ଜଙ୍ଗଲରେ ନିଆଁ: BJP କହିଲା ‘ସରକାର ଲିଭେଇ ଦେଇଛୁ ବୋଲି କହୁଛନ୍ତି, ହେଲେ ବାସ୍ତବ ସ୍ଥିତି ଅଲଗା’

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଏ ବର୍ଷ ନିଆଁ ଅଧିକ ହୋଇଥିବାରୁ ତାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛି ଓ ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ଏହା ନଅ-ଜଣିଆ ଟାସ୍କ ଫୋର୍ସ ଗଠନ କରିଛି ।

ଜଙ୍ଗଲରେ ନିଆଁ: BJP କହିଲା ‘ସରକାର ଲିଭେଇ ଦେଇଛୁ ବୋଲି କହୁଛନ୍ତି, ହେଲେ ବାସ୍ତବ ସ୍ଥିତି ଅଲଗା’
ମନ୍ତ୍ରୀ କହିଛନ୍ତି ଯେ ଶିମିଳିପାଳରେ ୧,୪୦୦ ପଏଣ୍ଟରେ ନିଆଁ ଲାଗିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ଜଳୁଥିଲା ବେଳେ ତାକୁ ନେଇ ସରଗରମ ହୋଇଛି ରାଜନୀତି । ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ସୋମବାର ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଘଟଣା ଉପରେ ଉଦବେଗ ପ୍ରକାଶ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ବେବାକୁ ଦାବି କରିଛି । ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ରାଜ୍ୟରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟପାକ ବ୍ୟବସ୍ଥା ହାତକୁ ନିଆଯାଇଛି ।

ଆରୁଖ କହିଛନ୍ତି ଯେ ଫେବୃଆରୀ ୧୫ରୁ ଜୁନ୍‌ ୧୫ ଯାଏଁ ଅଗ୍ନି ଋତୁ ଭାବେ ବିବେଚନା କରାଯାଏ ଓ ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ରାଜ୍ୟର ବିସ୍ତୀର୍ଣ୍ଣ ଅଞ୍ଚଳର ଜଙ୍ଗଲ ଜଳୁଥିଲା ବେଳେ ଏହାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିବା ସହ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଦାବି କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

‘‘ଶିମିଳିପାଳର ସଂରକ୍ଷିତ ଜୀବ ମଣ୍ଡଳ ଜଳୁଛି । ତଥ୍ୟ ଅନୁସାରେ ୯୧୯ଟି ଘଞ୍ଚ ଜଙ୍ଗଲରେ ଏବେ ନିଆଁ ଲାଗିଛି । ତା’ଛଡ଼ା ମାର୍ଚ୍ଚରେ ପ୍ରକାଶିତ ଏଫଏସଆଇର ସଦ୍ୟତମ ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା କୁହାଯାଇଛି । ସରକାର କହୁଛନ୍ତି ଲିଭେଇ ଦେଇଛୁ, କିନ୍ତୁ ବାସ୍ଥବ ସ୍ଥିତି ଅଲଗା,’’ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି ।

ବିଜେପିର ପ୍ରତିନିଧି ମଣ୍ଡଳ ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର ଦେଉଛି ।


କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ବିଧାୟକ ଦଳ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କୁ ବିଧାୟକ ଦଳର ଏକ ଟିମ୍‌ ଭେଟିବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ମାଝିଙ୍କ ସହ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ଓ ବିଧାୟକ ପ୍ରକାଶ ସୋରେନଙ୍କୁ ନେଇ ଗଠିତ ଏକ ଟିମ୍‌ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲା । ରାଜ୍ୟରେ ଜଙ୍ଗଲ ନିଆଁ ଲିଭାଇବାକୁ ପଦକ୍ଷେପ ନେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।

ଏହା ବି ପଢ଼ନ୍ତୁ | ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ,୦୦୦ ଟଙ୍କା ମିଳିବ, କହିଲା DMK

