News 18 Odia Digital
ବ୍ରହ୍ମପୁର; ଗ୍ରାମବାସୀଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ । ଦୀପକ ଫଟିଲାଇଜର ଟେକନିକାଲ ଆମେନିୟମ ନାଇଟ୍ରେନ କେମିକାଲ ପ୍ଲାଣ୍ଟ ନେଇ ବାରମ୍ବାର ବିରୋଧ ସହ ଜନଶୁଣାଣୀ କରିବା ପାଇଁ ଦାବି ପରେ ଏବେ ଗ୍ରାମବାସୀଙ୍କୁ ମନାଇବା ଲାଗି ଗାଁରେ ପହଞ୍ଚିଲା ପ୍ରଶାସନ ଓ କମ୍ପାନୀ । ଗ୍ରାମବାସୀଙ୍କୁ ଦୀର୍ଘ ୩ ଘଣ୍ଟା ଧରି ବୁଝାସୁଝା କରିବା ପରେ ମଧ୍ୟ କୌଣସି ସୁଫଳ ବାହାରିପାରିଲା ନାହିଁ । କେତେ ବୁଝାସୁଝା ପରେ ମଧ୍ୟ ଗ୍ରାମବାସୀମାନେ କେମିକାଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ରୋକଠୋକ କହିଛନ୍ତି । ଯାହାଫଳରେ ନିରାଶ ହୋଇ ଗାଁରୁ ଫେରିଛନ୍ତି ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ । ତଥାପି ବମ୍ବେ ପରେ ଏବେ ଶ୍ରୀକାକୁଲମରେ ହୋଇଥିବା କେମିକାଲ ପ୍ଲାଣ୍ଟ ବୁଲାଇ ନେବାକୁ ସୁପାରିଶ କରିଛି କମ୍ପାନୀ ।

ଯେତେ ମନାଇଲେ ମଧ୍ୟ ମାନୁନାହାନ୍ତି ଗ୍ରାମବାସୀ । କମ୍ପାନୀ ପ୍ରତିଷ୍ଠା ନେଇ ସବୁ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମ ଗୋଟିଏ ଇଞ୍ଚ୍ ଆଗେଇପାରୁନି । କାରଣ ଗ୍ରାମବାସୀମାନେ କାମ ଆରମ୍ଭ ହେବା ପୂର୍ବରୁ ବନ୍ଦ କରି ଦେଉଛନ୍ତି । ଗ୍ରାମବାସୀ
ଜନଶୁଣାଣୀକୁ ନେଇ ସ୍ବର ଉଠାଇଥିବା ବେଳ ତାହାକୁ ବନ୍ଦ କରିଥିଲା ପ୍ରଶାସନ । କିନ୍ତୁ ବର୍ତ୍ତମାନ କୌଣସି ଉପାୟ ନ ପାଇ ଗାଁରେ ପହଞ୍ଚିଲା ପ୍ରଶାସନ ଓ କମ୍ପାନୀ ତଥାପି ଫଳ ଶୂନ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଛତ୍ରପୁର ବ୍ଳକ କାଳିପଲ୍ଲୀ ନିକଟରେ ହେବାକୁ ଥିବା ଦୀପକ ଫଟିଲାଇଜର କମ୍ପାନୀ କ୍ଷେତ୍ରରେ ।
କିଛି ମାସ ପୂର୍ବରୁ କାଳିପଲ୍ଲୀରେ ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ନେଇଥିବା ଜମିରେ ଦୀପକ ଫଟିଲାଇଜର କମ୍ପାନୀ ଟେକନିକାଲ ଏମୋନିୟମ ନାଇଟ୍ରେଟ କେମିକାଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ କାମ ଆରମ୍ଭ କରିଥିଲା । କିନ୍ତୁ ଏନେଇ ପୂର୍ବରୁ ଜନଶୁଣାଣୀ ହୋଇନଥିବା ବେଳେ ଏହା ଏକ ବିଷାକ୍ତ ପ୍ଲାଣ୍ଟ ହୋଇଥିବା ଯୋଗୁଁ ଏହାକୁ ବିରୋଧ କରିଥିଲେ କାଳିପଲ୍ଲୀ ସମସ୍ତେ ଆଖପାଖ ଅଞ୍ଚଳର ୬ ପଞ୍ଚାୟତ ବାସିନ୍ଦା ।

