News18 Odia Digital
କଟକ: ହାତୀଙ୍କ ଗତିପଥ ଟ୍ରାକ କରୁଥିବା କର୍ମଚାରୀମାନେ ହିଁ ହାତୀଙ୍କୁ ଶିକାର କରୁଛନ୍ତି। ହାତୀ ମୃତ୍ୟୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣୀ ସମୟରେ ରାଜ୍ୟ ସରକାର କିଛି ଏହି ଭଳି ଜବାବ ରଖିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟ ପ୍ରଦାନ କରାଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ ଥିବାରୁ ଏହାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି।
କେବଳ ସେତିକି ନୁହେଁ ରାଜ୍ୟରେ ହାତୀ ମୃତ୍ୟୁ ନେଇ ପିସିସିଏଫ ୱାଇଲ୍ଡଲାଇଫଙ୍କ ପ୍ରତି ମଧ୍ୟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଗତ ୫ ବର୍ଷ ମଧ୍ୟରେ କିଛି ହାତୀ ଶିକାରୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଛନ୍ତି? କେଉଁ ସ୍ଥାନଗୁଡ଼ିକରେ ଏହି ଘଟଣା ଘଟିଛି? ସେହି ସମ୍ପର୍କରେ କେତେଟି ମାମଲା ରୁଜୁ ହୋଇଛି? କେତେ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଆଦି ତଥ୍ୟକୁ ବିସ୍ତୃତ ଭାବରେ ଦୁଇ ସପ୍ତାହ ମଧ୍ୟରେ ଏକ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ପିସିସିଏଫ ୱାଇଲ୍ଡଲାଇଫକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆସନ୍ତା ଅଗଷ୍ଟ ୮ ତାରିଖରେ ପିସିସିଏଫ ୱାଇଲ୍ଡଲାଇଫଙ୍କୁ ବ୍ୟକ୍ତିଗତ ଭାବରେ ଭିଡିଓ କନଫରେନ୍ସରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ଅଗଷ୍ଟ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ମାମଲା ସାମ୍ନାକୁ ଆସୁଥିବାରୁ ଏନେଇ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତ ନାମକ ଜଣେ ସମାଜସେବୀଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲାଟି ଦାୟର କରାଯାଇଥିଲା।
ଏହି ମାମଲାର ପୂର୍ବ ଶୁଣାଣିରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ହାତୀଙ୍କ ସୁରକ୍ଷା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ତଥ୍ୟ ରଖିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୋର୍ଟ କହିଥିଲେ।
ଆବେଦନକାରୀ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବନ୍ୟଜନ୍ତୁ ଶିକାର ବଢ଼ି ଚାଲିଥିବା ବେଳେ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଗୁଳି ମାଡ଼ର ଶିକାର ହାତୀର ମୃତ୍ୟୁ ହୋଇଥିଲା। କିନ୍ତୁ ହାତୀ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ବନ ବିଭାଗ ଏହି ଘଟଣା ପାଇଁ ଚିନ୍ତିତ ନଥିବା ଭଳି ଲାଗୁଛି। ବନ୍ୟ ଜୀବନ (ସୁରକ୍ଷା ) ଆଇନ,୧୯୭୨ ଅଧିନରେ ଥିବା ଦଣ୍ଡ ବ୍ୟବସ୍ଥା ଯଦି କଠୋର ନ ହେବ ତେବେ ଏଭଳି ଘଟଣା ନିୟମିତ ଘଟିବ।
ଆସାମ ସରକାର ୨୦୧୦ରେ ବଣ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ପରିବର୍ତ୍ତନ କରି ଦଣ୍ଡ ବ୍ୟବସ୍ଥା କଠୋର କରିଥିଲେ। ଆସାମ ଢ଼ଙ୍ଗରେ ଓଡ଼ିଶାରେ ମଧ୍ୟ ଆଇନରେ ସଂଶୋଧନ କରାଯାଇ ବନ୍ୟଜନ୍ତୁ ଶିକାର ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହା ସହିତ ଗତ ୫ ବର୍ଷ ଭିତରେ ବନ୍ୟଜନ୍ତୁ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ସରକାରଙ୍କ ନିକଟରୁ ଜବାବ ତଲବ କରାଯାଉ ଓ କେତେ ଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି ସେ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।