‘‘କେନ୍ଦ୍ର ସରକାର ଓଡ଼ିଶାକୁ ବହୁ ଅର୍ଥ ଦେଉଛନ୍ତି ଜୀବ ମଣ୍ଡଳର ସୁରକ୍ଷା ପାଇଁ । ହେଲେ ରାଜ୍ୟ ସରକାର ତା’ର ଠିକ୍ ଭାବେ ବିନିଯୋଗ କରି ପାରୁ ନାହାନ୍ତି । ଏ ପ୍ରସଙ୍ଗକୁ ଆସନ୍ତା ୧୨ ତାରିଖରେ ବିଧାନ ସଭାରେ ଦଳ ଏକ ଗୁରୁତ୍ୱପୁର୍ଣ ପ୍ରସଙ୍ଗ ଭାବେ ଉଠାଇବ । ଦଳର ତିନିଟି ଟିମ୍ ତିନିଟି ଜୋନକୁ ପରିଦର୍ଶନ କରିବ,’’ କହିଛନ୍ତି ମାଝି ।

ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ‘‘ସାଧାରଣ ଭାବରେ ଫେବୃଆରୀ ୧୫ରୁ ଜୁନ ୧୫ ଯାଏଁ  ସମୟକୁ ଅଗ୍ନି ଋତୁ ଭାବେ ବିବେଚନା କରାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଏ ବର୍ଷ ନିଆଁ ଅଧିକ ହୋଇଥିବାରୁ ତାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି । ଶିମିଳିପାଳରେ ୧,୪୦୦ ପଏଣ୍ଟରେ ନିଆଁ ଲାଗିଥିଲା । ତାକୁ ଆୟତ୍ତ କରିବା ପାଇଁ ୧,୧୭୫ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି ।’’

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

ମନ୍ତ୍ରୀ କହିଛନ୍ତି ଯେ ମୋ’ଟ ୩,୫୯୧ କିଲୋମିଟର ଫାୟାର ଲାଇନ ତିଆରି କରାଯାଇଛି ଓ ସାତ ଜଣ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ୪୦ଟି ଗାଡି଼କୁ ନିୟୋଜିତ କରାଯାଇଛି ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଆହୁରି ଖସିଲା; ୧୨,୦୦୦ ଟଙ୍କା ଶସ୍ତା ହେଲା ସୁନା; କିଣିବାର ଭଲ ସମୟ

‘‘ରାଜ୍ୟରେ ଯେଉଁ ନିଆଁ ଲାଗିଛି ତାକୁ ଅନୁଧ୍ୟାନ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ଏହା ନଅ-ଜଣିଆ ଟାସ୍କ ଫୋର୍ସ । ଅତି ଆଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇପାରିବ ଓ ନିଆଁ ଲାଗିବାର କାରଣ ଖୋଜିବ ଏହି ଟାସ୍କ ଫୋର୍ସ । ଜୈବ ବିବିଧତା ଓ ପ୍ରାଣୀଙ୍କ କ୍ଷତି ବିଷୟରେ ଅନୁଧ୍ୟାନ କରି ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୋ’ଟ ଉପରେ ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ । ସମସ୍ତେ ଠିକ୍‌ ଅଛନ୍ତି । ସରକାର ସଚେତନ ଅଛନ୍ତି । କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛନ୍ତି । ବିରୋଧୀ ଦଳଙ୍କ ଅଭିଯୋଗ ଭିତିହୀନ,’’ କହିଛନ୍ତି ଆରୁଖ ।



ଏହି ପ୍ରସଙ୍ଗ ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ନେଇ ରାଜନୀତି କରିବା ବଦଳରେ ସମାଧାନ ଉଦ୍ୟମ କରାଯିବା ଉଚିତ ବୋଲି ମତ ରଖିଛନ୍ତି ପରିବେଶବିତମାନେ ।
Published by: Anand Shankar Thankur Das
First published: March 8, 2021, 7:32 PM IST