News18 Odia Digital
ଅନୁଗୁଳ: ଅନୁଗୁଳରେ ହୁ ହୁ ହୋଇ ବଢ଼ି ଚାଲିଛି ତାପମାତ୍ରା। ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନାହିଁ। ତେଣୁ ଏହାର ପ୍ରଭାବ କେବଳ ମଣିଷ କାହିଁକି ବନ୍ୟଜନ୍ତୁ ଉପରେ ମଧ୍ୟ ପଡୁଛି। ଅନୁଗୁଳ ଜିଲ୍ଲାର ସବୁ ଜଙ୍ଗଲରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖି ଗଲାଣି। ତେଣୁ ପାଣି ପାଇଁ ବନ୍ୟଜନ୍ତୁ ଡ଼ହଳ ବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପନ୍ନ ଦେଖା ଦେଇଛି।
ଆକାଶରୁ ଅଗ୍ନିବର୍ଷା। ତତଲା କଡ଼େଇରେ ସିଝୁଛି ସାରା ଅନୁଗୁଳ। ତାପମାତ୍ରା ୪୪ ଡିଗ୍ରୀ ପାର ହେଲାଣି। ଅସ୍ତବ୍ୟସ୍ତ ହୋଇ ଗଲାଣି ସାଧାରଣ ଜୀବନ। ଏଭଳି ପରିସ୍ଥିତିରେ କେବଳ ମଣିଷ କାହିଁକି ସମସ୍ତ ଜୀବଜନ୍ତୁ ମଧ୍ୟ ଛଟପଟ ହେଉଛନ୍ତି। ଅନୁଗୁଳରେ ଥିବା ଅନୁଗୁଳ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ସମସ୍ତ ଜଙ୍ଗଲରେ ପ୍ରାକୃତିକ ନାଳ ଓ ଜଳାଶୟ ଶୁଖି ଗଲାଣି। ଗଛପତ୍ର ସବୁ ଶୁଖି ଯାଇଛି। ଘଞ୍ଚ ଜଙ୍ଗଲରେ ମଧ୍ୟ ଛାଇ ଟିକେ ଖୋଜିବାକୁ ପଡୁଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡ଼ିଛି। ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସାଙ୍ଗକୁ ପାଣି ଅଭାବ ସେମାନଙ୍କ ଜୀବନ ପ୍ରତି ବିପନ୍ନ ଦେଖାଦେଇଛି। ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ତାପମାତ୍ରା ଆହୁରି ବଢ଼ି ଯାଇଛି।

ତତଲା କଡ଼େଇରେ ସିଝୁଛି ସାରା ଅନୁଗୁଳ
ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ସେମାନେ ଇତସ୍ତତଃ ହୋଇ ପଡ଼ିଛନ୍ତି। ଖାଦ୍ୟ ଓ ପାଣି ଖୋଜିବାକୁ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହୋଇ ପଡ଼ିଛନ୍ତି। ଫଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଗତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି କିଛି ବର୍ଷା ହୋଇଥିଲା। ତେଣୁ ଜଙ୍ଗଲ ଭିତରେ ଏତେଟା ଜଳ ସଙ୍କଟ ଦେଖା ଦେଇ ନଥିଲା। ହେଲେ ଚଳିତ ବର୍ଷ ଆକାଶରୁ ଟୋପାଏ ପାଣି ପଡ଼ିନି। ଆଗକୁ କଣ ହେବ ତାହା କହିବା ମୁସ୍କିଲ। ଅନୁଗୁଳରେ ପ୍ରତିବର୍ଷ ହାରାହାରି ତାପମାତ୍ରା ବଢ଼ି ଚାଲିଛି। ତେଣୁ ଜଳାଭାଵ ଉତ୍କଟ ହେବାରେ ଲାଗିଛି। ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ହେଉଛି।
