ଗଞ୍ଜାମରେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଜଳିଗଲା ବସ୍‌; ୧୦ ମୃତ, ୪୦ ଆହତ, ୧୨ ଗୁରୁତର

ବସ୍‌ରେ ଥିବା ଯାତ୍ରୀମାନେ ଏକ ବିବାହ ନିର୍ବନ୍ଧରେ ଯୋଗ ଦେବାକୁ ଯାଉଥିଲେ । ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ସମସ୍ତେ ଯୋଗ ଦେଇଥାଆନ୍ତେ ଶୁଭ କାର୍ଯ୍ୟରେ । ହେଲେ ନିୟତିର ନିୟମ ଥିଲା ଭିନ୍ନ । ସ୍ଥାନୀୟ ଲୋକେ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ।

ଗଞ୍ଜାମରେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଜଳିଗଲା ବସ୍‌; ୧୦ ମୃତ, ୪୦ ଆହତ, ୧୨ ଗୁରୁତର
ବସର ଗେଟରେ ନିଆଁ ଲାଗିଯାଇଥିଲା, ଫଳରେ ଲୋକେ ହଠାତ୍‌ ବାହାରି ପାରିନଥିଲେ ।
  • News18 Odia
  • Last Updated: February 9, 2020, 10:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବିଜୁଳି ବିଭାଗ ଓ ବସ୍‌ ଡ୍ରାଇଭରଙ୍କ ଅସାବଧାନତା ହେତୁ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗଞ୍ଜାମରେ ଜଳିଯାଇଛି 'ସିଲ୍‌କ ସିଟି' ନାମକ ଏକ ବସ୍‌ । ସେଥିରେ ଥିବା ପାଖାପାଖି ୫୦ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୪୦ ଜଣ ଆହତ ହୋଇଛନ୍ତି ।

ଆହତମାନଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଜିଲ୍ଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆମ୍ବୁଲାନ୍ସରେ ଓ ନିଜ ଗାଡ଼ିରେ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା ଉପଜିଲ୍ଲାପାଳ ।

ଏହି ଦୁର୍ଘଟଣା ଆଜି ମଧ୍ୟାନ୍ନରେ ବ୍ରହ୍ମପୁରର ଗୋଳନ୍ଥରା ମେଣ୍ଡରାଜପୁର ଗାଁରେ ଘଟିଛି । ବସଟି ଡଙ୍କଲପାଟୁରୁ ଚ଼ିକରଡ଼ାକୁ ଯାଉଥିବା ବେଳେ ଏକ ନୁଆଁଣିଆ ୧୧ କେଭି ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା ।

ବସ୍‌ରେ ଥିବା ଯାତ୍ରୀମାନେ ଏକ ବିବାହ ନିର୍ବନ୍ଧରେ ଯୋଗ ଦେବାକୁ ଯାଉଥିଲେ । ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ସମସ୍ତେ ଯୋଗ ଦେଇଥାଆନ୍ତେ ଶୁଭ କାର୍ଯ୍ୟରେ । ବସ୍‌ ଭିତରେ ହସଖୁସି ମଜି ଯାଇଥିଲେ ସମସ୍ତେ । ନିର୍ବନ୍ଧ ହେବ, ଆଗକୁ ଅଛି ବାହାଘର । କେତେ କ’ଣ ଯୋଜନା । ହେଲେ ନିୟତିର ନିୟମ ଥିଲା ନିଷ୍ଠୁର ।

ମୃତକମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ ମହିଳା । ନଅ ଜଣ ମୃତକ ହେଲେ ସନ୍ତୋଶୀନୀ ସାହୁ, ବି. କନକାମ୍ମା, ବି. ତାରିଣୀ, ବି. ରାମେୟା, ବି. ଆଚୁଲୁ, ସି.ଏଚ୍‌. କାମରାଜୁ, ବି. ତରଣିଆ, କେ. ସଞ୍ଜୁ ଓ ବି. ମୋହିନୀ ।

ଦୁର୍ଘଟଣାରେ ମୃତ ଓ ଆହତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି ।


ଦୁର୍ଘଟଣା ବେଳେ ବସର ଗେଟରେ ନିଆଁ ଲାଗିଯାଇଥିଲା, ଫଳରେ ଲୋକେ ହଠାତ୍‌ ବାହାରି ପାରିନଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ବସର ଝରକା କାଚ଼ ଭାଙ୍ଗି ସମସ୍ତଙ୍କୁ ବାହାର କରିଥିଲେ। ଦୁର୍ଘଟଣାର ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସ୍‌ପି ଏବଂ ଜିଲ୍ଲାପାଳ ।

ଆହତଙ୍କୁ ଆମ୍ବୁଲାନ୍‌ସ ଏବଂ ପୋଲିସ ଗାଡ଼ିରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ବି ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ସ୍ଥାନୀୟ ଲୋକେ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି । ବାରମ୍ବାର ଅଭିଯୋଗ କରିଥିଲେ ବି ଝୁଲି ପଡ଼ିଥିବା ତାରକୁ ଉପରକୁ ଟେକି ନ ଥିଲା ବିଦ୍ୟୁତ ବିଭାଗ, ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ସେହିପରି ପରିବହନ ମନ୍ତ୍ରୀ ବି ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହ ଏଥି ପାଇଁ ଯିଏ ଦାୟୀ ତାଙ୍କ ବିରୋଧରେ ଖୁବ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ।

ଦୁର୍ଘଟଣା ପରେ ବସ୍‌ ଭିତରର ଦୃଶ୍ୟ


ଏହି ଘଟଣାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ରାଶି ଘୋଷଣା କରିଛନ୍ତି ସେ । ସେହିପରି ସବୁ ଆହତଙ୍କୁ ମାଗଣା ଚ଼ିକିତ୍ସା ଯୋଗାଇ ଦେବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌


କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି ସେ ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌


ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିଦ୍ୟୁତ ବିଭାଗର କାର୍ଯ୍ୟଶୈଳୀ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା ।
First published: February 9, 2020, 10:16 PM IST