ପୌର ନିର୍ବାଚନରେ ବିଜେଡ଼ିର ବାଜିମାତ; ୭୦% ଅଧ୍ୟକ୍ଷ ପଦବୀ ନେଲା BJD

ପୌର ନିର୍ବାଚନରେ ବି ବାଜିମାତ କଲା ବିଜେଡ଼ି। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଖାତାକୁ ଯାଇଛି ।

ପୌର ନିର୍ବାଚନରେ ବି ବାଜିମାତ କଲା ବିଜେଡ଼ି (ପ୍ରତୀକାତ୍ମକ ଛବି)

ପୌର ନିର୍ବାଚନରେ ବି ବାଜିମାତ କଲା ବିଜେଡ଼ି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୌର ନିର୍ବାଚନରେ ବି ବାଜିମାତ କଲା ବିଜେଡ଼ି। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ। ଦଳ ୭୩ ଟି ପୌରାଧ୍ୟକ୍ଷ ଆସନ ଜିତିଥିବା ବେଳେ, ୧୬ଟି ବିଜେପି, ୭ଟି କଂଗ୍ରେସ ଓ ୯ଟି ସ୍ୱାଧୀନ ପ୍ରାର୍ଥୀଙ୍କ ପାଖକୁ ଯାଇଛି ଅର୍ଥାତ ମୋଟ୍ ଅଧ୍ୟକ୍ଷ ପଦବୀରୁ ବିଜେଡ଼ି ୬୯.୫୨ ପ୍ରତିଶତ, ବିଜେପି ୧୫.୨୩ ପ୍ରତିଶତ, କଂଗ୍ରେସ ୬.୬୬ ପ୍ରତିଶତ ହାସଲ କରିଛି। ସ୍ୱାଧୀନ ପ୍ରାର୍ଥୀ ପାଇଛନ୍ତି ୮.୫୭ ପ୍ରତିଶତ ସିଟ୍ ନିଜ ନାମରେ କରିଛନ୍ତି।

କିନ୍ତୁ ଅନେକ ଜାଗାରେ ବିଜେଡ଼ିକୁ ନିରାଶ ହେବାକୁ ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ଛତ୍ରପୁର, କୋଦଳା ଓ ରମ୍ଭା ଏନ୍ଏସିରେ ପଦ୍ମ ଫୁଟିଛି। ଛତ୍ରପୁରରେ ଶର୍ମିଷ୍ଠା ପ୍ରଧାନ, କୋଦଳାରେ ସୂର୍ଯ୍ୟ ନାରାୟଣ ନାୟକ ଓ ରମ୍ଭାରେ ୨୨ ବର୍ଷୀୟା ମାନସୀ ସ୍ୱାଇଁ ପୌରାଧ୍ୟକ୍ଷ ପଦ ଜିତିଛନ୍ତି। ଦିଗପହଣ୍ଡି ଏନ୍ଏସିରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ବିଜୟୀ ହୋଇଛନ୍ତି। ଗଞ୍ଜାମ ଓ ପୁରୁଷୋତ୍ତମପୁର ଏନ୍ଏସିରେ ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀ ଓ ୨୩ ବର୍ଷୀୟା ପ୍ରିୟଙ୍କା ଗୌଡ଼ ଜିତିଛନ୍ତି। ତେଣେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏରିଆ କଳାହାଣ୍ଡିର ଜୁନାଗଡ଼ ଓ ଧର୍ମଗଡ଼ ଏନ୍ଏସିରେ ବି ବିଜୟର ସ୍ୱାଦ ଚାଖିଛନ୍ତି ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ଓ ଅଶୋକ ମହାନ୍ତି। ନୀଳଗିରି ଓ ପାରଳାଖେମୁଣ୍ଡି ଭଳି ବିଭିନ୍ନ ଏନ୍ଏସି ଓ ମ୍ୟୁନିସିପାଲିଟିରେ ବହୁ ସ୍ୱଳ୍ପ ବୟସ୍କ ପ୍ରାର୍ଥୀଙ୍କ ହାତରେ ଭୋଟର୍ କ୍ଷମତା ଡୋରି ସମର୍ପି ଥିବାବେଳେ, ନବରଙ୍ଗପୁର ଉମରକୋଟରେ ୩ ପ୍ରମୁଖ ପ୍ରାର୍ଥିନୀଙ୍କ ବୟସ ୨୩ ଓ ୨୪ ବର୍ଷ ଥିଲା। ସେମାନଙ୍କ ମଧ୍ୟରୁ ବିଜେଡିର ୨୪ ବର୍ଷୀୟା ରାଧା ଭତ୍ରା ବିଜୟୀ ହୋଇଛନ୍ତି।

କାର୍ଯ୍ୟକାଳ ସରି ନ ଥିବାରୁ ଅତାବିରା ଓ ହିନ୍ଦୋଳ ଏନ୍ଏସିରେ ନିର୍ବାଚନ ହୋଇ ନାହିଁ। ସେହିପରି କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଓ ପୁରୀ ମ୍ୟୁନିସିପାଲିଟିରେ ମଧ୍ୟ ନିର୍ବାଚନ କରାଯାଇ ନାହିଁ।
Published by:Soumya Das
First published: