News 18 Odia Digital
ପୁରୀ; ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ସତସଙ୍ଗ ଠାକୁରବାଡ଼ି ପକ୍ଷରୁ ପରମ ପ୍ରେମମୟ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଜୟ ଜଗନ୍ନାଥ, ଜୟ ଗୁରୁ ସମ୍ବୋଧନରୁ ସେ ଉଦବୋଧନ ଆରମ୍ଭ କରିଥିଲେ। ସେ କହିଥିଲେ ସତସଙ୍ଗ ସମଗ୍ର ଦେଶରେ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି। ଠାକୁରଙ୍କ ଆଗମନର ଶହେ ବର୍ଷ ପୂର୍ତ୍ତିରେ ଏକ ସୁନ୍ଦର ଓଡ଼ିଶା ଓ ସୁନ୍ଦର ଭାରତବର୍ଷ ଗଠନ କରିବା। ସୁପ୍ରିମକୋର୍ଟଙ୍କ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଗୁରୁଙ୍କ ଭୂମିକା ଓ ସ୍ବାର୍ଥ ବିହୀନ ପ୍ରେମ ସମ୍ପର୍କରେ ଉଦବୋଧନ ଦେଇ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ଧର୍ମ ଓ ସେବା ସହ ଗୀତା ଭାଗବତ ସମ୍ପର୍କରେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶ ବିଦେଶରୁ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଠାକୁର ଅନୁକୂଳଚନ୍ଦ୍ରଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ତାଙ୍କର ବାଣୀ କିଭଳି ଆହୁରି ଅଧିକ ପ୍ରସାରିତ ହୋଇପାରିବ ଓ ସତସଙ୍ଗ ମାଧ୍ୟମରେ ସ୍ୱାର୍ଥ ବିହୀନ ପ୍ରେମ ସମସ୍ତଙ୍କ ମଧ୍ୟରେ ଜାଗ୍ରତ କରାଯାଇପାରିବ ସେ ସମ୍ପର୍କରେ ଅନୁଗାମୀଙ୍କୁ ପରାମର୍ଶ ଦିଆଯାଇଛି।
୧୯୨୩ ମସିହା ଜାନୁଆରୀ ୨ ତାରିଖରେ ଯୁଗ ପୁରୁଷୋତ୍ତମ ଠାକୁର ଅନୁକୂଳଚନ୍ଦ୍ର ପୁରୀରେ ପହଞ୍ଚିଥିଲେ। ଏଠାରେ ମାସାଧିକ କାଳ ରହି ସମୁଦ୍ର ସ୍ନାନ ସମେତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରିଥିଲେ । ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ସେହି ସମୟରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶିଷ୍ୟତ୍ୱ ଗ୍ରହଣ କରି ଗୁରୁମନ୍ତ୍ର ନେଇଥିଲେ । ଏଣୁ ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପୁରୀରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ଓଡ଼ିଶା ଆଗମନର ଶତବର୍ଷ ପୂର୍ତ୍ତି ମହାମହୋତ୍ସବ ଆୟୋଜନ କରାଯାଇଛି।
ନିଜେ ବଞ୍ଚ, ଅନ୍ୟକୁ ବଞ୍ଚାଅ ଠାକୁରଙ୍କ ଏହି ଦିବ୍ୟ ବାଣୀ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ରାଜ୍ୟବାସୀଙ୍କ ପାଇଁ ପାଳନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ମୃତି ସମିତିର ଆବାହକ ବିନାୟକ ମହାପାତ୍ର, ନୃସିଂହ ତ୍ରିପାଠୀ, ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରୀରେ ଜନସମୁଦ୍ର ସୃଷ୍ଟି ହୋଇଥିଲା।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।