‘‘ଦୀପକ ଫଟିଲାଇଜର କାମ ଆରମ୍ଭ କରିବା ପୂର୍ବରୁ ଗ୍ରାମବାସୀମାନେ ବାରମ୍ବାର ବିରୋଧ କରି କାମକୁ ବନ୍ଦ କରିଥିଲେ । ବିରୋଧ କରିବା ସହିତ କମ୍ପାନୀର ଆଭିମୁଖ୍ୟକୁ ନେଇ ଜନଶୁଣାଣୀ କରିବା ନେଇ ଦାବି କରିଥିଲେ । ପ୍ରଶାସନ ଆଉ ଜନଶୁଣାଣୀ ହୋଇପାରିବ ନାହିଁ ବୋଲି ରୋକଠୋକ କହିଥିଲେ । କିନ୍ତୁ ଗ୍ରାମବାସୀଙ୍କୁ ମନାଇବା ପାଇଁ ଗାଁରେ ପହଞ୍ଚଥିଲେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ । ପ୍ରାୟ ୩ ଘଣ୍ଟା ଧରି ଗ୍ରାମବାସୀଙ୍କ ସହ କମ୍ପାନୀର ଆଭିମୁଖ୍ୟକୁ ନେଇ ହୋଇଥିଲା ଆଲୋଚନା । କିନ୍ତୁ ଦୀର୍ଘ ସମୟର ଆଲୋଚନା ପରେ ମଧ୍ୟ ଗ୍ରାମବାସୀ କେମିକାଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ନିମନ୍ତେ ଅନୁମତି ଦେଇନଥିଲେ । କମ୍ପାନୀ ଓ ପ୍ରଶାସନ ବାରମ୍ବାର ଆଲୋଚନା କରିବା ପରେ ଏବେ ପୁଣି ଗାଁକୁ ଆସି କମ୍ପାନୀକୁ ପ୍ରତିଷ୍ଠା କରିବା ନେଇ ବିଭିନ୍ନ ପ୍ରତିଶୃତି ଦେଇ ପ୍ରବର୍ତ୍ତାଉଛନ୍ତି । କିନ୍ତୁ ଉଭୟ ପ୍ରଶାସନ ଓ କମ୍ପାନୀ ଶତଚେଷ୍ଟା କଲେ ମଧ୍ୟ ଏଭଳି ବିଷାକ୍ତ କମ୍ପାନୀକୁ ପ୍ରତିଷ୍ଠା କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି,‘‘ କାଳିପଲ୍ଲୀ ବାସିନ୍ଦା ଘନଶ୍ୟାମ ସାହୁ ।

‘‘କମ୍ପାନୀ ବିଭିନ୍ନ ତଥ୍ୟ ଦେଇ ଗ୍ରାମବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି । କମ୍ପାନୀ ପ୍ରତିଷ୍ଠା କରିବାକୁ ଯେଉଁ ଅଧିକାରୀମାନେ ଗାଁକୁ ଆସି ବୁଝାସୁଝା କରୁଛନ୍ତି ସେମାନେ ଲକ୍ଷ ଲକ୍ଷ ଟଙ୍କା ପାଇବେ କିନ୍ତୁ ଗ୍ରାମବାସୀ ବିଭିନ୍ନ ରୋଗର ଶିକାର ହେବା ସହିତ କମ୍ପାନୀରେ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମାରେ କାମ କରିବେ । ତାହା କଦାପି ସମ୍ଭବ ନୁହଁ । ତେଣୁ ଏଭଳି ବିଷାକ୍ତ କମ୍ପାନୀ ବଦଳରେ ଅନ୍ୟ କୌଣସି କମ୍ପାନୀ ପ୍ରତିଷ୍ଠା ହେବ ତେବେ ହିଁ ଅନୁମତି ଦିଆଯିବ ବୋଲି କହିଛନ୍ତି,‘‘ କାଳିପଲ୍ଲୀ ବାସିନ୍ଦା । ‘‘ପୂର୍ବରୁ କାଳିପଲ୍ଲୀ ନିକଟରେ ଆଇଆରଇର ମନୋଜାଇଟ ପ୍ଲାଣ୍ଟ ବସିଥିଲା । ଜନଶୁଣାଣୀ ସମୟରେ ପ୍ଳାଣ୍ଟ ବସିବା ପରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲା କମ୍ପାନୀ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥାନୀୟ ଗାଁ ଗୁଡ଼ିକର ଶହ ଶହ ଲୋକେ କମ୍ପାନୀ ଯୋଗୁଁ କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ସହ ଏକାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ତଥାପି କମ୍ପାନୀ ଜଣକୁ ବି କ୍ଷତିପୂରଣ ଦେଲାନାହିଁ । ସେହିପରି ଦୀପକ ଫଟିଲାଇଜର କମ୍ପାନୀ ଯଦି ପ୍ରତିଷ୍ଠା ହୁଏ ତେବେ ତାହା ବିଷାକ୍ତ ଧୂଆଁ ସହ ଅନ୍ୟାନ୍ୟ ଅବ୍ୟବସ୍ଥା ଯୋଗୁଁ ଗ୍ରାମବାସୀ ହିଁ ସମସ୍ୟାରେ ପଡ଼ିବେ । ତେଣୁ ଏଭଳି ବାରମ୍ବାର ବିରୋଧ ଓ ଆଲୋଚନା ପରେ ମଧ୍ୟ କମ୍ପାନୀକୁ କାମ ଆରମ୍ଭ କରିବାକୁ ଦେବୁନାହିଁ ବୋଲି କହିଛନ୍ତି,‘‘ କାଳିପଲ୍ଲୀ ବାସିନ୍ଦା ଗୁରୁଦେବ ବେହେରା ।
‘‘ଗ୍ରାମବାସୀଙ୍କ ମଧ୍ୟରେ କମ୍ପାନୀର ଆଭିମୁଖ୍ୟକୁ ନେଇ ବର୍ତ୍ତମାନ ସୁଦ୍ଧା ଅନେକ ଭୁଲ ଧାରଣା ରହିଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ଜରିଆରେ ସେହି ଭୁଲ ଧାରଣାକୁ ଗ୍ରାମବାସୀର ମନରୁ ହଟାଇବା ନିମନ୍ତେ ଉଦ୍ୟମ କରିଥିବା ବେଳେ ତାହା ସମ୍ଭବପର ହୋଇପାରିନଥିଲା । ବର୍ତ୍ତମାନ ମଧ୍ୟ ଗ୍ରାମବାସୀ କମ୍ପାନୀ ପ୍ରତିଷ୍ଠା କରିବା ନିମନ୍ତେ ଅରାଜି ହେଉଛନ୍ତି । ଯେହେତୁ ପୂର୍ବରୁ ଗ୍ରାମବାସୀଙ୍କୁ ମୁମ୍ବାଇ ବୁଲାଇ ନେବାକୁ କୁହାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଶ୍ରୀକାକୁଲମରେ ରହିଥିବା ଏମୋନିୟମ ନାଇଟ୍ରେଟ ପ୍ଳାଣ୍ଟ ବୁଲାଇ ନେବାକୁ ସୁପାରିଶ କରାଯାଇଛି । ଯଦି ସେମାନେ ରାଜି ହୁଅନ୍ତି ତେବେ ଗ୍ରାମବାସୀ ପ୍ଳାଣ୍ଟକୁ ଯାଇ ଦେଖିପାରିବ । ଯାହାଫଳରେ ହିଁ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର ହେବ ବୋଲି କହିଛନ୍ତି,‘‘ କମ୍ପାନୀର ପ୍ରକଳ୍ପ ପରିଚାଳକ ଚିତ୍ତରଞ୍ଜନ ପାଣିଗ୍ରାହୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।