News18 Odia Digital
ଭୁବନେଶ୍ବର: ପୁରୁଷ ହକି ବିଶ୍ୱକପ ୨୦୨୩ ସଂସ୍କରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଚଳିତ ଥର ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ମ୍ୟାଚ୍। ଏନେଇ ରାଉରକେଲାରେ ଚାଲିଛି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ। ଆଉ ଏପଟେ କଳିଙ୍ଗ ହକି କମ୍ପ୍ଲେକ୍ସରେ ଚାଲିଛି ନବୀକରଣ କାମ। ନିୟମ ମୁତାବକ ପ୍ରତ୍ୟେକ ବିଶ୍ୱକପ ପୂର୍ବରୁ ହକି ଷ୍ଟାଡିୟମରେ ଟର୍ଫ ପରିବର୍ତ୍ତନ କରାଯାଏ। ନୂଆ ଟର୍ଫରେ ଖେଳାଯାଏ ମ୍ୟାଚ। ଏନେଇ କଳିଙ୍ଗ ହକି କମ୍ପ୍ଲେକ୍ସରେ ଆରମ୍ଭ ହୋଇଛି ଟର୍ଫ ବିଛାଇବା ପ୍ରକ୍ରିୟା। ପ୍ରଥମେ ପୁରୁଣା ଟର୍ଫକୁ କଢ଼ାଯିବ। ପରେ ବିଛାଯିବ ନୂଆ ଟର୍ଫ।
୨୦୧୮ ପୁରୁଷ ହକି ବିଶ୍ୱକପ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ନୂଆ ସିନ୍ଥେଟିକ ଟର୍ଫ ବିଛାଯାଇଥିଲା। ଏହାରି ଭିତରେ ୪ ବର୍ଷ ବିଟିଲାଣି। ସିନିୟର ବିଶ୍ୱକପ, ଜୁନିୟର ବିଶ୍ୱକପ ଭଳି ଏକାଧିକ ଟୁର୍ଣ୍ଣାମେଣ୍ଟର ଏଠି ଆୟୋଜନ ହୋଇଛି।
୪ ବର୍ଷ ପରେ ପୁଣି ଥରେ ବଦଳିବ ଟର୍ଫ। ଏନେଇ ବର୍ତ୍ତମାନ ପୁରୁଣା ଟର୍ଫକୁ କଢ଼ାଯାଇଛି। ଏହାପରେ ବେସ କାମ କରାଯିବ। ବେସରେ କୌଣସି ମରାମତି କାମ ଥିଲେ ତାକୁ ମଧ୍ୟ କରାଯିବ। ଏହା ପରେ ନୂଆ ଟର୍ଫ ବଛାଯିବ। ପୂର୍ବ ଥର ଜର୍ମାନୀରୁ ସ୍ୱତନ୍ତ୍ର ଭାବେ ଟେକ୍ନିସିଆନ ଆସି ଟର୍ଫ ବିଛା କାମରେ ନିୟୋଜିତ ହୋଇଥିଲେ। ଚଳିତ ଥର ମଧ୍ୟ ସମାନ ଭାବରେ କାମ ହେବ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ମିଳିଛି।

ପୁରୁଷ ହକି ବିଶ୍ୱକପ ୨୦୨୩ ସଂସ୍କରଣ ପାଇଁ ବଦଳିବ କଳିଙ୍ଗ ହକି ଷ୍ଟାଡିୟମର ସିନ୍ଥେଟିକ ଟର୍ଫ
୪ ବର୍ଷ ଭିତରେ ପୁରୁଣା ଟର୍ଫରେ ଶତାଧିକ ମ୍ୟାଚ ଖେଳାଯାଇଛି। ୨୦୧୮ ପୁରୁଷ ହକି ବିଶ୍ୱକପରେ ୩୬ଟି ମ୍ୟାଚ ଖେଳାଯାଇଛି। ୨୦୧୯-୧୯ ଏଫଆଇଏଚ ପୁରୁଷ ସିରିଜ ଫାଇନାଲ୍ସରେ ୨୦ଟି ମ୍ୟାଚ, ୨୦୧୯ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୪ଟି ମ୍ୟାଚ, ୨୦୨୦-୨୧ ପୁରୁଷ ପ୍ରୋ-ଲିଗରେ ୬ଟି ମ୍ୟାଚ, ୨୦୨୧ ଜୁନିୟର ପୁରୁଷ ହକି ବିଶ୍ୱକପରେ ୪୮ଟି ମ୍ୟାଚ, ୨୦୨୧-୨୨ ପୁରୁଷ ପ୍ରୋ-ଲିଗରେ ୮ଟି ମ୍ୟାଚ ଓ ମହିଳା ପ୍ରୋ-ଲିଗରେ ୬ଟି ମ୍ୟାଚ ଖେଳାଯାଇଛି ଏହି ଟର୍ଫରେ। କେବଳ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ ଏହା ପୂର୍ବରୁ ଅନେକ ଅଭ୍ୟାସ ମ୍ୟାଚ ମଧ୍ୟ ଏଠାରେ ଖେଳାଯାଇଛି। ଭାରତୀୟ ପୁରୁଷ ଦଳର ପ୍ରଶିକ୍ଷଣ ଶିବିର ମଧ୍ୟ କଳିଙ୍ଗ ହକି ଗ୍ରାଉଣ୍ଡରେ ହୋଇଛି।
୨୦୨୩ ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପର ନୂଆ ସଂସ୍କରଣ। ଭୁବନେଶ୍ୱର ସମେତ ରାଉରକେଲାରେ ବି ଖେଳାଯିବ ମ୍ୟାଚ। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ଲୋଗୋ ଉନ୍ମୋଚନ କରିଥିଲେ। ହେଲେ ଏବେ ଯାଏଁ ବିଶ୍ୱକପ ସୂଚୀ ଘୋଷଣା ହୋଇନାହିଁ। ସୂଚୀ ଘୋଷଣା ପରେ ଜଣାପଡ଼ିବ କେଉଁ ଷ୍ଟାଡିୟମରେ କେତେ ମ୍ୟାଚ ଖେଳାଯିବ। ତେବେ ଭୁବନେଶ୍ୱର ମୁଖ୍ୟ ଭେନ୍ୟୁ ହେବ ବୋଲି କୁହାଯାଉଛି।