News18 Odia Digital
ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କର ଟି.ଆଇ ପରେଡ଼ କରାଯାଇଛି । ୩ ଜଣ ସାକ୍ଷୀଙ୍କୁ ନେଇ ଭଦ୍ରକ ଉପକାରଗାରରେ ହୋଇଛି ଟି.ଆଇ ପରେଡ଼ । କ୍ରାଇମବ୍ରାଞ୍ଚ ସୂଚନା ଅନୁସାରେ, ସାକ୍ଷୀ ମାନେ ଅଭିଯୁକ୍ତକୁ ଚିହ୍ନଟ କରିଥିବା ଜଣା ପଡ଼ିଛି ।
ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତକୁ ଗିରଫ କରି ସାରିବା ପରେ ଏବେ ପ୍ରମାଣ ଯୋଗାଡୁଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତକୁ ନେଇ ଭଦ୍ରକ ଉପକାରଗରରେ କରାଯାଇଛି ଟି.ଆଇ ପରେଡ଼ । ଏହି ସମୟରେ ୫ ଅଭିଯୁକ୍ତକୁ ୩ସାକ୍ଷୀ ଚିହ୍ନଟ କରିଛନ୍ତି । ଭଦ୍ରକ JMFCଙ୍କ ଉପସ୍ଥିତରେ ଏହି ଟିଆଇ ପରେଡ଼ କରାଯାଇଛି । ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ଭାଗ୍ୟଧର, ବିବେକ, ଓ ରଞ୍ଜନ ନାୟକଙ୍କର ଟିଆଇ ପରେଡ଼ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ଟିଆଇ ପରେଡ଼ ସମୟରେ ପ୍ରତି ୧୦ ଜଣରେ ଜଣେ ଅଭିଯୁକ୍ତକୁ ଛିଡ଼ା କରାଯାଇଥିଲା । ଅଭିଯୁକ୍ତଙ୍କ ସହ ଛିଡ଼ା ହୋଇଥିବା ଅନ୍ୟମାନେ ମଧ୍ୟ ଅଭିଯୁକ୍ତଙ୍କ ପରି ରଙ୍ଗ, ସମାନତା ଭଳି ସବୁ ମିଶୁଥିଲା । ଜଣ ଜଣ କରି ସମସ୍ତ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ ସାକ୍ଷୀ । ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶରତ ସାହୁ କହିଛନ୍ତି, "ଟି.ଆଇ ପରେଡ଼ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ବଡ଼ ପ୍ରମାଣ । କାରଣ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସାକ୍ଷୀମାନେ ଅଭିଯୁକ୍ତକୁ ଚିହ୍ନଟ କରିଥାନ୍ତି । ଯାହା ଆଗକୁ ପୋଲିସକୁ ବେଶ ସହାୟକ ହୋଇପାରିବ"।
ଏହାରି ମଧ୍ୟରେ ଘଟଣାକୁ ୪ମାସ ବିତି ଯାଇଛି । ହତ୍ୟାକାଣ୍ଡ ଏକ ମାସ ପରେ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲା। ପରେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନେକ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତକୁ ନେଇ କରାଯାଇଛି କ୍ରାଇମସିନ ରିକ୍ରିଏସନ । ଯେଉଁଥିରେ ଅଭିଯୁକ୍ତମାନେ ମାନସକୁ କିଭଳି ଅପହରଣ କରି ହତ୍ୟା କରିବା ପରେ ମୃତଦେହକୁ ପୋତି ଦେଇଥିଲେ। ମାନସର ଇୟରଫୋନ, ଚପଲ ଆଦିକୁ ଚଣ୍ଡିଖୋଲ ଅଞ୍ଚଳରୁ ଅଧା ପୋଡ଼ା ଅବସ୍ଥାରେ ଜବତ କରାଯାଇଛି। ସିସିଟିଭି ଫୁଟେଜରେ ରହିଛି ଶର୍ମିଷ୍ଠାଙ୍କ କାରର ଚିତ୍ର। ଏବେ ଟିଆଇ ପରେଡ଼ରେ ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ସାକ୍ଷୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।