News 18 Odia Digital
ନୀଳଗିରି; ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଓ ରାଜରାଜେଶ୍ଵର ବେଶ ପାଳିତ ହୋଇଛି । ବାହୁଡ଼ାଯାତ୍ରାର ଦ୍ଵିତୀୟ ଦିନରେ ଅଧାରାସ୍ତାରେ ଅଟକି ରହିଥିଲେ ମହାପ୍ରଭୁ । ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ, ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଇଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରୂପା ଅଳଙ୍କାରରେ ସଜ୍ଜିତ କରିଛନ୍ତି ପୂଜକ ଓ ସେବାୟତମାନେ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ରାଜରାଜେଶ୍ଵର ବେଶ ଦର୍ଶନ କରିବା ପାଇଁ, ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ଅନ୍ୟ ପକ୍ଷରେ ତୃତୀୟ ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ, ଶନିବାର ମାଉସୀ ମା' ମନ୍ଦିର ନିକଟରୁ ମହାପ୍ରଭୁଙ୍କ ରଥକୁ ଭକ୍ତ, ଶ୍ରଦ୍ଧାଳୁ ଏବଂ ଜଗନ୍ନାଥପ୍ରେମୀ ଟାଣି ଟାଣି ଶ୍ରୀ ମନ୍ଦିର ଅଭିମୁଖେ ନେଇଥିଲେ । ରଥ ବଡଦାଣ୍ଡ ଅଧାରେ ପରମ୍ପରା ଅନୁଯାୟୀ ଅଟକି ରହିଛି । ଆଜି ଶ୍ରୀ ମନ୍ଦିର ନିକଟରେ, ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ପହଞ୍ଚିବା ପରେ, ନୀତିକାନ୍ତି ଅନୁଯାୟୀ ମହାପ୍ରଭୁ ଅଧରପଣା ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ପାଳିତ ହେବ ନିଳାଦ୍ରୀ ବିଜେ ।
ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ପୋଲିସ ଏସ ଡି ପି ଓ ରିତେଶ କୁମାର ମହାପାତ୍ର, ନୂତନ ଭାବେ ଯୋଗ ଦେଇଥିବା ଆଇ.ଆଇ.ସି ଗୋପାଳ ଚନ୍ଦ୍ର , ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡଙ୍ଗୀ, ବିଜେଡି ନେତା ସନ୍ତୋଷ କୁମାର ଖଟୁଆ , ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ରଥଟଣା ରେ ସହଯୋଗ କରିଥିଲେ । ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଓ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ ରଥ ଉପରେ ରହି ରଥ ପରିଚାଳନା କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।