ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ବାଣବଜାର ବ୍ରହ୍ମପୁରରୁ ଡ଼େଙ୍ଗାପଦରକୁ ଘୁଞ୍ଚିଲା; ବାଣବଜାର ଖାଁ ଖାଁ

ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ବାଣବଜାର ବ୍ରହ୍ମପୁରରୁ ଡ଼େଙ୍ଗାପଦରକୁ ଘୁଞ୍ଚିଲା । ସହର ଠାରୁ ଦୂର କାରଣରୁ ବାଣବଜାର ଖାଁ ଖାଁ, ଚିନ୍ତାରେ ବ୍ୟବସାୟୀ ।

ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ବାଣବଜାର ବ୍ରହ୍ମପୁରରୁ ଡ଼େଙ୍ଗାପଦରକୁ ଘୁଞ୍ଚିଲା; ବାଣବଜାର ଖାଁ ଖାଁ

ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ବାଣବଜାର ବ୍ରହ୍ମପୁରରୁ ଡ଼େଙ୍ଗାପଦରକୁ ଘୁଞ୍ଚିଲା; ବାଣବଜାର ଖାଁ ଖାଁ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ଆଉ ମାତ୍ର ଗୋଟିଏ ଦିନ ପରେ ଦୀପାବଳି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଦୀପାବଳି ନିରାଡ଼ମ୍ବର ଭାବେ ପାଳନ କରିଥିଲେ ଲୋକେ । କିନ୍ତୁ ଚଳିତ ବର୍ଷ ସମସ୍ତ ପ୍ରକାରର କଟକଣା ହଟିଯାଇଛି । ଯାହାଫଳରେ ଦୀପାବଳିକୁ କିଭଳି ଉତ୍ସାହର ସହିତ ପାଳନ କରିବେ ସେ ନେଇ ଲୋକେ ଯୋଜନା ଆରମ୍ଭ କରିସାରିଲେଣି । ପୂର୍ବରୁ ବ୍ରହ୍ମପୁର ସହରର ପୁରୁଣା ଆମ୍ବ ବଜାର ଠାରେ ବାଲୁଙ୍କେଶ୍ୱର ବାଣବଜାର ଖୋଲୁଥିଲା କିନ୍ତୁ ଚଳିତ ବର୍ଷ ସହରରୁ ପ୍ରାୟ ୧୮ କିଲୋମିଟର ଦୂରରେ ରହିଥିବା ଡ଼େଙ୍ଗାପଦର ଗାଁ ନିକଟରେ ବାଣବଜାର ଖୋଲାଯାଇଛି ।



ସହରଠାରୁ ଦୂରରେ ରହିଥିଲେ ସୁଦ୍ଧା ଲୋକେ ଡ଼େଙ୍ଗାପଦରକୁ ଯାଇ ବାଣ କିଣୁଥିବା ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ସମସ୍ତ ପ୍ରକାରର ବାଣର ଦର ବୃଦ୍ଧି ପାଇଛି । ବାଣର ଦର ବୃଦ୍ଧି ପାଇଥିଲେ ସୁଦ୍ଧା ଲୋକେ ଦୀପାବଳି ପାଳନ କରିବା ନିମନ୍ତେ ବାଣ କିଣୁଛନ୍ତି । ସେପଟେ ଯେଉଁମାନେ ବିନା ଲାଇସେନ୍ସରେ ବାଣ ବିକ୍ରି କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ବ୍ରହ୍ମପୁର ଏସପି ।

ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ବାଣ ବଜାର ରହିଥିଲା ବ୍ରହ୍ମପୁରର ବାଲୁଙ୍କେଶ୍ୱର ବାଣବଜାର । କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ଏହି ବାଣ ବଜାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଯାହାଫଳରେ ଏବେ ସହରରୁ ପ୍ରାୟ ୧୮ କିଲୋମିଟର ଦୂରରେ ରହିଥିବା ଡ଼େଙ୍ଗାପଦର ଗାଁ ନିକଟରେ ଏହି ବାଣବଜାର ଖୋଲିଛି । ଏହି ବାଣ ବଜାରରେ ରହିଛି ମୋଟ ୫ଟି ବାଣ ଦୋକାନ ଓ କିଛି ଗୋଦାମ ଗୃହ ।