ତେଣୁ ପ୍ରାକୃତିକ ନାଳ ଗୁଡିକ ମାଟି ପୋତି ହୋଇ ଯାଉଛି। ଫଳରେ ବର୍ଷା ନହେଲେ ଫେବୃଆରୀ ମାସରୁ ହିଁ ପାଣି ଶୁଖି ଯାଉଛି। ବନ ବିଭାଗ ତରଫରୁ ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ଛୋଟ ଛୋଟ ଜଳାଶୟ ଖୋଳିବାର ଆବଶ୍ୟକତା ରହିଛି। ଏହାଛଡ଼ା ଚଳିତ ବର୍ଷ ଯେଉଁ ଭଳି ଭାବେ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇ ଯାଇଛି ଅସ୍ଥାୟୀ କୁଣ୍ଡ କରି ସେଥିରେ ପାଣି ଭର୍ତ୍ତି ନକଲେ ବହୁ ଜୀବଜନ୍ତୁ ପାଣି ବିନା ମୃତ୍ୟୁବରଣ କରିବେ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଣିଷ ନିଜ ବୁଦ୍ଧି ବଳରେ ମୁକାବିଲା କରି ପାରୁଛି। କିନ୍ତୁ ଜଙ୍ଗଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ବନ୍ୟଜନ୍ତୁ କିଭଳି ବଞ୍ଚିବେ ତାହା ଚିନ୍ତାର କାରଣ ପାଲଟିଛି। ଏବେ କେବଳ ବର୍ଷା ହିଁ ଏହି ସମସ୍ୟାର ସମାଧାନ କରି ପାରିବ।
ଚଳିତ ବର୍ଷ ଜଙ୍ଗଲ ଗୁଡିକରେ ଯେଉଁ ଭଳି ଭାବେ ଜଳାଭାଵ ଦେଖାଦେଇଛି ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ବନ ବିଭାଗ ତୁରନ୍ତ ବିଭିନ୍ନ ସ୍ଥାନରେ ସିମେଣ୍ଟ କୁଣ୍ଡ ରଖି ନିୟମିତ ପାଣି ଭର୍ତ୍ତି କରିବା ଆବଶ୍ୟକ। ନଚେତ ପାଣି ବିନା ବହୁ ବନ୍ୟଜନ୍ତୁ ମୃତ୍ୟୁବରଣ କରିବା ଆଶଙ୍କା ରହିଛି ବୋଲି ଏମିତି କୁହନ୍ତି ପରିବେଶବିତ ପ୍ରସନ୍ନ ବେହେରା।
“ବିଗତ ବର୍ଷମାନଙ୍କରେ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି କିଛି ବର୍ଷା ହେଉଥିଲା। ଫଳରେ ନାଳ ଓ ପୋଖରୀ ଗୁଡିକରେ ପାଣି ରହୁଥିଲା। କିନ୍ତୁ ଚଳିତ ବର୍ଷ ଆଦୌ ବର୍ଷା ହୋଇ ନାହିଁ। ଅନ୍ୟ ପକ୍ଷରେ ତାପମାତ୍ରା ଅଧିକ ୩ ରୁ ୪ ଡିଗ୍ରୀ ବଢ଼ି ଯାଇଛି। ତେଣୁ ଜଙ୍ଗଲ ଗୁଡିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ପାଇଁ ବନ୍ୟଜନ୍ତୁ ଗାଁ ଆଡକୁ ଚାଲି ଆସୁଛନ୍ତି। ତେଣୁ ଶିକାରୀ ହାବୁଡ଼ରେ ପଡିବା ଭୟ ରହିଛି,’’ କହିଛନ୍ତି ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଦିନେଶ ଦେହୁରୀ।
“ପ୍ରତି ବର୍ଷ ଜଳବାୟୁରେ ପରିବର୍ତ୍ତନ ହେଉଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଜଙ୍ଗଲ ଭିତରେ ପର୍ଯ୍ୟାପ୍ତ ପୋଖରୀ ଖୋଳିବାର ଆବଶ୍ୟକତା ରହିଛି। ଯେଉଁଠି ପୋଖରୀ ଶୁଖି ଯାଉଛି ସେଠାରେ ଟ୍ୟାଙ୍କର ଯୋଗେ ପାଣି ଭର୍ତ୍ତି କରିବା ଦରକାର। ଯେମିତି ହେଲେ ପ୍ରବଳ ଗ୍ରୀଷ୍ମପ୍ରବାହରୁ ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା କରିବାକୁ ପଦକ୍ଷେପ ନେବା ଆବଶ୍ୟକ,“ କୁହିଛନ୍ତି ଜୀବଜନ୍ତୁ କଲ୍ୟାଣ ସମିତିର ରାଜ୍ୟ ସମ୍ପାଦକ ରବୀନ୍ଦ୍ର ପ୍ରଧାନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।