News18 Odia Digital
ଭୁବନେଶ୍ବର: ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଚିଠିକୁ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା। ଅଲ ଇଣ୍ଡିଆ ଫେଡେରେସନ ଫର ସୋସିଆଲ ଜଷ୍ଟିସ ସଙ୍ଗଠନ ନାଁରେ ଏକାଠି ହେବାକୁ ୩୭ଟି ରାଜନୈତିକ ଦଳ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ଚିଠି ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି।
କେନ୍ଦ୍ର ବିରୋଧରେ ଆଞ୍ଚଳିକ ଦଳ ଏକଜୁଟ ହେବା ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଅନ୍ୟପଟେ ବିଜେଡି କହିଛି ଦଳ ଯାହା ନିଷ୍ପତ୍ତି ନେବ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ବିରୋଧୀ ଏକାଠି ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ବିକଳ୍ପ ରାଜନୈତିକ ଶକ୍ତି ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଏମ.କେ ଷ୍ଟାଲିନ। ଜାତୀୟ ସ୍ତରର ଏହି ରାଜନୀତିକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଆଞ୍ଚଳିକ ଦଳକୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ ହେଲାଣି। ପ୍ରସଙ୍ଗ ଓ ବିକଳ୍ପ ନେତୃତ୍ବ ମୁଖ୍ୟ ଅସ୍ତ୍ର।

ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଚିଠିକୁ ରାଜ୍ୟ ରାଜନୀତିରେ ରୋଚକ ଚର୍ଚ୍ଚା
ଜାତୀୟ ରାଜନୀତିରେ ପୁଣି ଦାନା ବାନ୍ଧୁଛି ନୂଆ ସମୀକରଣ। ୩୭ଟି ଆଞ୍ଚଳିକ ଦଳଙ୍କୁ ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଏମ.କେ ଷ୍ଟାଲିନ ଚିଠି ଲେଖି ସାମାଜିକ ସଙ୍ଗଠନ ଜରିଆରେ ବିକଳ୍ପ ନେତୃତ୍ବ ଗଠନ ପାଇଁ ଆହ୍ବାନ ଦେଇଛନ୍ତି।
ଏଭଳି ସ୍ଥିତି ସୃଷ୍ଟି ହେଲେ ବିଜେଡିର କ'ଣ ରହିବ ଆଭିମୁଖ୍ୟ? ସମଦୂରତା କଥା କହୁଥିବା ନବୀନଙ୍କ ଗୋଟି ଚାଳନା ଉପରେ ସମସ୍ତଙ୍କ ନଜର ରହୁଛି। ଷ୍ଟାଲିନଙ୍କ ଏହି ଚିଠି ପରୋକ୍ଷରେ କେନ୍ଦ୍ରର ବିରୁଦ୍ଧାଚରଣ କରୁଛି। ଏହି ପରୋକ୍ଷ ଗର୍ଜନ ଜାତୀୟ ରାଜନୀତିକୁ ସରଗରମ କରିଛି।
ଏହି ପ୍ରସଙ୍ଗରେ କଂଗ୍ରେସ କହିଛି ଯେ ବର୍ତ୍ତମାନ ସମୟ ଆସିଚି ଏକାଠି ହେବାର। ଅଚ୍ଛେ ଦିନ ଆଚ୍ଛେ ଦିନ କହି ଲୋକଙ୍କୁ ଭୁଆଁ ବୁଲାଉଚଛି ବିଜେପି। ଦେଶରେ ବେକାରୀ, ବେରୋଜଗାରି ବଢ଼ିଚାଲିଛି। ଏବେ କେନ୍ଦ୍ର ବିରୋଧରେ ଏକାଠି ହେବା ଉଚିତ୍। ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ବାଗତ ଯୋଗ୍ୟ।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଏ ସମ୍ପର୍କରେ ଦଳ ଯାହା ନିଷ୍ପତ୍ତି ନେବ। ବିଜେପି ସାଧାରଣ ସମ୍ପାଦକ ଗୋଲାକ ମହାପାତ୍ର କହିଛନ୍ତି, ‘‘ଭାରତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ବେଦାଗ ଚରିତ୍ରର ସରକାର ଆସିଛି। ଦୁର୍ନୀତି ଓ ଭ୍ରଷ୍ଟାଚାରରୁ ଉର୍ଦ୍ଧ୍ବରେ ଆସିଛି ମୋଦି ସରକାର। ତେଣୁ ଯେଉଁମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୁଖ୍ୟ ଆୟୁଧ କରିଥିଲେ ସେମାନେ ଆହତ ହୋଇଛନ୍ତି। ସେମାନେ ପୁଣି ଦେଶର ସମ୍ପତ୍ତିକୁ ଲୁଟ କରିବା ପାଇଁ ଯୋଜନା କରୁଛନ୍ତି। ହେଲେ ଏହା କେବେ ବି ସଫଳ ହେବ ନାହିଁ। ଦେଶରେ ବିକାଶ ହେଉଥିବା ବେଳେ ନକାରାତ୍ମକ ଚିନ୍ତାଧରା ନେଇ କୌଣସି ଗଠବନ୍ଧନ ତିଷ୍ଠିବ ନାହିଁ।
ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ‘‘ତାମିଲ ନାଡୁ ମୁଖ୍ୟ ମନ୍ତ୍ରୀ ଏକ ଆହ୍ବାନ ଦେଇଛନ୍ତି। ତାଙ୍କର ଯୁକ୍ତି ହେଉଛି ଭାରତ ବର୍ଷର ମଲ୍ଟି କଲଚର ୟୁନିଟ ବା ସାଂସ୍କୃତିକ ବିଭିନ୍ନତା ବିପଦଗସ୍ତ ହୋଇଛି। ତାକୁ ରକ୍ଷା କରିବା ଦରକାର। ବିରୋଧ ଦଳ ଗୁଡ଼ିକ ୟୁନିଟ ହେବା ଆବଶ୍ୟକ। ଜଣେ ମୁଖ୍ୟ ମନ୍ତ୍ରୀ ଭାବରେ ଯାହା ଅନୁଭବ କରିଛନ୍ତି ସେ ତାହା କରିଛନ୍ତି। ଏହା ହେଲେ ଗଣତନ୍ତ୍ର ଆହୁରି ସୁଦୃଢ଼ ହେବ। କେନ୍ଦ୍ରରେ ଯେଉଁ କଂଗ୍ରେସ ସହ ବିଜେପି ସହ ଫାଇଟ ହେଉଥିଲା। ଏବେ କେବଳ ବିଜେପି ଅଛି। କଂଗ୍ରେସ ଶକ୍ତିହୀନ ହୋଇଛି। ତେବେ ଏଭଳି ସ୍ଥିତିରେ ବିରୋଧୀ ଏକାଠି ହେଲେ ଗଣତନ୍ତ୍ରରେ ଚେକ୍ ଆଣ୍ଡ ବାଲାନ୍ସ ରହିବ।’’
ଗତ କିଛି ବର୍ଷ ଧରି ନିଟ ପରୀକ୍ଷାରେ ସଂରକ୍ଷଣ ନେଇ ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଅପିଲ କରିଆସୁଥିବା ବେଳେ ଏବେ ଅଲ ଇଣ୍ଡିଆ ଫେଡେରେସନ ଫର ସୋସିଆଲ ଜଷ୍ଟିସ ନାଁରେ ଅଣ ବିଜେପି ରାଜନୈତିକ ଦଳକୁ ଏକାଠି କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଆସୁଛନ୍ତି। ଏବେ ୩୭ଟି ଏକାଠି ହେବା ନେଇ ଆରମ୍ଭ ହୋଇଥିବା ପ୍ରୟାସ କେଉଁଠି ନା କେଉଠି ମିସନ୍ ୨୦୨୪ ପୁର୍ବରୁ ବିଜେପି ବିରୋଧରେ ରଣହୁଙ୍କାର ବୋଲି କୁହାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।