ତେଲ ଦର ବୃଦ୍ଧି ନେଇ ବିଜେଡ଼ିର ଅଭିନବ ପ୍ରତିବାଦ; ଚୁଲି ଜଳେଇଲା, ଗ୍ୟାସ ମୁଣ୍ଡାଇଲା

ତୈଳଦର, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ହାଇଛି ଶାସକ ଦଳ। ରାଜଭବନ ସମ୍ମୁଖରେ ପ୍ରତିବାଦ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ଦଳ।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର ଦେଇଛି ବିଜେଡି଼ (ପ୍ରତୀକାତ୍ମକ ଛବି)

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର ଦେଇଛି ବିଜେଡି଼ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ତୈଳଦର, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ହାଇଛି ଶାସକ ଦଳ। ରାଜଭବନ ସମ୍ମୁଖରେ ପ୍ରତିବାଦ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ଦଳ।

ତେଲ ଓ ଇନ୍ଧନ ଦର କମ କେନ୍ଦ୍ର ସରକାର ନ ଚେତିଲେ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡ଼ି।ସାଇକେଲ ରାଲି, ଶଗଡ଼ ଯାତ୍ରା, ଗ୍ୟାସ ମୁଣ୍ଡାଇ ପ୍ରତିବାଦ ସହ ରାଜରାସ୍ତାରେ ଚୁଲି ଜାଳି ତୈଳଦର ,ରନ୍ଧନ ଗ୍ୟାସ  ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୃଦ୍ଧି ପ୍ରତିବାଦରେ ଏଭଳି ଢଙ୍ଗରେ ପ୍ରତିବାଦ କରିଛି ବିଜେଡି। ଭୁବନେଶ୍ୱର କେଶରୀ ହଲ ନିକଟରୁ ସାଇକେଲ ଶୋଭାଯାତ୍ରା କରି ପ୍ରତିବାଦ ସ୍ଥଳରେ ବିଜୁ ଛାତ୍ର ଜନତା ଦଳ। କିଛି କର୍ମୀ ରିକ୍ସାରେ ଆସିଥିଲେ ତ କିଛି ଶଗଡ଼ ଓ ଘୋଡା ଗାଡ଼ିରେ ଆସି ପହଞ୍ଚିଥିଲେ ରାଜଭବନ ସମ୍ମୁଖରେ। ସମସ୍ତେ ଏକାଠି ହେବା ପରେ ଆରମ୍ଭ ହୋଇଥିଲା ପ୍ରତିବାଦ ସଭା। ଗୋଟପଟେ କେନ୍ଦ୍ର ବିରୋଧୀ ନାରା ଦେଇ ତୁଙ୍ଗ ନେତାମାନେ ବର୍ଷିଥିବା ବେଳେ ମଞ୍ଚ ନିକଟରେ ଚୁଲି ଜାଳି ପ୍ରତୀକାତ୍ମକ ପ୍ରତିବାଦ କରିଥିଲା ବିଜେଡି ମହିଳା ଶାଖା। ଦୀର୍ଘ ସମୟ ଧରି ପ୍ରତିବାଦ ପରେ ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡିର ପ୍ରତିନିଧିଦଳ। ବିଜେଡ଼ି ଅଭିଯୋଗ କରିଛି କରୋନା ପ୍ରଭାବରେ ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିଥିବା ବେଳେ ଦର ବୃଦ୍ଧି ଅଧିକ ହନ୍ତସନ୍ତ କରୁଛି। ପ୍ରତିବାଦ ପରେ ବି ଯଦି କେନ୍ଦ୍ର ସରକାର ନ ଚେତନ୍ତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଚେତାବନୀ ଦେଇଛି ଦଳ।

ଗ୍ଯାସ ମୁଣ୍ଡାଇ ପ୍ରତିବାଦ କରିଛି ଶାସକ ଦଳ (ପ୍ରତୀକାତ୍ମକ ଛବି)


ବିଜେଡ଼ି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି,"ଅଚ୍ଛେ ଦିନର ନାରା ଦେଇ କେନ୍ଦ୍ରରେ ବିଜେପି ଶାସନକୁ ଆସିଥିବା ବେଳେ କୁଆଡେ ଗଲା ସେହି ଅଚ୍ଛେ ଦିନ ନାରା। ଖାଇବା ତେଲଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ କରିଛି। ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢୁଛି। କେନ୍ଦ୍ର ସରକାର ଉଜ୍ବଲା ଗ୍ୟାସ କଥା କହୁଥିବା ବେଳେ ଲୋକ ରିଫିଲିଙ୍ଗ କରିପାରୁନାହାନ୍ତି। କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ବିରୁଦ୍ଧରେ ଆଜି କେବଳ ଟ୍ରେଲର ଥିଲା। ସରକାର ନ ଚେତିଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉଠିବ"।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କହିଛି ମମିତା ମେହେର ପ୍ରସଙ୍ଗକୁ ନେଇ ରାଜ୍ୟ ଉଠପଡ଼ ହେଉଥିବାବେଳେ ଏହା ଉପରୁ ନଜର ହଟାଇବାକୁ ବିଜେଡ଼ିର ଏହା ରାଜନୈତିକ ଚାଲ। କେବେଳ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ନୁହେଁ ଚାଷୀର ଧାନ ବିକ୍ରି ହେଇ ପାରୁନି , ପନିପରିବାଦର ବଢ଼ିଛି। ଦର ବୃଦ୍ଧିରେ ସମତୁଲ ଆଣିବାରେ ରାଜ୍ୟ ସରକାର ଫେଲ ହୋଇଛନ୍ତି। ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ରାଜ୍ୟ ସରକାରଙ୍କ ବଡ଼ ଭାଗ ରହିଥିବା କହି ଆକ୍ଷେପ କରିଛି ବିଜେପି।

କଂଗ୍ରେସ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ବି ବିଳମ୍ବରେ ପ୍ରତିବାଦକୁ ନେଇ ବିଜେଡିକୁ ସମାଲୋଚନା କରିଛି।

"ପ୍ରତିବାଦ କେବଳ ଲୋକ ଦେଖାଣିଆ । ମମିତା ମେହେର ପ୍ରସଙ୍ଗକୁ ଚାପିବାକୁ ଏହା ବିଜେଡିର ଚାଲ," କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ବିଜେଡି ଆଜି ରାଜ ଭବନ ସମ୍ମୁଖରେ ପ୍ରତିବାଦ କରିଥିବା ବେଳେ ଆସନ୍ତାକାଲି ୧୪୭ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ ସଭା କରିବ ମହିଳା ମୋର୍ଚ୍ଚା। ୫ ରୁ ୭ ତାରିଖ ସମସ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେବ ବିଜୁ ଯୁବ ଛାତ୍ର ଜନତା ଦଳ।
Published by:Soumya Das
First published: