News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଜବତ ୧ କୋଟି ଟଙ୍କାର କୋକେନକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ୨୦୨୩ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବ୍ଲୁପ୍ରିଣ୍ଟ ତିଆରି କରୁଥିଲେ ଗିରଫ ଦୁଇ ମାଫିଆ। ଟାର୍ଗେଟରେ ଥିଲେ ବିଦେଶୀ ଖେଳପ୍ରେମୀ। ପ୍ରାଥମିକ ତଦନ୍ତରୁ ଏସଟିଏଫ ଜାଣିବାକୁ ପାଇଛି ଜବତ କୋକେନ୍ ଦିଲ୍ଲୀ ଆଣିଥିଲା ମାଷ୍ଟରମାଇଣ୍ଡ ରବି। ଭୁବନେଶ୍ୱରରେ ସନ୍ନିର ସହଯୋଗରେ ବେପାର କରିବା ପାଇଁ ଯୋଜନା ହୋଇଥିଲା। ତେଣୁ ଅଧିକ ତଦନ୍ତ ପାଇଁ ଭଭୟଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଜବତ କୋକେନର ମୂଲ୍ୟ କୋଟିଏ ଟଙ୍କ ହେବ ଓ ଏହା ସାଉଥ ଆଫ୍ରିକାର କୋକେନ୍। ଦେଶର ରାଜଧାନୀ ଦିଲ୍ଲୀ ଦେଇ ଦକ୍ଷିଣ ଆଫ୍ରିକାରୁ ଭୁବନେଶ୍ୱର ଆସିଥିଲା ଜବତ କୋକେନ୍। ଯାହାର ଆନ୍ତର୍ଜାତୀୟ ସିଣ୍ଡିକେଟ ଲିଙ୍କ ଥିବା ସ୍ପଷ୍ଟ ହୋଇଛି। କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡ଼ିଥିବା ଦୁଇ କୋକେନ୍ ସ୍ମଗଲର ରବି ସିଂ ଓ ସନ୍ନି କୁମାରଙ୍କୁ ନେଇ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ।
ଏସଟିଏଫ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଦୁଇ କୋକେନ୍ ମାଫିଆଙ୍କ ଟାର୍ଗେଟରେ ଥିଲା ୨୦୨୩ ହକି ବିଶ୍ୱକପ। ଫୋକସରେ ଥିଲେ ବିଦେଶୀ ହକି ପ୍ରେମୀ। କୋର୍ଡୱାର୍ଡ ଜରିଆରେ ବିକ୍ରି କରିଥାନ୍ତେ କୋକେନ୍। କୋକେନ୍ ସ୍ମଗଲିଂ ପାଇଁ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ। ଗିରଫ ପରେ ରବି ଠାରୁ ଜବତ ହୋଇଛି ୪୦ ପାଉଣ୍ଡ ସାଉଥ ଆଫ୍ରିକା ନୋଟ। ଦୁଇ ଅଭିଯୁକ୍ତଙ୍କ ସିଡ଼ିଆର ଯାଞ୍ଚ କରିବା ପରେ ଆନ୍ତର୍ଜାତୀୟ ଲିଙ୍କର ସୁରାକ ମିଳିବ।’’
ସେହିପରି ଅଧିକ ତଦନ୍ତ ପାଇଁ ଦୁଇ କୋକେନ୍ ମାଫିଆଙ୍କୁ ରିମାଣ୍ଡରେ ଆଣି ଜେରା କରିବ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ। ଏଥିପାଇଁ କୋର୍ଟରେ ୫ ଦିନ ପାଇଁ ଆବେଦନ କରିଛି ତଦନ୍ତକାରୀ ସଂସ୍ଥା।
ଦୁଇ ମାଫିଆଙ୍କୁ ଜେରା ବେଳେ ଏସଟିଏଫ ଜାଣିବାକୁ ପାଇଛି ଯେ ମାଷ୍ଟରମାଇଣ୍ଡ ରବି ୨୦୧୦ରୁ କୋକେନ୍ ବ୍ୟବସାୟ ଆରମ୍ଭ କରିଛି। ରବିର ରାଜସ୍ଥାନରେ ହୋଟେଲ ବ୍ୟବସାୟ ଥିବାବେଳେ ଦିଲ୍ଲୀରେ ସେ କରିଥିଲା ଟ୍ରାଭେଲ ବ୍ୟବସାୟ। ୨୦୧୦ ଦିଲ୍ଲୀରେ ହୋଇଥିବା କମନୱେଲଥ ଗେମ ବେଳେ କୋକେନ ମାଫିଆଙ୍କ ସହ ଲିଙ୍କରେ ଥିଲା ରବି। ବିଦେଶରୁ ଆସିଥିବା ଖେଳପ୍ରେମିଙ୍କୁ ଦିଲ୍ଲୀରେ ଯୋଗାଉଥିଲା କୋକେନ୍। ଦିଲ୍ଲୀର ତୁର୍କ ମାନଗେଟରେ ରବିର ବିଗବସ ରହୁଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା। ତେଣୁ ଆସନ୍ତାବର୍ଷ ଓଡ଼ିଶାରେ ହକି ମହାକୁମ୍ଭ ଥିବାରୁ ଏବେଠାରୁ ଜାଲ ବିଛେଇବା ଆରମ୍ଭ କରିଥିଲା ରବି। ଆଉ ଭୁବନେଶ୍ୱର ତା'ର ସାଥ ଦେଇଥିଲା ସନ୍ନି। ସନ୍ନି ଭୁବନେଶ୍ୱର ସାଲିଆ ସାହିରେ ରହେ। ମାର୍କେଟ ବିଲିଂଣ୍ଡରେ ଚୁଡ଼ି ବେପାର କରେ।
ପ୍ରକାଶ ଥାଉକି ରାଜଧାନୀରେ କୋକେନ୍ ଜବତ ହେବା ଚିନ୍ତାଜନକ କାରଣ। ରାଜଧାନୀରେ ଗଞ୍ଜେଇ ଓ ବ୍ରାଉନ ସୁଗର ମିଳିବା ନିତିଦିନିଆ ଘଟଣା। ହେଲା ପ୍ରଶ୍ନ ଉଠୁଛି, କାହା ପାଖକୁ ଆସିଥିଲା ଏତେ ପରିମାଣର କୋକେନ୍? ଭୁବନେଶ୍ୱରରେ କାହା ସହି ଡିଲ୍ କରିଥିଲେ ଦୁଇ ମାଫିଆ? ପୂର୍ବରୁ କେତେ ଥର କୋକେନ୍ ଆଣି ବିକ୍ରି କରିଛନ୍ତି କି ଦୁଇ ମାଫିଆ? ଏସଟିଏଫ ସୂଚନା ଅନୁସାରେ ରାଜଧାନୀ ବଡ଼ ବଡ଼ ହୋଟେଲ ଓ ବାର ପାଇଁ ଆସିଥିଲା ଜବତ କୋକେନ୍। ତେଣୁ କେଉଁ ହୋଟେଲ କିମ୍ବା ବାରକୁ ଆସିଥିଲା ଏ ସବୁ ନିଶା ଦ୍ରବ୍ୟ ଜଣା ପଡ଼ିଲେ ସମ୍ପୃକ୍ତ ହୋଟେଲ କିମ୍ବା ବାରରେ ଚଢ଼ାଉ କରାଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।