News18 Odia Digital
ବ୍ରହ୍ମପୁର: ଆଜି ଠାରୁ ଅନ୍ଧକାର ହେବ ବ୍ରହ୍ମପୁର ସହର । ଦୀର୍ଘ ବର୍ଷ ଧରି ବିଦ୍ୟୁତ୍ ବିଲ୍ ବକେୟା ରହିଥିବା ଯୋଗୁଁ ସହରରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିବା ନିମନ୍ତେ ନିଷ୍ପତ୍ତି ନେଇଛି ଟାଟା ପାୱାର୍ । ବିଦ୍ୟୁତ୍ ବିଲ୍ ବାବଦରେ ବ୍ରହ୍ମପୁର ମହାନଗର ନିଗମ ବକେୟା ରହିଛି ୭ କୋଟି ୬୫ ଲକ୍ଷ ଟଙ୍କା । ଏତେ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରହିଥିବା ବେଳେ ବାରମ୍ବାର ଟାଟା ପାୱାର ପକ୍ଷରୁ ବି.ଏମ.ସି.କୁ ନୋଟିସ୍ ଜାରି ହୋଇଥିଲା । ହେଲେ କୌଣସି ସୁଫଳ ପାଇପାରିନଥିଲା ଟାଟା ପାୱାର ।
ଏଥି ପାଇଁ ଚଳିତ ମାସ ୨ ତାରିଖରେ ବି.ଏମ.ସି.କୁ ପୁଣି ଆଉ ଏକ ନୋଟିସ ଜାରି କରିଥିଲା ଟାଟା ପାୱାର । ୧୫ ଦିନ ଅର୍ଥାତ୍ ୧୭ ତାରିଖ ମଧ୍ୟରେ ଯଦି ବିଦ୍ୟୁତ୍ ବିଲ୍ ପୈଠ କରାନଯାଏ ତେବେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯିବ । ଯାହା ଦ୍ବାରା ସହରର ସମସ୍ତ ଷ୍ଟ୍ରିଟ୍ ଲାଇଟ୍ରୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବ ଟାଟା ପାୱାର । ଏଭଳି ଖବର ସହରରେ ପ୍ରଚାରିତ ହେବା ପରେ ସହରବାସୀ ବି.ଏମ.ସି.ର ବକେୟା ବିଲକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବି.ଏମ.ସି. ଯୋଗୁଁ ସହର ଅନ୍ଧାର ହେବାକୁ ଯାଉଛି ବୋଲି ବ୍ରହ୍ମପୁର ବାସିନ୍ଦା କହିଛନ୍ତି ।
ସେପଟେ ବକେୟା ବିଲକୁ ନେଇ ବୁଝାମଣା ଚାଲୁ ରହିଥିବା ବେଳେ ବିଦ୍ୟୁତ୍ ସରବରାହ ସହରରୁ ବିଚ୍ଛିନ୍ନ ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

BMC ବିଲ୍ ପୈଠ ନକଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିବ Tata
ଏଭଳି ଖବର ସହରରେ ପ୍ରଚାର ହେବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କାରଣ ସହରବାସୀ ପାଣି କର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର କର ବି.ଏମ.ସି.କୁ ପ୍ରଦାନ କରୁଛନ୍ତି । ତଥାପି ମଧ୍ୟ ବି.ଏମ.ସି. କେଉଁ କାରଣ ଯୋଗୁଁ ଏତେ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରଖିଛି ବୋଲି ପ୍ରଶ୍ନ କରିଛନ୍ତି ବ୍ରହ୍ମପୁର ବାସିନ୍ଦା ପୀତବାସ ପଣ୍ଡା ।
