News 18 Odia Digital
ବାଲେଶ୍ୱର: ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଆଗମନରେ ନେଇ ଉତ୍ସବମୁଖର ହୋଇ ଉଠିଛି ବାଲେଶ୍ବର। ଆକର୍ଷଣୀୟ ତୋରଣ, ମୂର୍ତ୍ତି ସହ ସାରା ସହର ଆଲୋକମାଳାରେ ଝଲସି ଉଠିଛି। ପ୍ରତିବର୍ଷ ଗଣେଶଙ୍କ ପୂଜା ବେଶ ଧୂମ୍ଧାମ୍ରେ ପାଳିତ ହୋଇ ଆସୁଥିବା ବେଳେ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହୋଇଥିଲା। ଏଥର ପୁଣି ପୂର୍ବଭଳି ମହାଆଡ଼ମ୍ବରରେ ପୂଜା ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ମନରେ ଅପୂର୍ବ ଆନନ୍ଦ ଦେଖିବାକୁ ମିଳିଛି।
ବାଲେଶ୍ଵର ସହରର ଡାକ୍ତରଖାନା ପାଖ ସିଦ୍ଧି ବିନାୟକ ମନ୍ଦିରରେ ସହର ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ସିନେମା ଛକ ଓ ଫକୀରମୋହନ ଗୋଲେଇସ୍ଥିତ ଲୋରି କ୍ଲବ ପକ୍ଷରୁ ଗଜାନନଙ୍କ ଷୋଡ଼ଶ ଉପଚାର ପୂଜା ହେଉଛି।
ତେବେ ଚଳିତବର୍ଷ ଲୋରି କ୍ଲବ୍ ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପଶ୍ଚିମବଙ୍ଗର କାରିଗରଙ୍କ ଦ୍ବାରା ନନ୍ଦିଘୋଷ ରଥ ଶୈଳୀରେ ୭୦ ଫୁଟ୍ର ତୋରଣ ନିର୍ମାଣ କରାଯାଇଛି। ସେହିପରି ୭୩ କେଜି ଧଳାରାଶି ବ୍ୟବହାର କରାଯାଇ ଏଠାରେ ୨୨ ଫୁଟ୍ର ମୂର୍ତ୍ତି ନିର୍ମାଣ ହୋଇଥିବା ଦେଖାଯାଇଛି। ସମଗ୍ର ଅଂଚଳକୁ ରଙ୍ଗୀନସଜାଯାଇଛି। ଭସାଣିରେ ଆଲୋକମାଳାରେ ବିଭିନ୍ନ ପ୍ରକାର ପାରମ୍ପରିକ ଶଙ୍ଖୁଆ, ଘଂଟୁଆମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶାନ୍ତିଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପିଙ୍କୁ ପରିଚାଳନା ଦାୟିତ୍ବ ଦେଇଛନ୍ତି ଏସ୍ପି । ସେହିପରି ୭ ଜଣ ଡ଼ିଏସପି , ୮ ଜଣ ଇନ୍ସପେକ୍ଟର , ୬୨ ଜଣ ସେକେଣ୍ଡ କ୍ଲାସ ଅଫିସର , ଇ ଜଣ ଟ୍ରାଫିକ କନଷ୍ଟେବଳ ଓ ୧୯୦ଜଣ ହୋମ ଗାର୍ଡଙ୍କ ମଧ୍ୟ ଦାୟିତ୍ୱ ଦିଆଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।