କଟକରେ ମାଟିରେ ମିଶାଗଲା ୧୦ଟି ମନ୍ଦିର; ବଡ଼ ଡାକ୍ତରଖାନା ପାଇଁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ

ତ୍ରିନାଥ ମନ୍ଦିର ଉଚ୍ଛେଦ ସମୟରେ ପ୍ରଶାସନକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧର ସାମନା କରିବାକୁ ପଡିଥିଲା । ନିକଟରେ ଥିବା ଏକ ଦରଘାକୁ ସାତ ଦିନର ସମୟ ଦିଆଯାଇଥିବା ବେଳେ ମନ୍ଦିର ଉଚ୍ଛେଦ ପାଇଁ ସମୟ ଦିଆଯାଇ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।

କଟକରେ ମାଟିରେ ମିଶାଗଲା ୧୦ଟି ମନ୍ଦିର; ବଡ଼ ଡାକ୍ତରଖାନା ପାଇଁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ
କଟକରେ ଏକ ମନ୍ଦିରକୁ ଧୂଳିସାତ କରାଯାଉଛି ।
  • News18 Odia
  • Last Updated: February 12, 2020, 5:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏସ.ସି.ବି. ହସ୍ପିଟାଲର ନବନିର୍ମାଣ ପାଇଁ କଟକରେ ଆରମ୍ଭ ହୋଇଛି ବ୍ୟାପକ ଉଚ୍ଛେଦ କାର୍ଯ୍ୟ । ଏହି କ୍ରମରେ ଆଜି ପ୍ରଥମ ଦିନରେ ଦଶଟି ମନ୍ଦିର ସହ ଚ଼ାରିଟି କ୍ଲବକୁ ଭଙ୍ଗାଯାଇଛି । ତେବେ ଏହି ଉଚ୍ଛେଦ ସମୟରେ ପ୍ରଶାସନ ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ ।

ଆଖି ସାମନାରେ ନିଜ ଆରାଧ୍ୟ ଦେବାଦେବୀଙ୍କ ମନ୍ଦିର ଉଚ୍ଛେଦ ଦୃଶ୍ୟକୁ ଦେଖିବା ପରେ କୋହ ସମ୍ଭରଣ କରି ପାରିନଥିଲେ ଲୋକେ । ଉଚ୍ଛେଦ ପୂର୍ବରୁ ଦିଅଁଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ସତ, କିନ୍ତୁ ମନ୍ଦିର ପ୍ରତି ଥିବା ବର୍ଷ ବର୍ଷର ଭକ୍ତି ଓ ମୋହ ଉଚ୍ଛେଦ ସମୟ ଲୋକଙ୍କୁ କଷ୍ଟ ଦେଇଥିଲା । କି ମହିଳା କି ପୁରୁଷ, ଲୁହ ସମସ୍ତଙ୍କ ଆଖିରୁ ଝରୁଥିଲା ।

“ଏହି ମନ୍ଦିରରେ ଆମ ସାହିର ସବୁ ଝିଅ ବୋହୁ ପ୍ରତିଟି ଓଷା ଓ ପର୍ବପର୍ବାଣୀରେ ପୂଜାର୍ଚ୍ଚନା କରୁଥିଲେ । ମନ୍ଦିର ଭାଙ୍ଗିବା ପରେ ଆମେ ବହୁତ କଷ୍ଟ ଅନୁଭବ କରୁଛୁ । ମନ୍ଦିରର ଦିଅଁଙ୍କୁ ବି ବାହାର କରିହେଲା ନାହିଁ । ମନ୍ଦିର ସହିତ ଦିଅଁ ବି ଚ଼ାଲିଗଲେ,” କହିଛନ୍ତି ରାଣୀହାଟ ମଙ୍ଗଳାବସ୍ତି ବାସିନ୍ଦା ଆରତୀ ଦାସ ।

