News18 Odia Digital
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରୋଜଗାର ମାଧ୍ୟମ ହେଉଛି ବାଲାଜି ସୂତାକଳ । ଏହି ବାଲାଜି ସୂତାକଳରେ ପ୍ରାୟ ୫୦୦ ରୁ ଅଧିକ ଶ୍ରମିକ ନିର୍ଭର କରି ଚଳୁଥିଲେ । ତେବେ ଗତ ୨୦୧୩ମସିହା ଫାଇଲିନ ବାତ୍ୟା ପରେ ସୂତାକଳରେ ତାଲା ପଡ଼ିଯାଇଛି। ବାତ୍ୟାରେ ଅନେକ କ୍ଷତି ଦେର୍ଶାଇ ମାଲିକ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ଚାଲିଯାଇଥିବା ବେଳେ ଅନେକ ଶ୍ରମିକ ରୋଜଗାର ହରାଇ ଦାଦନ ଯାଇଛନ୍ତି। ସେପଟେ କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ କିମ୍ବା ଜନପ୍ରତିନିଧି କାହାରି ମଧ୍ୟ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି ।
ଆସିକା ସହରର କଲେଜ ଛକରେ ରହିଛି ବାଲାଜି ସୂତାକଳ । ଏହି ବାଲାଜି ସୂତାକଳଟି ବହୁ ପୁରାତନ ହୋଇଥିବା ବେଳେ ସରକାରଙ୍କ ହାତରେ ଏହାର ମାଲିକାନା ରହିଥିଲା। ଏହାକୁ ଶାଗମାଛ ଦରରେ ଗତ ୨୦୦୬ମସିହାରେ କଲୋକତାର ଜଣେ ବ୍ୟବସାୟୀକୁ ବିକ୍ରି କରିଦେଲେ ରାଜ୍ୟ ସରକାର । ତଥାପି ଏହାରି ଉପରେ ସହର ତଥା ଆଖପାଖ ଗ୍ରାମର ଶହଶହ ମହିଳା ପୁରୁଷ ଶ୍ରମିକ ରୋଜଗାରକ୍ଷମ ହୋଇପାରୁଥିଲେ । ହେଲେ କିନ୍ତୁ ଗତ ଫାଇଲନରେ ସାମାନ୍ୟ କ୍ଷତି ହୋଇଥିଲା ଏହି ବାଲାଜି ସୂତାକଳ । ଅନେକ କ୍ଷତି ଦେଖାଇ ସମ୍ପୂର୍ଣ୍ଣ ସୂତାକଳରେ ତାଲା ପକାଇଦେଇଥିଲେ ମିଲ୍ କତ୍ତୃପକ୍ଷ । ଆଉ ସେହିଦିନ ଠାରୁ ମିଲରେ ତାଲା ଝୁଲୁଥିବା ବେଳେ ଏହାରି ଉପରେ ନିର୍ଭର କରୁଥିବା ଅନେକ ଶ୍ରମିକ ନିଜର ରୋଜଗାର ହରାଇ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେଣି ।
"ସୂତାକଳଟି ବନ୍ଦ ହୋଇଯିବାର ଅନେକ ବର୍ଷ ବିତିଗଲାଣି । ହେଲେ କିନ୍ତୁ ନିଜ ଅଞ୍ଚଳର ଲୋକ ମାନଙ୍କୁ ନିଜ ଅଞ୍ଚଳରେ ରୋଜଗାର ଯୋଗାଇ ଦେବା ନେଇ ଯେମିତି କାହାରି ବି ଆନ୍ତରିକତା ନାହିଁ । ଯାହାକି ଏକ ଦୁଃଖ ଓ ପରିତାପର ବିଷୟ ହୋଇଥିବା ବେଳେ ଯଦି ସୂତାକଳ ଚାଲନ୍ତା ତେବେ ଅନେକ ଲୋକ ଏଠାରୁ ହିଁ ପୁଣି ରୋଜଗାରକ୍ଷମ ହୋଇପାରନ୍ତେ,"କହିଛନ୍ତି ଜଣେ ପୁରାତନ ଶ୍ରମିକ ଟୁନା ପାଣିଗ୍ରାହୀ।
ଏହି ସୂତାକଳକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଶ୍ରମିକ ସଂଘ ଉଚ୍ଚନ୍ୟାୟଳୟର ଆଶ୍ରୟ ନେଇଥିବା ଜଣାପଡ଼ିଛି । ତଥାପି କୌଣସି ଫଳପ୍ରଦ ନହେବାରୁ ଅନେକ ନିଜର ଭିଟାମାଟି ଛାଡି ଯାଇଛନ୍ତି ।
“ଏହି ସୂତାକଳର ସମସ୍ୟା ନେଇ ଆମେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଅଧିକ ଆଲୋଚନା କରିଥିଲୁ । ସେ ମଧ୍ୟ ଏହାକୁ ଗୁରୁତ୍ଵ ଦେବା ସହ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନିଆଯିବ, " କହିଛନ୍ତି ଜଣେ ପୁରାତନ ଶ୍ରମିକ।