‘‘ଜିଲ୍ଲା ପ୍ରଶାସନ ସହର ମଧ୍ୟରେ ବାଣ ବିକ୍ରି ନିମନ୍ତେ ବନ୍ଦ କରିବା ପରେ ଦୁଇ ବର୍ଷ ହେଲା କରୋନା ଯୋଗୁଁ ବାଣ ବିକ୍ରି ହୋଇପାରନଥିଲା । କିନ୍ତୁ ଚଳିତ ବର୍ଷ ସହରଠୁ ଦୂରରେ ବାଣ ବଜାର ଖୋଲାଯାଇଛି ଏବଂ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ମିଳିଛି । ତେଣୁ ଦୁଇ ବର୍ଷ ହେଲା ବାଣ ବିକ୍ରି ହୋଇନଥିବା ବେଳେ ଚଳିତ ବର୍ଷ ଭଲ ବାଣ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି,’’ ବାଣ ବ୍ୟବସାୟୀ ଉଙ୍କୁ ଗୌଡ଼ । ‘‘ଏହି ବାଣ ବଜାରକୁ କୋଲିକତା, ଶିବକାଶୀ, ଗୁଜୁରାଟ ଭଳି ବିଭିନ୍ନ ସ୍ଥାନରୁ ବାଣ ଆସୁଛି । ବାଣ ଆସିବା ପରେ ଏହାକୁ ହୋଲସେଲ ଦରରେ ବିକ୍ରି କରାଯାଉଛି । ସହରରୁ ଦୂରରେ ବାଣ ବଜାର ଖୋଲାଯାଇଥିବା ବେଳେ ପ୍ରତି ଦୋକାନ ମଧ୍ୟରେ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଦୂରତା ରଖାଯିବା ସହିତ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରଖାଯାଇ ବ୍ୟବସାୟ କରାଯାଉଛି ବୋଲି କହିଛନ୍ତି,‘‘ ବାଣ ବ୍ୟବସାୟୀ ସୁଜିତ କୁମାର ସାହୁ ।
‘‘ପୂର୍ବରୁ ବ୍ରହ୍ମପୁରରେ ବାଣ ବଜାର ରହିଥିବା ଯୋଗୁଁ ବିଭିନ୍ନ ରକମର ବାଣ ଘର ପାଇଁ କିଣି ନେଉଥିଲୁ । କିନ୍ତୁ ବର୍ତ୍ତମାନ ସହରରୁ ୧୮ କିଲୋମିଟର ଦୂରରେ ବାଣ ବଜାର ଖୋଲିଥିବା ଯୋଗୁଁ ଏତେ ଦୂରରୁ ବାଣ କିଣି ଘରକୁ ନେବା ନିମନ୍ତେ ଇଚ୍ଛା ହେଉନାହିଁ । ସହରଠୁ ଦୂରରେ ବାଣ ବଜାର ହୋଇଥିଲେ ସୁଦ୍ଧା ବର୍ଷକୁ ଥରୁଟିଏ ପାଇଁ ବାଣ କିଣିବାକୁ ପଡ଼ିଥାଏ । ତେଣୁ ବାଣ ବଜାରକୁ ଆସି ବିଭିନ୍ନ ରକମର ବାଣ କିଣିବାରେ ଲାଗି ପଡ଼ିଛନ୍ତି ଲୋକେ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବାଣର ଦର ବୃଦ୍ଧି ହୋଇଥିବା ବେଳେ ସେହି ପରିମାଣର ଅଧିକ ବର୍ଗର ବାଣ ମଧ୍ୟ ରହିଥିବା ନେଇ କହିଛନ୍ତି,‘‘ ଗ୍ରାହକ ଶାନ୍ତନୁ ଜେନା ।

‘‘ଯେଉଁମାନେ କେନ୍ଦ୍ର ସରକାର ଅଥବା ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଇସେନ୍ସ ପାଇଛନ୍ତି କେବଳ ସେମାନେ ହିଁ ବାଣ ବ୍ୟବସାୟ କରିପାରବେ । ଯେଉଁମାନେ ବିନା ଲାଇସେନ୍ସରେ ବାଣ ବିକ୍ରି କରିବେ ସେମାନଙ୍କ ନାମରେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁରର ବିଭିନ୍ନ ଥାନାରେ ବେଆଇନ ବାଣ ବିକ୍ରି ନେଇ ବହୁ ମାମଲା ରୁଜୁ ହେଲାଣି । ତେଣୁ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ମାନେ ହିଁ ଜିଲ୍ଲା ପ୍ରଶାସନର ନିୟମକୁ ପାଳନ କରି ବାଣ କିଣନ୍ତୁ ବୋଲି କହିଛନ୍ତି,’‘ ବ୍ରହ୍ମପୁର ଏସପି  ଡ଼.ଶ୍ରବଣା ବିବେକ ଏମ । ସହରଠୁ ଦୂରରେ ଚଳିତ ଥର ବାଣ ବଜାର ଖୋଲିଥିଲେ ସୁଦ୍ଧା ବିଭିନ୍ନ ସ୍ଥାନରୁ ବହୁ ରକମର ବାଣ ଏଠାରେ ବିକ୍ରି କରାଯାଉଛି । ଏହାଛଡ଼ା ଚଳିତ ଥର ସବୁଜ ବାଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଲୋକେ ମଧ୍ୟ ଏହି ବାଣକୁ କିଣିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ।
Published by:Soubhagya Mishra
First published: