ଆଜ୍ଞାମାଳ ବିଜେ ପରେ ଭକ୍ତଙ୍କ ଆଖିରେ ଭାବର ଲୁହ: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ।  ଲକ୍ଷ ଲକ୍ଷ ଶ୍ରୀ ଜଗନ୍ନାଥ ପ୍ରେମୀ ସ୍ଵଚକ୍ଷୁରେ ଦର୍ଶନ କରିବେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ। ଭାବର ଠାକୁର କାଳିଆ ସାଆନ୍ତଙ୍କ ପାଖରେ ଭାବ ବାଣ୍ଟିବେ।

ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ।

ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ।

  • Share this:
News 18 Odia Digital

ପୁରୀ : ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥ,ପଥ ପ୍ରସ୍ତୁତ। ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଆଜି ମଧ୍ୟ ଭକ୍ତମାନେ ଦର୍ଶନର ସୁଯୋଗ ପାଇବେ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥର ଦୁଇ ଦିନ ନବଯୌବନ ଦର୍ଶନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଆଜି ଉଭା ଯାତ୍ରା ପଡୁଥିବାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଜାରି ରହିବ। ଶ୍ରୀଗୁଣ୍ଡିଚା ନୀତିକାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଏହାପରେ ଦର୍ଶନ ବନ୍ଦ ରହିବ।

ସେପଟେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ରଥଖଳାକୁ ଆଜ୍ଞାମାଳ ଅନୁଷ୍ଠିତ ହୋଇଛି। ୩ ରଥର ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହୋଇଛି ରଥଟଣା। ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଓ ଭକ୍ତମାନେ ତିନିରଥକୁ ଟାଣି ନେଇ ପହଞ୍ଚାଇବେ। ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯାଉଛି।

ରଥ ରଙ୍ଗ କାର୍ଯ୍ୟ ସହ ତିନି ରଥର ପ୍ରଭାରେ ଖୋଦିତ ରୂପରେ ରଙ୍ଗ ଚିତ୍ରକାର୍ଯ୍ୟ ମଧ୍ୟ ଶେଷ ହୋଇଛି। କନକ ମୁଣ୍ଡିରେ ପିତଳ ସଜ ସଂଯୋଗ ହୋଇଛି । ଏଥି ସହ ତିନି ରଥର ଦୁଆର ବେଢ଼ାରେ କନା ଲାଗିବା କାର୍ଯ୍ୟ ସମାପ୍ତ ହୋଇଛି। ଏବେ କେବଳ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ।  ଲକ୍ଷ ଲକ୍ଷ ଶ୍ରୀ ଜଗନ୍ନାଥ ପ୍ରେମୀ ସ୍ଵଚକ୍ଷୁରେ ଦର୍ଶନ କରିବେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ । ଭାବର ଠାକୁର କାଳିଆ ସାଆନ୍ତଙ୍କ ପାଖରେ ଭାବ ବାଣ୍ଟିବେ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ତାଙ୍କ ପାଇଁ ସମସ୍ତେ ସମାନ । ସେଇଥିପାଇଁ ତ ପ୍ରତିବର୍ଷ ବଡ଼ଦାଣ୍ଡକୁ ସେ ଓହ୍ଲାଇ ଆସୁଛନ୍ତି ସମସ୍ତଙ୍କ ସହ ଭାବ ବାଣ୍ଟିବାକୁ । କାଲି ସେହିଦିନକୁ ସମସ୍ତଙ୍କର ଅପେକ୍ଷା । ଭଗବାନ ଭକ୍ତଙ୍କ ଚକ୍ଷୁର ହେବ ମିଳନ ।  ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଥିଲା । ଫଳ ସ୍ୱରୂପ ପ୍ରତ୍ୟକ୍ଷ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ଏବେ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ସରକାର ନିଷ୍ପତ୍ତି ନେଇଛନ୍ତି ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଭକ୍ତଙ୍କ ମେଳରେ ସମାହିତ ହେବ ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଅସଂଖ୍ୟ ଜନ ସମାଗମ ହୋଇଥାଏ । ତେଣୁ ଏହାର ସୁଗମ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଭକ୍ତଙ୍କ ସମାଗମକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ସମସ୍ତ ଜଗନ୍ନାଥ ସେବକ ମାନଙ୍କର ସ୍ୱତନ୍ତ୍ର କୋଭିଡ ପରୀକ୍ଷା କରାଯାଇଛି ।

ଏହାସହ ସମସ୍ତ ଭକ୍ତଙ୍କ ସମେତ ସମ୍ପୃକ୍ତ ସେବାୟତ ମାନଙ୍କୁ ବାଧ୍ୟତାମୂଳକ ମାସ୍କ ବ୍ୟବହାର ପାଇଁ ନିବେଦନ କରାଯାଇଛି।  ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆର୍ପିଏଫ, ଆର୍ମଡ଼ ଫୋର୍ସ, ବରିଷ୍ଠ ତଥା ଅଭିଙ୍ଗ ପୋଲିସ ଅଫିସର, ବମ୍ ସ୍କ୍ଵାର୍ଡ ତଥା ଗୃହରକ୍ଷୀ ବାହିନୀଙ୍କୁ ନିଯୁକ୍ତି କରାଯାଇଛି । ରାଜ୍ୟ ସରକାର ଏହି ମହାନ ଗଣପର୍ବକୁ ଶୃଙ୍ଖଳାର ସହିତ ସମ୍ପନ୍ନ କରିବାକୁ ଚେଷ୍ଟା କରିଛନ୍ତି । ଶେଷରେ ରାଜ୍ୟର ବୁଦ୍ଧିଯିବି, ନାଗରିକ ଓ ସାମ୍ବାଦିକଙ୍କୁ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
Published by:Soubhagya Mishra
First published: