ସର୍ଵକ୍ଷମା ଯୋଜନାରେ କମ୍ପାଉଣ୍ଡିଂ ଫି ଫେରାଇବ BDA; ମିଳିବ ଘର ଓ ଜମିର ଲିଜ

ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀରେ କୋହଳ କରାଯିବା ସହ ପୂର୍ବରୁ ସଂଗୃହିତ ଅତିରିକ୍ତ କମ୍ପାଉଣ୍ଡିଂ ଫି ଫେରସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଲୋକଙ୍କୁ ମିଳିବ ଜମି ଓ ଗୃହର ଲିଜ ।

ବିଡିଏ ଫେରାଇବ କମ୍ପାଉଣ୍ଡିଂ ଫି (ପ୍ରତୀକାତ୍ମକ ଛବି)

ବିଡିଏ ଫେରାଇବ କମ୍ପାଉଣ୍ଡିଂ ଫି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ବିଡିଏ ଆଣିଛି ଖୁସି ଖବର । ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀରେ କୋହଳ କରାଯିବା ସହ ପୂର୍ବରୁ ସଂଗୃହିତ ଅତିରିକ୍ତ କମ୍ପାଉଣ୍ଡିଂ ଫି ଫେରସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଲୋକଙ୍କୁ ମିଳିବ ଜମି ଓ ଗୃହର ଲିଜ ଡିଡ । ବିଡିଏର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ବିଡିଏ ପ୍ଲାନକୁ ଖିଲାପ କରି ନିର୍ମାଣ ହୋଇଛି ଅନେକ ଘର ଓ ଆପାର୍ଟମେଣ୍ଟ । ସେସବୁକୁ ନିୟମିତ କରିବାକୁ ଯାଇ ସରକାର ୨୦୧୮ମସିହାରେ ଲାଗୁ କରିଥିଲେ ସର୍ବକ୍ଷମା ଯୋଜନା । ସର୍ବକ୍ଷମା ଯୋଜନାରେ ନିଜ ନିଜ ପ୍ଲାନକୁ ନିୟମିତ କରିବାକୁ ଯାଇ ୧୪ ହଜାରରୁ ଅଧିକ ଲୋକ ବିଡିଏରେ ଆବେଦନ କରିଥିଲେ । ୨୦୧୯ ମସିହାରେ ମଧ୍ୟ ଏହି ଯୋଜନାରେ କୋହଳ କରି ଆବେଦନ ଗ୍ରହଣ କରାଯାଇଥିଲା ।

ସର୍ବକ୍ଷମା ଯୋଜନା ଲୋକଙ୍କଠାରୁ ବିଡିଏ ଓ ବିଏମସି କମ୍ପାଉଣ୍ଡିଂ ଫି ବାବଦରେ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ପରେ ଉକ୍ତ ବର୍ଦ୍ଧିତ ଅର୍ଥକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଫେରାଇବାକୁ ମଧ୍ୟ ଦାବୀ ହୋଇଥିଲା । ବିଳମ୍ବରେ ହେଲେ ମଧ୍ୟ ଅତିରିକ୍ତ ବା କମ୍ପାଉଣ୍ଡିଂ ଫିକୁ ଲୋକଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି ବିଡିଏ ।

୧୦ ତାରିଖ ସୁଦ୍ଧା ଆବେଦନ କରି ଡିସେମ୍ବର ଶେଷ ବେଳକୁ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ ହେବ । ସେହିଭଳି ସର୍ବକ୍ଷମା ସମ୍ପର୍କିତ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ ପାଇଁ ମଧ୍ୟ ଅଧିକ ୧୫ଦିନର ମହଲତ ଦିଆଯାଇଥିବା ବେଳେ ଆବଣ୍ଟିତ ଜମି ଓ ଘରର ଲିଜ ଡିଡ୍ ଫେବୃଆରୀ ସୁଦ୍ଧା ହସ୍ତାନ୍ତର କରିବା ନେଇ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବିଡିଏ ଉପାଦ୍ୟକ୍ଷ ସୂଚନା ଦେଇଛନ୍ତି ।

ସର୍ବକ୍ଷମା ଯୋଜନା ଲାଗୁ ପରେ ଲୋକଙ୍କୁ ମିଳିଥିଲା ଆଶ୍ବସ୍ଥି । ତେବେ କମ୍ପାଉଣ୍ଡିଂ ଫି ବାବଦ ଅର୍ଥରାଶିକୁ ନେଇ ଚିନ୍ତାରେ ପଡିଯାଇଥିଲେ ଆବେଦନକାରୀ । ଏପରିକି ମୋଟା ଅଙ୍କର ଅର୍ଥକୁ ନେଇ ଅନେକ ଆବେଦନ କରିବାରୁ ମଧ୍ୟ ହୋଇଥିଲେ ବଞ୍ଚିତ । ନିୟମରେ ପରିବର୍ତ୍ତନ ଆଣି ଟଙ୍କା ଫେରସ୍ତ ପାଇଁ ହୋଇଥିଲା ଦାବୀ । ବିଳମ୍ବରେ ହେଲେ ମଧ୍ୟ ବିଡିଏର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ହିତାଧିକାରୀ । ୨୦୧୯ମସିହାରୁ ସର୍ବକ୍ଷମା ଯୋଜନାର ପ୍ରାୟ ୧୪ହଜାର ଆବେଦନକାରୀ ଏହା ଦ୍ବାରା ଉପକୃତ ହୋଇପାରିବେ । ସେପଟେ ଲିଜ ଡିଡ ନଥିବା ଯୋଗୁଁ ପଟା ପ୍ରସ୍ତୁତ ହେବାରେ ମଧ୍ୟ ସମସ୍ୟା ଥିଲା । ଯାହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି କହିଛନ୍ତି ବିଲଡର ଓ ପ୍ଲାନର।
Published by:Soumya Das
First published:
)}