ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: ସୀମାରେ ଆନ୍ଧ୍ର ମନ୍ତ୍ରୀଙ୍କ ଦୁର୍ବ୍ଯବହାରକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: ସୀମାରେ ଆନ୍ଧ୍ର ମନ୍ତ୍ରୀଙ୍କ ଦୁର୍ବ୍ଯବହାରକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଦିନକୁ ଦିନ ତେଜୁଛି ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। ଗଜପତି ସୀମାନ୍ତରେ ଜଣେ ଆନ୍ଧ୍ର ମନ୍ତ୍ରୀ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: ସୀମାରେ ଆନ୍ଧ୍ର ମନ୍ତ୍ରୀଙ୍କ ଦୁର୍ବ୍ଯବହାରକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ
ସୀମା ବିବାଦ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 12, 2021, 5:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin


News18 Odia digital

ଭୁବନେଶ୍ୱର: ଦିନକୁ ଦିନ ତେଜୁଛି ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। ଦୁଇ ଦିନ ପୂର୍ବରୁ ଆନ୍ଧ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଏସ.ଆପଲରାଜୁ ସୀମାନ୍ତ ଗଜପତି ଜିଲ୍ଲାରେ ପଶି ଅଙ୍ଗନବାଡ଼ିକୁ ଭାଙ୍ଗିବାକୁ ଧମକ ଦେବା ଓ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ଅସନ୍ତୋଷ ବଢୁଛି। ଓଡିଶା ଭିତରେ ପଶି ଆନ୍ଧ୍ର ମନ୍ତ୍ରୀଙ୍କ ଏପରି ଆଚରଣକୁ ବରଦାସ୍ତ କରି ପାରିନାହାନ୍ତି ବିରୋଧି । ବିଜେପି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସରକାରଙ୍କ ଉପରେ ବର୍ଷିଛି।

ବିଜେପି ସାମ୍ବାଦିକ ସମ୍ମିଳନୀ କରି କହିଛି, ସୀମା ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି। କେବଳ ଆନ୍ଧ୍ର ନୁହେଁ ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ସୀମାନ୍ତ ରାଜ୍ୟ ଓଡ଼ିଶାର ଅଞ୍ଚଳକୁ ନିଜ ଅଧିନକୁ ନେବା ପାଇଁ ପ୍ରୟାସ କରୁଛନ୍ତି।

ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି," ବର୍ତ୍ତମାନ ଓଡ଼ିଶାର ସୀମା ଅସୁରକ୍ଷିତ ହୋଇପଡ଼ିଛି। ଓଡ଼ିଶା ସୀମାକୁ ସୁରକ୍ଷିତ ରଖିବାକୁ ରାଜ୍ଯ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ବିଜେଡ଼ି ସରକାର ବିଗତ ୨୦ ବର୍ଷ ଭିତରେ ସୀମାକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। କୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ନ ଦେବାରୁ ପରାଜୟ ଭୋଗୁଛନ୍ତି। ନିକଟରେ ବାଲେଶ୍ୱର ଉଦୟପୁର,ମାଣିକ ପାଟଣାରେ ସମସ୍ୟା ଉପୁଜିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ବିଭିନ୍ନ ସ୍ଥାନରେ ନିର୍ବାଚନ ପାଇଁ ପଡ଼ୋଶୀ ସରକାର ଉଦ୍ୟମ କରୁଛନ୍ତି” ।