ଉଚ୍ଛେଦ ପାଇଁ ପ୍ରଶାସନ ପୂର୍ବରୁ ସୂଚ଼ନା ଦେଇସାରିଥିବା ବେଳେ ଆଜି ସକାଳ ୮ରୁ ଆରମ୍ଭ ହୋଇଥିଲା କାର୍ଯ୍ୟ । ରାଣୀହାଟ ମୋଚ଼ିସାହିରେ ଥିବା ତ୍ରିନାଥ ମନ୍ଦିରରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଯୋବ୍ରା ପି.ଡବ୍ଲୁ.ଡି. କଲୋନୀରେ ଥିବା ମଙ୍ଗଳା ମନ୍ଦିର ଉଚ୍ଛେଦ ସହ ଶେଷ ହୋଇଥିଲା । ତାଳଦଣ୍ଡା କେନାଲ ପାର୍ଶ୍ବରେ ଥିବା ମନ୍ଦିରଗୁଡ଼ିକ ସହ ମୋଟ ୧୦ଟି ମନ୍ଦିର ଓ ଚ଼ାରିଟି କ୍ଲବ ଉଚ୍ଛେଦ କରାଯାଇଥିଲା ।

ଗୋଟେ ମନ୍ଦିରକୁ ଭଙ୍ଗାଯାଉଥିବା ବେଳେ ଲୋକଙ୍କ ଆଖିରୁ ଝରିଥିଲା ଲୁହ ।


ଯୋବ୍ରା ପି.ଡବ୍ଲୁ.ଡି. କଲୋନୀର ତ୍ରିନାଥ ମନ୍ଦିର ଉଚ୍ଛେଦ ସମୟରେ ପ୍ରଶାସନକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧର ସାମନା କରିବାକୁ ପଡିଥିଲା । ନିକଟରେ ଥିବା ଏକ ଦରଘାକୁ ସାତ ଦିନର ସମୟ ଦିଆଯାଇଥିବା ବେଳେ ମନ୍ଦିର ଉଚ୍ଛେଦ ପାଇଁ ସମୟ ଦିଆଯାଇ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ପୋଲିସ ସହ ସ୍ଥାନୀୟ ବାସିନ୍ଦାଙ୍କ ଯୁକ୍ତିତର୍କ ମଧ୍ୟ ହୋଇଥିଲା । କିନ୍ତୁ ପ୍ରାଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ନରମି ଥିଲେ ଲୋକେ ।

“ମନ୍ଦିର ସହିତ ଲୋକଙ୍କ ଭାବାବେଗ ଜଡିତ ଥିବାରୁ ଲୋକେ କିଛି ସମୟ ପାଇଁ ଅବୁଝା ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନର ଆଲୋଚନା ପରେ ସେମାନେ ସ୍ବଇଚ୍ଛାରେ ଠାକୁରଙ୍କ ମୁର୍ତ୍ତିକୁ ସ୍ଥାନାନ୍ତର କରିଥିଲେ । ବାକି ରହିଯାଇଥିବା ଦରଘାକୁ ମଧ୍ୟ ପରେ ଭଙ୍ଗାଯିବ,’’ କହିଛନ୍ତି କଟକର ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ।

ଉଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ସେହି ସ୍ଥାନ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ । “ଆଜି ଦଶଟି ମନ୍ଦିର ଓ ଚ଼ାରିଟି କ୍ଲବ ଘରକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସମୟରେ ସ୍ଥାନୀୟ ଲୋକମାନଙ୍କର ସହଯୋଗ ରହିଥିଲା । ଆଜି ସୁଦ୍ଧା ଉଚ୍ଛେଦ ହୋଇଥିବା ମନ୍ଦିର କମିଟିଗୁଡିକୁ ରାଜ୍ୟ ସରକାରଙ୍କ ପ୍ୟାକେଜ ମୁତବାକ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଛି,” କହିଛନ୍ତି ସାମଲ ।
First published: February 12, 2020, 5:13 PM IST
corona virus btn
corona virus btn
Loading