ରାଜଧାନୀରେ ବଢ଼ିଛି ଅପରାଧ; ବାର୍ଷିକ କ୍ରାଇମ ରିପୋର୍ଟରେ ସ୍ପଷ୍ଟ କଲା ପୋଲିସ

ଅପରାଧ ନିୟନ୍ତ୍ରଣକୁ ନେଇ ବାର୍ଷିକ କ୍ରାଇମ ରିପୋର୍ଟ କାର୍ଡ଼ର ସାର୍ବଜନୀନ କରିଛି କମିଶନରେଟ ପୋଲିସ । ଆଗାମୀ ବର୍ଷରେ ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ ଲକ୍ଷ ରଖିଛି କମିସନରେଟ ପୋଲିସ ।

ବାର୍ଷିକ କ୍ରାଇମ ରିପୋର୍ଟ ପ୍ରକାଶ କରିଛି କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

ବାର୍ଷିକ କ୍ରାଇମ ରିପୋର୍ଟ ପ୍ରକାଶ କରିଛି କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ  ଅପରାଧ ନିୟନ୍ତ୍ରଣକୁ ନେଇ ବାର୍ଷିକ ରିପୋର୍ଟ କାର୍ଡ଼ର ସାର୍ବଜନୀନ କରିଛି କମିଶନରେଟ ପୋଲିସ । ଆଗାମୀ ବର୍ଷରେ ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ ଲକ୍ଷ ରଖିଛି  କମିସନରେଟ ପୋଲିସ ।

ଚଳିତ ବର୍ଷ ରାଜଧାନୀର ୨୩ଟି ଥାନାରେ ସମୁଦାୟ ୮୯୬୭ଟି ମାମଲା ରୁଜୁ ହୋଇଛି । ସେଥି ମଧ୍ୟରୁ କ୍ୟାପିଟାଲ ଥାନାରେ ସର୍ବାଧିକ ୮୨୪ଟି ମାମଲା ରୁଜୁ ହୋଇଥିବା ବେଳେ ଜଟଣୀ ଥାନାରେ ୬୮୧ ଟି ଓ ଖଣ୍ଡଗିରି ଥାନାରେ ୬୪୬ଟି ମାମଲା ରୁଜୁ ହୋଇଛି । ସେହିପରି ସର୍ବନିମ୍ନ ମାମଲା ରୁଜୁ କରିଥିବା ଥାନା ଗୁଡିକ ହେଉଛି ନନ୍ଦନକାନନ , ମହିଳା ଥାନା ଓ ଧଉଳି ଥାନା । ଏହି ଥାନାଗୁଡିକରେ ଯଥା କ୍ରମେ ୧୪୬ , ୧୬୨ ଓ ୧୯୬ଟି ମାମଲା ରୁଜୁ ହୋଇଛି । ଗତ ବର୍ଷ ଭୁବନେଶ୍ବରରେ ସର୍ବ ମୋଟ ୭୬୭୪ଟି ମାମଲା ରୁଜୁ ହୋଇଥିଲା ବେଳେ ଏ ବର୍ଷ  ୨୦.୧୨.୨୦୨୧ରିଖ ସୁଦ୍ଧା ଅଧ୍ବକ ୨୯୩ ଟି ମାମଲା ପଞ୍ଜୀକୃତ ହୋଇଛି ।

କମିଶନରେଟ ପୋଲିସର ତଥ୍ୟ ଅନୁସାରେ, ୨୦.୧୨.୨୦୨୧ ରିଖ ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ସର୍ବମୋଟ ୧୧୨୦୨ଟି ମାମଲାର ତଦନ୍ତ ଶେଷ କରାଯାଇଛି । ସେଥି ମଧ୍ୟରୁ ସହୀଦନଗର ଥାନା ସର୍ବାଧିକ ୯୯୦ଟି ମାମଲାର ତଦନ୍ତ ଶେଷ କରିଥିବା ବେଳେ ଖଣ୍ଡଗିରି ଓ ମଞ୍ଚେଶ୍ବର ଯଥାକ୍ରମେ ୮୯୬ ଓ ୭୮୬ଟି ମାମଲାର ତଦନ୍ତ ଶେଷ କରିଛନ୍ତି ।

ଭି.ଭି.ଆଇ.ପି ଗସ୍ତ ପାଇଁ ୨୦୨୧ରେ ଏଯାବତ ୧୩୧୫ ଥର ପୁଲିସ ବନ୍ଦୋବସ୍ତ କରାଯାଇଥିଲା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୧୪୨୨ ଥର ପୁଲିସ ବନ୍ଦୋବସ୍ତ ହୋଇଥିଲା । ଚଳିତ ବର୍ଷ ଖାରବେଳନଗର , ମହିଳା ଥାନା , ଏୟାରପୋର୍ଟ , ଏୟାରଫିଲ୍ଡ , ଧଉଳି , ଖଣ୍ଡଗିରି , ଲକ୍ଷ୍ମୀସାଗର , ବାଲିପାଟଣା , ବାଲିଅନ୍ତା , ନୟାପଲ୍ଲୀ , ମଞ୍ଚେଶ୍ଵର , ଶହୀଦନଗର , ଚନ୍ଦ୍ରଶେଖରପୁର , ଇନ୍ଫୋସିଟି , ଚନ୍ଦକା ଓ ନନ୍ଦନକାନନ ଇତ୍ୟାଦି ଥାନାରେ ତଦନ୍ତ ଶେଷ ହୋଇଥିବା ମୋକଦ୍ଦମାର ସଂଖ୍ୟା ରୁଜୁ ହୋଇଥିବା ମାମଲାର ସଂଖ୍ୟା ଠାରୁ ଅଧିକ ରହିଛି । ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ଡିସିପି ଅଫିସରେ ଥିବା 'CASE CLOSURE UNIT' ତଦନ୍ତ ଶେଷ କରିବା ପାଇଁ ତଦନ୍ତକାରୀ ଅଫିସରମାନଙ୍କ ଉପରେ ନ୍ୟସ୍ତ ଥିବା ମାମଲା ଗୁଡିକର ସମୀକ୍ଷା କରିବା ସହିତ ତୁରନ୍ତ ତଦନ୍ତ ଶେଷ କରିବା ପାଇଁ ସାହାଯ୍ୟ କରୁଥିବା ଡିସିପି ଅଫିସ ପକ୍ଷରୁ କୁହାଯାଇଛି  ।

"ଭୁବନେଶ୍ବର ୟୁ.ପି.ଡ଼ିର ବିଭିନ୍ନ ଥାନାମାନଙ୍କରେ ଏ ବର୍ଷ  ୫.୧୨.୨୦୨୧ ରିଖ ମଧ୍ୟରେ ୧୧୪ଟି ମୋବାଇଲ ଛିନତାଇ ମାମଲାର ସଫଳ ତଦନ୍ତ କରି ୨୦୪ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।  ସେମାନଙ୍କଠାରୁ ୯୯୧ଟି ମୋବାଇଲ ଫୋନ ଜବତ କରାଯାଇଛି । ସେହିପରି ୯୩ ଟି ସୁନା ଚେନ ଛିନତାଇ ମାମଲାର ସଫଳ ତଦନ୍ତ କରି ୧୩୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ୧୪୩ ଟି ସୁନା ଚେନ ଜବତ କରାଯାଇଛି । ଏହି ବର୍ଷ ଚୋରୀ ଯାଇଥିବା ୨୯ , ୪୦ , ୧୩୬ ଟଙ୍କା ଅପରାଧି ମାନଙ୍କଠାରୁ ଜବତ କରାଯାଇଛି," କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।

ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, "ରାଜଧାନୀରେ ଲୋକସଂଖ୍ୟା ବୃଦ୍ଧି ପାଉଛି । ସେହି ତୁଳନାରେ ପୋଲିସ ଅଧିକ କ୍ରିୟାଶୀଳ ହେବା ଉଚିତ । କ୍ରାଇମ ଓ ଆଇନଶୃଙ୍ଖଳା ବିଭାଗକୁ ଅଲଗା ଅଲଗା କରିବା ଆବଶ୍ୟକ ହୋଇ ପଡିଛି । ପୋଲିସ ନିଜର ବାହା ବାହା ନେବାକୁ ଏ ସବୁ ତଥ୍ୟ ଉପସ୍ଥାପନ କରିଛି, ହେଲେ କେତୋଟି ମାମଲାରେ ସଠିକ ତଦନ୍ତ କରି ଦୋଷୀ ଦଣ୍ଡ ପାଇଛି ତାହା ରିପୋର୍ଟ କାହିଁକି ସାମ୍ନାକୁ ଆଣୁନି"।
Published by:Soumya Das
First published:
)}