ବିଜେପି ଟିମ ଗସ୍ତ ସମୟରେ ସ୍ଥାନୀୟ ସରକାର ନିର୍ବାଚନ ପ୍ରସ୍ତୁତି ନେଇ ଯୋଜନା କରୁଥିବା ବେଳେ ଟିମର ବିଭିନ୍ନ ପ୍ରଶ୍ନକୁ ସାମ୍ନା ନ କରିପାରି ଫେରି ଯାଇଥିଲେ। ୯ ତାରିଖରେ ଗଜପତି ମାଣିକ ପାଟଣା ଗଙ୍ଗବାଡ଼ ପଞ୍ଚାୟତରେ ଆନ୍ଧ୍ରର ପଶୁ ଓ ମତ୍ସ୍ୟସମ୍ପଦ ମନ୍ତ୍ରୀ ପହଞ୍ଚି ବିଭିନ୍ନ ଆଳ ଦେଖାଇ ସେଠାକାର ପିଲାଙ୍କୁ ମତେଇଥିଲେ। ଆନ୍ଧ୍ର ମନ୍ତ୍ରୀଙ୍କ ସେଠାକୁ ଗସ୍ତ ବାବଦରେ ଓଡ଼ିଶା ସରକାରଙ୍କ ପାଖରେ କୌଣସି ଖବର ନଥିଲା। ମନ୍ତ୍ରୀ ପହଁଚିବା ପରେ ବିଳମ୍ବରେ ଖବର ପାଇ ଓଡ଼ିଶା ଅଧିକାରୀ ପହଞ୍ଚିଥିଲେ। ମନ୍ତ୍ରୀ ଓଡ଼ିଶା ପୋଲିସକୁ ଧମକ ଦେଲେ,ଗିରଫ କରିବାକୁ ଧମକ ଦେଲେ। ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ବି ଏତଲାଟେ ଦେଲେନି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛି ବିଜେପି ।

ସୀମା ବିବାଦକୁ ନେଇ ୧୯.୧.୨୦୨୧ରେ ଗୃହ କମିଟି ବୈଠକ ବସିଥିଲା। କୋଟିଆ ସମେତ ଅନ୍ୟ ସୀମା ବାବଦରେ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ୭ ମାସ ବିତି ଯାଇଥିଲେ ବି ହାଉସ କମିଟି ଗସ୍ତ କଲାନି। ବରିଷ୍ଠ ଅଧିକାରୀ ବି ଯାଇ ନାହାଁନ୍ତି। ଅନ୍ୟ ସ୍ଥାନରେ ବି ବିବାଦ ଥିଲେ ବି ସରକାରଙ୍କ ପାଖରେ ଖବର ନାହିଁ। ସବୁ ସୀମାନ୍ତ ଗାଁ ଗୁଡିକରେ ସର୍ଭେ କରିବାକୁ ବିଜେପି ଦାବି କରିଛି।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି,"ସରକାର ଏ ମାଟିକୁ ରଖିବାକୁ ଉଦ୍ୟମ କରନ୍ତୁ। ଗଜପତିରେ ଆନ୍ଧ୍ର ମନ୍ତ୍ରୀ ଜବରଦସ୍ତ ଦଖଲ କରିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ବି ସୀମା ବିବାଦ ଲାଗି ରହିଛି। ସର୍ବଦଳୀୟ ଟିମ କରି ସେଠାକୁ ପରିଦର୍ଶନ ପାଇଁ ପଠାନ୍ତୁ। ସରକାରୀ ଅଧିକାରୀ ଗସ୍ତ କରନ୍ତୁ। ସ୍ଥାନୀୟ ଲୋକଙ୍କୁ ଯେପରି ମୌଳିକ ସୁବିଧା ଯୋଗାଇ ଦିଆଯିବ ସେନେଇ ସରକାର ପ୍ରୟାସ କରନ୍ତୁ" ।

କୋରାପୁଟ, ବାଲେଶ୍ୱର, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, ନୂଆପଡ଼ା ଓ କେଉଁଝର ଭଳି ଜିଲ୍ଲାରେ ସୀମା ବିବାଦ ରହିଥିବା ପୂର୍ବରୁ ବିଧାନସଭା ରେ ମାନିଛନ୍ତି ରାଜସ୍ୱମନ୍ତ୍ରୀ। କୋଟିଆକୁ ନେଇ ବିବାଦ ଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ଯୋଗାଇ ଦିଆଯାଇଥିବା କୁହାଯାଇଛି।

“ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ବେଦନଶୀଳ। ଘଟଣାକୁ ଗମ୍ଭୀରତାର ସହ ନେଇ ଯାହା ଆବଶ୍ୟକ ପଦକ୍ଷେପ ସରକାର ନେଇଛନ୍ତି। ରାଜ୍ୟକୁ ସୁରକ୍ଷା ଦେବାକୁ ନିଷ୍ଠାର ସହ ଅଙ୍ଗୀକାରବଧ ଭାବେ ସରକାର କାର୍ଯ୍ୟ କରୁଛନ୍ତି। ବିରୋଧୀ ରାଜନୈତିକ ଭୂମିକା ତୁଲାଇବେ”, କହିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ।
Published by: Soumya Das
First published: September 12, 2021, 5:43 PM IST