News18 Odia Digital
ଭୁବନେଶ୍ବର: ଟାଟା ପାଓ୍ୱାର ନାଁରେ ସାଙ୍ଘାତିକ ଅଭିଯୋଗ । ଗ୍ରାହକଙ୍କୁ ଲୁଟିବା ପାଇଁ ବିଳମ୍ବରେ ଦେଉଛି ବିଲ୍ ଟାଟ ପାଓ୍ୱାର। ୟୁନିଟ ପିଛା ୩ ଟଙ୍କା ବଦଳରେ ନେଉଛି ୫ ଟଙ୍କା ୮୦ ପଇସା । ଏଭଳି ଅଭିଯୋଗ ଆଣିଛନ୍ତି ଖଣ୍ଡଗିରି ଅଞ୍ଚଳର ବାସିନ୍ଦା ପ୍ରତାପ କୁମାର ପୃଷ୍ଠି ।
ଗତ ଜୁନ ୧୫ରେ ବିଜୁଳି ବିଲ୍ ଦେଇଥିଲା ଟାଟା ପାୱାର । ବିଲରେ ୧୬୪ ୟୁନିଟର ବିଲ ବାବଦକୁ ୭୫୦ ଟଙ୍କା ପଇଠ କରିଥିଲେ ପ୍ରତାପ । ହେଲେ ଠିକ ମାସକ ପରେ ବିଲ ନଆସି ଜୁଲାଇ ୨୬ ତାରିଖରେ ଆସିଥିଲା ବିଲ୍ । ଯେଉଁଥିରେ ୨୮୪ ୟୁନିଟ ସେ ବ୍ୟବହାର କରିଥିବା ଦର୍ଶାଯାଇଥିଲା ।
ନିୟମ ଅନୁସାରେ ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସା, ପରବର୍ତ୍ତୀ ୧୫୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା ଓ ୨୦୦ ୟୁନିଟ ପରେ ୟୁନିଟ ପିଛା ୫ ଟଙ୍କା ୫୦ ପଇସା ଦେବାକୁ ପଡ଼େ । ହେଲେ ବିଳମ୍ବରେ ବିଲ ଯୋଗୁଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ହିସାବରେ ଅତିରିକ୍ତ ବିଲ୍ ସହ ମୋଟ ବିଲ ୧,୩୮୪ ଟଙ୍କା ହୋଇଥିଲା ।
କେବଳ ପ୍ରତାପ ନୁହଁନ୍ତି ସାରା ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଏଭଳି ଲୁଟି ଚାଲିଛି ଟାଟା ପାଓ୍ୱାର । ଏନେଇ ଉପଭୋକ୍ତାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି । ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ ଟାଟ ପାଓ୍ୱାର, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଓ ରାଜ୍ୟ ସରକାର ଗୋଟିଏ ଲାଉର ମଞ୍ଜି । ସେ ନିଜେ ଏହାର ଭୁକ୍ତଭୋଗୀ ଓ ଓ ଇ.ଆର.ସି. ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ନଥିଲା ।
କେବଳ ସେତିକି ନୁହେଁ ଯଦି ପୁରୁଣା ମିଟର ଖରାପ ହେଲେ ନୂଆ ମିଟର ଲାଗିଲେ ଛଅ ମାସ ଯାଏ ଗ୍ରାହକଙ୍କୁ ବିଦ୍ୟୁତ ବିଲ ଦେଉନି ଟାଟା ପାଓ୍ୱାର । ଜନତା ଏଭଳି ଲୁଟେରା କମ୍ପାନୀ ବିରୋଧରେ ପ୍ରତିବାଦ କରିବାକୁ ଆହ୍ୱାନ ହେଇଛନ୍ତି ଇପଭୋକ୍ତା ସଂଘ ଆବାହକ ପଞ୍ଚାନନ କାନୁନଗୋ କହିଛନ୍ତି ।
ଖାଉଟିକୁ ଲୁଟୁଛନ୍ତି ରାଜ୍ୟ ସରକାର ଓ ବିଦ୍ୟୁତ ବିତରଣ କମ୍ପାନି । ଖାଲି ଭୁବନେଶ୍ୱର ନୁହେଁ ଟାଟ କମ୍ପାନି ରାଜ୍ୟର ଅନେକ ସ୍ଥାନରେ ବିତରଣ ଦାଇତ୍ୱ ନେଇଛି । ସବୁଠି ଏଭଳି ଅଭିଯୋଗ ହୋଇଛି । ମିଟିର ରିଡିଂର ଧାର୍ଯ୍ୟ ସମୟସୀମା ମଧ୍ୟରେ ରିଡିଂ ନ'ନେଇ ୫ ଦିନରୁ ୧ ମାସ ବିଳମ୍ବରେ ନିଆଯାଉଛି ରିଡିଂ ।
ଏଥି ପାଇଁ ଉପଭୋକ୍ତାଙ୍କୁ ଦେବାକୁ ପଡୁଛି ହଜାର ହଜାର ଟଙ୍କା । ବିଳମ୍ବରେ ମିଟର ରିଡିଂ ନେବା ଫଳରେ ୟୁନିଟ ପିଛି ବଡୁଛି ରେଟ ଯାହାର ସିଧା ଫାଇଦା ପାଉଛି କମ୍ପାନି । ତେବେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି,"ଏଭଳି ଅଭିଯୋଗ ପାଇବା ପରେ ଟାଟା ପାଓ୍ବାର ଓ ଓଇଆରସି ନିକଟରେ ପିଟିସନ ଦାଖଲ କରିଥିଲୁ । କମ୍ପାନି ପ୍ରତିଶୃତି ଦେଇ କହିଥିଲା ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଳମ୍ବରେ ଦିଆଯାଉଥିବା ବିଦ୍ୟୁତ ବିଲର ସ୍ଲାବ ରହିଛି ପରିବର୍ତ୍ତୀ ମାସରେ ଆଡଜଷ୍ଟ କରାଯିବ ।’’
ବିଭିନ୍ନ ସମୟରେ ଅଜାଣତରେ ହଜାର ହଜାର ଟଙ୍କା ବିଦ୍ୟୁତ ବିଲ ଦେଉଛନ୍ତି ଗ୍ରହକ । ତେବେ ଏନେଇ ସରକାର ନିରବ ବସିଥିବା ବେଳେ ମାଲାମାଲ୍ ହେଉଛି ଟାଟ ପାଓ୍ୱାର । ତେବେ ଏନେଇ ଟାଟା ପାଓ୍ୱାର ସହ ଯୋଗାଯୋଗ କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।