ୟାକାଣ୍ଡ  ଘଟଣା  ପର୍ଯ୍ୟନ୍ତ, ସବୁଠି ରାଜ୍ୟର ମନ୍ତ୍ରୀମାନଙ୍କ ସମ୍ପୃକ୍ତି ଅଭିଯୋଗ  ଥିଲେ ବି  ମୁଖ୍ୟମନ୍ତ୍ରୀ ନିରବ।  ଗତ ୬ ବର୍ଷ ଭିତରେ ରାଜ୍ୟରେ ୨୭ ହଜାର ଶିଶୁ  ନିଖୋଜ ଘଟଣା ଚିନ୍ତାଜନକ । ପୋଲିସ ଉପରୁ ଜନ ସାଧାରଣ ଆସ୍ଥା ହରାଇସାରିଛନ୍ତି । ଚାଷୀଙ୍କ ସମସ୍ୟା, ବେକାରୀ ସମସ୍ୟା ମଧ୍ୟ୍ୟ ବଢ଼ିବାରେ ଲାଗିଛି। ଏ ସମସ୍ତ ପ୍ରସଙ୍ଗରେ  ଆଗକୁ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି। ଏସବୁ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବା ସହ ଶେଷ ହୋଇଛି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

ବିରୋଧୀ ଦଳର ମୁଖ୍ୟ ସଚେତକ  ମୋହନ ମାଝୀଙ୍କ ସୂଚନା ଅନୁସାରେ, ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପଞ୍ଚାୟତ ରାଜ ଯୋଜନାରେ ଗ୍ରାମାଞ୍ଚଳରେ ଅର୍ଥ ହରିଲୁଟ ହେଉଛି  । ପ୍ରତି ପଞ୍ଚାୟତକୁ ୮୦ଲକ୍ଷରୁ ଅଧିକ ଟଙ୍କା ଦିଆ ଯାଇଛି । ହେଲେ NRGS ଓ ପ୍ରଧାନମନ୍ତ୍ରୀ ଆବାସରେ ପ୍ରବଳ ଦୁର୍ନୀତି ହୋଇଛି । ତେଣୁ ଏହି ସବୁ ଦୁର୍ନୀତି ₹କୁ ପର୍ଦ୍ଦାଫାସ କରିବା ସହ ଲୋକଙ୍କ ପାଖକୁ ଯିବ ବିଜେପି ।

ସେହିପରି  ବିଜେପି ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି,"ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ମାଗିବାଠାରୁ ଅଧିକ ଅର୍ଥ ଦେଉଛନ୍ତି । ତେଣୁ କେନ୍ଦ୍ରୀୟ ଅବହେଳାର ନାରା ବନ୍ଦ ହୋଇ ଯାଇଛି । ରାଜ୍ୟର ବିକାଶ କେନ୍ଦ୍ର ସରକାରଙ୍କ ଟଙ୍କାରେ ଚାଲିଛି । ହେଲେ ପିସି ସ୍ଟପ ନାମରେ ବୁଲେଇ ବଙ୍କେଇ ପିସି ନିଆ ଯାଉଛି । ମୁଷ୍ଟିମେୟ ଅଫିସରଙ୍କ ନିର୍ଦ୍ଦେଶରେ ଅପରାଧୀଙ୍କୁ ଖସାଉଛି ଓଡିଶା ପୋଲିସ । ଏହାକୁ କାର୍ଯ୍ୟକାରିଣୀ ଗମ୍ଭୀରତର ସହ ନେଇ ଆଇନକୁ ତା ବାଟରେ ଚାଲିବାକୁ ଦିଆଯାଉ ବୋଲି ପ୍ରସ୍ତାବ ପାରିତ ହୋଇଛି । ଏହା ସହିତ ଚିଟ ଫଣ୍ଡ ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଟଙ୍କା ଫେରାଇବା ପାଇଁ କଣ ପଦକ୍ଷେପ ସରକାର ନେଇଛନ୍ତି ତାହା ଜଣାନ୍ତୁ"।

ବୈଠକରେ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ପ୍ରସଙ୍ଗ ସହିତ,  ରାଜ୍ୟରେ ପଛୁଆବର୍ଗଙ୍କୁ ଅବହେଳା ,  ଆଇନ ମନ୍ତ୍ରୀ କ୍ରାଇମ କରିବା ଉପରେ ଆଲୋଚନା ହୋଇଥିଲା। ତେଣୁ ମୁଖ୍ୟ  ବିରୋଧୀ ଭାବେ ବିଜେପି ତାର ଦାୟିତ୍ବ ନିର୍ବାହ କରିବା ନେଇ ମତ ପ୍ରକାଶ ପାଇଥିଲା।  ସେହିଭଳି ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁ ନାହାନ୍ତି । କେବେ ଆସିବେ ସ୍ପଷ୍ଟ କରନ୍ତୁ । ବ୍ୟୟ ବହୁଳ ଖର୍ଚ୍ଚ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବାଣ୍ଟିବା ପାଇଁ ଯାଉଛନ୍ତି ହେଲେ ଭିଡିଓରେ କହୁଛନ୍ତି । କିଏ ମୁଖ୍ୟମନ୍ତ୍ରୀଙ୍କ ପାଟି ବନ୍ଦ କରିଛି । ତାକୁ ନେଇ ଚିନ୍ତା ପ୍ରକଟ ସିକରାଯାଇଛି। ସରକାରଙ୍କ ପିସି ଷ୍ଟପ ନେଇ କାର୍ଯ୍ୟକାରିଣୀ ଚିନ୍ତା ପ୍ରକଟ କରିଛି । ଏନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ବୋଲି ମତ ରଖିଥିଲେ ବରିଷ୍ଠ ବିଜେପି ନେତା ତଥା ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ବୈଠକରେ ଗତ ୩ ମାସରେ ଦଳୀୟ କାର୍ଯ୍ୟଧାରା ଓ ଆଗାମୀ ୩ ମାସ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦଳର ବହୁ ତୁଙ୍ଗ ନେତା ଓ ସମର୍ଥକ।  ପୂର୍ବାହ୍ନ ୧୦ ଟା ୩୦ରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ସହ-ପ୍ରଭାରୀ ବିଜୟ ପାଲ ସିଂ ତୋମାର , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ତଥା ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ। ଏହା ସହିତ ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ତଥା ପ୍ରଭାରୀ ଉପସ୍ଥିତ ଥିଲେ। ମଙ୍ଗଳବାର ପଦାଧିକାରୀ ବୈଠକର ନିର୍ଯ୍ୟାସ ଓ ନିଷ୍ପତ୍ତି ଉପରେ ଆଗତ ହୋଇଥିବା ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଥିଲା।
Published by: Soumya Das
First published: November 24, 2021, 6:35 PM IST