ନିର୍ବାଚନକୁ ଆଖିରେ ରଖି ବିଜେପି ଆରମ୍ଭ କଲା ପ୍ରସ୍ତୁତି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆହୁରି ଦୁଇ ବର୍ଷ ବାକିଥିବା ବେଳେ ରାଜ୍ୟରେ କିନ୍ତୁ ଅନୁଭୂତ ହେବାରେ ଲାଗିଛି ରାଜନୈତିକ ଉଷ୍ମତା। ବିଭିନ୍ନ ରାଜନୈତିକ ଦଳ ନିଜର ଦଳୀୟ ସଂଗଠନକୁ ତୃଣମୂଳସ୍ତରରୁ ସଜାଡ଼ିବା ପାଇଁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ନିକଟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଘଟଣା ଭିତରେ ବିଜେଡ଼ି ସଂଗଠନକୁ ପ୍ରାଥମିକସ୍ତରରୁ ମଜଭୂତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ଏହିକ୍ରମରେ ବିଜେପି ମଧ୍ୟ ରାଜ୍ୟରେ ତୃଣମୂଳସ୍ତରରୁ ଭୋଟରଙ୍କୁ ଭେଟିବା ଓ ଦଳ ସପକ୍ଷରେ ଭୋଟରଙ୍କୁ ପବର୍ତାଇବା ଉଦ୍ୟମ ଆରମ୍ଭ କରିଥିବା କୁହାଯାଇଛି।
ଗୁରୁବାର ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ବେହେରା ବସ୍ତିରେ ବିଜେପି ପକ୍ଷରୁ ଓବିସି ବର୍ଗଙ୍କ ପାଇଁ ଆୟୋଜନ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ବିଶେଷ କରି ଭୋଟରଙ୍କୁ ବିଜେପି ସପକ୍ଷରେ ପ୍ରବର୍ତାଇବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ରୂପାୟନ ହୋଇପାରିଛି କି ନାହିଁ ତାର ତର୍ଜମା କରିବା ଥିଲା ଏହାର ମୂଳ ଲକ୍ଷ୍ୟ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟବର୍ଷ ବା ଆଠବର୍ଷର ଶାସନ ଭିତରେ ସାଧାରଣ ଲୋକେ କେତେ ଉପକୃତ ହୋଇଛନ୍ତି, କେଉଁ କେଉଁ ଯୋଜନାର ବାସ୍ତବ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚିଛି, ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟ ଯୋଜନା, ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଛି କି ନାହିଁ ଏସବୁର ଚର୍ଚ୍ଚା ଏହି କାର୍ଯ୍ୟକ୍ରମରେ କରାଯାଇଥିଲା।
ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ କହିବା ଅନୁସାରେ,"ମୋଦି ସରକାରଙ୍କ ଆଠବର୍ଷ ସଫଳ ଶାସନର ପୂର୍ତି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କ୍ରମରେ ସମାଜରେ ସବୁଠାରୁ ତଳସ୍ତରରେ ଥିବା ଲୋକଙ୍କ ପାଖରେ ମୋଦିଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଛି କି ନାହିଁ ତାର ତର୍ଜମା ସହିତ କିଭଳି ପ୍ରତିଟି ଲୋକ ଉପକୃତ ହୋଇପାରିବେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି," କେନ୍ଦ୍ରରେ ମୋଦି ସରକାର ୮ବର୍ଷର ପୂତି ଅବସରରେ ସୁଶାସନ ଦିବସ ପାଳନ କରୁଛି । ଏହାକୁ ଏକ ସଚେତନତା କାର୍ଯ୍ୟକ୍ରମ ବୋଲି କୁହାଯାଇପାରେ। କାରଣ ଅନେକ କ୍ଷେତ୍ରରେ ମୋଦି ସରକାର ସମାଜର ପ୍ରତିଟି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିବା ବେଳେ ଏହାର ବାସ୍ତବ ଉପଲବ୍ଧି କିନ୍ତୁ ପାଉନାହାନ୍ତି ଲୋକେ। ଓବିସି ବର୍ଗର ଲୋକ ମଧ୍ୟ ସେମାନଙ୍କ ପାଇଁ ଥିବା ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। ଶିକ୍ଷା କ୍ଷେତ୍ରରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ରାଜ୍ୟରେ ସବୁଠି ଅବ୍ୟବସ୍ଥା । ଏହାକୁ ଅନୁଧ୍ୟାନ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଥିବାରୁ ୨୦୨୪ରେ ହେବାକୁ ସାଧାରଣ ନିର୍ବାଚନ ପାଇଁ ଏହା ପ୍ରାକ୍ ପ୍ରସ୍ତୁତି ବୋଳି ସେ ପରୋକ୍ଷରେ ସ୍ୱୀକାର କରିଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।