ଲକଡାଉନରେ ଖରାର ମାଡ଼: ଓଡ଼ିଶାରେ ପାରଦ ଛୁଇଁଲା ୪୦ ଡିଗ୍ରୀ; ଆଗକୁ ଆହୁରି ବଢିବ ଖରା

ଓଡ଼ିଶାର ଅଧିକାଂଶ ସ୍ଥାନ ମୁଣ୍ଡଫଟା ଖରାରେ ସିଝୁଛି । ଆସନ୍ତା ଦୁଇ ଦିନରେ ତାପମାତ୍ରା ଆହୁରି ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଲକଡାଉନରେ ଖରାର ମାଡ଼: ଓଡ଼ିଶାରେ ପାରଦ ଛୁଇଁଲା ୪୦ ଡିଗ୍ରୀ; ଆଗକୁ ଆହୁରି ବଢିବ ଖରା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବଢ଼ିବାରେ ଲାଗିଛି ତାପମାତ୍ରା । ଏବେ ଠୁ ପାରଦ ଛୁଇଁଲାଣି ୪୦ ଡିଗ୍ରୀ ସେଲସିଅସ୍‌ । କରୋନା ଭାଇରସ ଯୋଗୁଁ ଜାରି ଥିବା ଲକଡାଉନ୍‌ ହେତୁ ଲୋକେ ଘରୁ ବାହାରୁ ନ ଥିବା ବେଳେ ମୁଣ୍ଡଫଟା ଖରାରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଲୋକ ସନ୍ତୁଳି ହେଉଛନ୍ତି ।

ଓଡ଼ିଶାର ଅଧିକାଂଶ ସ୍ଥାନ ମୁଣ୍ଡଫଟା ଖରାରେ ସିଝୁଛି । ଆସନ୍ତା ଦୁଇ ଦିନରେ ତାପମାତ୍ରା ଆହୁରି ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଏପ୍ରିଲ ପହିଲା ଦିନ ପାରଦ ଛୁଇଁଥିଲା ୪୦ ଡିଗ୍ରୀ । ପାରଳାଖେମୁଣ୍ଡିରେ ସର୍ବାଧିକ ୪୦ ଡିଗ୍ରୀ ହୋଇଥିବାବେଳେ ଅନୁଗୁଳରେ ୩୯.୭ ଡିଗ୍ରୀ, ବାରିପଦା ଓ ଟିଟିଲାଗଡ଼ ରେ ୩୯ ଡିଗ୍ରୀ, ବଲାଙ୍ଗୀର ଓ ବୌଦ୍ଧରେ ୩୮.୩ ଡିଗ୍ରୀ ଆଉ କଟକ ଓ ଭୁବନେଶ୍ୱର ରେ ପାରଦ ୩୭.୮ ଡିଗ୍ରୀ ଛୁଇଁଥିଲା ।

‘‘ଆସନ୍ତା ଦୁଇ ଦିନରେ ତାପମାତ୍ରା ଆଉରି ବଢିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଓ ତା ଠାରୁ ଉପରକୁ ଯାଇପାରେ,’’ କହିଛନ୍ତି ପାଣିପାଗ ନିର୍ଦେଶକ ଏଚ ଆର ବିଶ୍ୱାସ ।

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ପ୍ରାୟ ୧୦ ଦିନ ହେବ ଲକଡାଉନରେ ଅଛି ସାରା ରାଜ୍ୟ । ରାଜଧାନୀ ଭୁବନେଶ୍ୱରରେ ବି ରହିଛି ସମାନ ଚିତ୍ର । ଘରୁ ଲୋକେ ବାହାରୁନାହାନ୍ତି । ଫଳରେ ଖରାର ପ୍ରଭାବ ଏତେଟା ଅନୁଭବ କରିନାହାନ୍ତି ସେମାନେ । ହେଲେ ଏ ମୁଣ୍ଡଫଟା ଖରାରେ ଅନବରତ ସେବା ଯୋଗାଇ ଚାଲିଛନ୍ତି ପୋଲିସ କର୍ମଚାରୀ ଓ ଅଧିକାରୀମାନେ ।

ଅଗ୍ନିଶମ ବିଭାଗ ଏ ଖରାରେ ରାସ୍ତା ଘାଟ ବିଶୋଧନ କରୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଲୋକେ ବି ଖରାରେ ସନ୍ତୁଳି ଅଣାୟତ ହୋଇପଡିଲେଣି । ତେବେ ଏଭଳି ପରିସ୍ଥିତିରେ ଖରା ହେଉ କି ବର୍ଷା, କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ସେମାନେ ।

‘‘ଏଭଳି ଘଡ଼ିସନ୍ଧି ପରିସ୍ଥିତିରେ ଆମକୁ ଖରା ବର୍ଷାରେ ସେବା ଯୋଗାଉଥିବା ପୋଲିସ ଭାଇମାନଙ୍କୁ ପାଣି ପିଆଇବା ପାଇଁ ଆମେ ସ୍ଥିର କରିଛୁ । ସେଇଥି ପାଇଁ ସହର ସାରା ବୁଲି ପାଣି ଓ ଖାଦ୍ୟ ପୁଡ଼ିଆ ବାଣ୍ଟୁଛୁ,’’ କହିଛନ୍ତି ସ୍ବେଚ୍ଛାସେବୀ ସୁଧାଂଶୁ କୁମାର ପଣ୍ଡା ।

ଗାଙ୍ଗଟକ୍‌ ଓ ପଶ୍ଚିମ ବଙ୍ଗର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ରହିଥିବା ବେଳେ ଆସନ୍ତା ୩ ତାରିଖ ଅପରାହ୍ଣରୁ ବର୍ଷା ହେବାର ସମ୍ଭାବନା ବି ରହିଛି। ଫଳରେ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
First published: April 2, 2020, 5:19 PM IST
corona virus btn
corona virus btn
Loading