ଏହା ବ୍ୟତୀତ ଚଳିତ ବର୍ଷ ମାର୍ଚ୍ଚ ପୂର୍ବରୁ ନିଗମ ଉପରେ ପ୍ରାୟ ୧୬ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ରହିଥିଲା । ଚଳିତ ବର୍ଷ ସିଟି ସର୍କଲ, ବିଇଡ଼ି-୧ ଓ ବିଇଡ଼ି-୨ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ବିଦ୍ୟୁତ୍ ବିଲ୍ ବାବଦରେ ବି.ଏମ.ସି.କୁ ନୋଟିସ୍ ପ୍ରଦାନ କରାଯାଉଥିଲା । ଏଥିରେ ପୂର୍ବ ବକେୟା ବିଲ୍ ରହିଥିବା ଯୋଗୁଁ ବି.ଏମ.ସି. ନିଜର ଅକ୍ଷମତା ପ୍ରକାଶ କରିବା ସହ ୱାନ୍ ଟାଇମ ସେଟେଲମେଣ୍ଟ କରିବାକୁ ଅନୁରୋଧ କରିଥିଲା ।
‘‘ନିଗମର ଅନୁରୋଧକୁ ରକ୍ଷା କରି ଟାଟା ପାୱାର ପ୍ରାୟ ୮ କୋଟି ୫୫ ଲକ୍ଷ ଟଙ୍କା ଛାଡ଼ କରି ବଳକା ୭ କୋଟି ୬୫ ଲକ୍ଷ ଟଙ୍କା ନିଗମକୁ ପ୍ରଦାନ କରିବା ନେଇ ଚଳିତ ବର୍ଷ ଅଗଷ୍ଟ ୨୨ ତାରିଖଣେ ନିଗମ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିଲା । ଏତେ ଟଙ୍କା ଛାଡ଼ କରିବା ସର୍ତ୍ତ୍ବେ ମଧ୍ୟ ନିଗମ ଯଦି ବକେୟା ବିଲ୍ ପୈଠ ନ କରେ ତେବେ ୧୭ ତାରିଖଠୁ ବିଦ୍ୟୁତ୍ କାଟ ପରେ ଯେଉଁ ସମସ୍ୟା ହେବ ସେଥି ପାଇଁ ବି.ଏମ.ସି. ଦାୟୀ ରହିବ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଅଭୟ ପଣ୍ଡା।
ବ୍ରହ୍ମପୁର ବାସିନ୍ଦା ରାମ ପାତ୍ର କହିଛନ୍ତି, ‘‘ଦୀର୍ଘ ବର୍ଷ ହେଲା ସହରବାସୀ ନିଜର କର ପ୍ରଦାନ କରୁଥିଲେ ସୁଦ୍ଧା ଏତେ ଟଙ୍କାର ବକେୟା ବିଦ୍ୟୁତ୍ ରହିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରାଇଛି। ଯଦି ୧୭ ତାରିଖଠୁ ମଧ୍ୟରେ ବି.ଏମ.ସି. ବକେୟା ବିଲ୍ ପୈଠ ନକରେ ତେବେ ବିଦ୍ୟୁତ୍ ସରବରାହ ବନ୍ଦ ହେବ । ଯାହା ଦ୍ବାରା ସହର ଏକ ପ୍ରକାରର ଅନ୍ଧାର ହୋଇଯିବ । ସହର ଅନ୍ଧାର ହେବା ଫଳରେ ସହରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେବା ସସହ ଚୋରି ଡ଼କାୟତି ମଧ୍ୟ ବଢ଼ିବାର ସମ୍ଭାବନା ରହିଛି । ତେଣୁ ସାଧାରଣ ଲୋକେ ହନ୍ତସନ୍ତ ହେବା ପୂର୍ବରୁ ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରି ଏହାର ସମାଧନ କରନ୍ତୁ ।’’

ବ୍ରହ୍ମପୁର ସହର ହେବ ଅନ୍ଧାର
ଏନେଇ ବିଏମସି କମିଶନର କିଛି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିବା ବେଳେ ଟାଟା ପାୱାର ନିକଟରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଜିଲ୍ଲାପାଳ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।
ବକେୟା ବିଦ୍ୟୁତ୍ ବିଲ୍କୁ ନେଇ ପୂର୍ବରୁ ଟାଟା ପାୱାର ଓ ବି.ଏମ.ସି. ମଧ୍ୟରେ ବୁଝାମଣା ଜାରି ରହିଛି । ବିଦ୍ୟୁତ୍ ବିଲ୍ ଗଣନାକୁ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁ ରହିଛି । ସହରରେ ୧୭ ତାରିଖରୁ ବିଦ୍ୟୁତ୍ କାଟ ହେବ ନାହିଁ । ଏଥି ନେଇ ସହରବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।