ସ୍ବିଗି ଡେଲିଭରି ବଏକୁ ଅପହରଣ; ସ୍ତ୍ରୀଙ୍କୁ ଭଏସ ମେସେଜ କରି କହିଥିଲେ, ‘‘ଧନ ମତେ ଅପହରଣ କରାଯାଇଛି’’

ପରିବାର ଲୋକ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଶନିବାର ରାତିରେ ବାଇକ ଯୋଗେ ଘରକୁ ଫେରୁଥିଲେ ପତିତପାବନ । ହେଲେ ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ଫୋନ ସୁଇଚ୍ ଅଫ ଥିଲା ।

ସ୍ବିଗି ଡେଲିଭରି ବଏକୁ ଅପହରଣ

ସ୍ବିଗି ଡେଲିଭରି ବଏକୁ ଅପହରଣ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଜଣେ ଫୁଡ଼ ଡେଲିଭରି ଯୁବକକୁ କେହି ଅପହରଣ କରିଥିବା ନେଇ ଧଉଳି ଥାନାରେ ଅଭିଯୋଗ କରିଛନ୍ତି ଅପହରଣ ହୋଇଥିବା ଯୁବକଙ୍କ ପରିବାର ଲୋକେ । ଅପହରଣ ହୋଇଥିବା ଯୁବକ ଜଣଙ୍କ ହେଲେ ନୂଆଗାଁ ଅଞ୍ଚଳର ୨୭ ବର୍ଷୀୟ ପତିତପାବନ ପୃଷ୍ଟି । ସେ ସ୍ବିଗିରେ ଫୁଡ଼ ଡେଲିଭରି ବଏ ଭାବେ କାମ କରନ୍ତି ।

ପରିବାର ଲୋକଙ୍କ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଶନିବାର ରାତିରେ ବାଇକ ଯୋଗେ ଘରକୁ ଫେରୁଥିଲେ ପତିତପାବନ । ହେଲେ ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ଫୋନ ସୁଇଚ୍ ଅଫ ଥିଲା । ତେଣୁ ପରିବାର ଲୋକେ ଧଉଳି ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଅଭିଯୋଗରେ ତାଙ୍କ ପତ୍ନୀ ଅହଲ୍ୟା ପୃଷ୍ଟି କହିଛନ୍ତି, ‘‘ରାତି ପ୍ରାୟ ୯ଟା ସମୟରେ ମୋ ସ୍ୱାମୀ ଫୋନ କରି କହିଲେ କି, ତାଙ୍କ ବାଇକ ଖରାପ ହୋଇଯାଇଛି । ସେ ସୁନ୍ଦରପଦା ସାପୁର ରାସ୍ତାରେ ଅଛନ୍ତି । ଘରକୁ ଫେରିବାକୁ ବିଳମ୍ବ ହେବ । ହେଲା ୧୧ଟା ସମୟରେ ମୋ ହ୍ଵାଟ୍ସଆପକୁ ଏକ ଭଏସ ରେକର୍ଡ଼ିଂ ଆସିଲା । ଯେଉଁଥିରେ ସେ କହିଥିଲେ ଯେ ତାଙ୍କୁ କିଛି ଲୋକ ମାଡ଼ ମାରି ଅପହରଣ କରୁଛନ୍ତି । ଏକ ଡାଲା ଅଟୋର ପଛରେ ତାଙ୍କୁ ମାଡ଼ ମାରିବା ଛୁରୀ ଭୂଷି ଛନ୍ତି । ଆଉ ସେ ଏବେ ଧଉଳି ପାଖାପଖି ଅଛନ୍ତି । ତେଣୁ ଭାଇଙ୍କୁ କହି ତାଙ୍କୁ ମୁକୁଳେଇବାକୁ କହିଥିଲେ ।’’

ରାତି ୧୧ ଟା ସମୟରେ ପତିତପାବନଙ୍କ ମୋବାଇଲ ଅଫ ହୋଉଯାଇଥିଲା । ପରେ ପରିବାର ଲୋକେ ବାଧ୍ୟ ହୋଇ ଧଉଳି ଥାନାରେ ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରାତିରେ ପୋଲିସ କିଛି ସ୍ଥାନରେ ଖୋଜାଖୋଜି କରିଥିଲା ।

ପତିତପାବନ ମା' କହିଛନ୍ତି, "ପୁଅର କାହା ସହ ଶତ୍ରୁତା ନାହିଁ । ସେ ନିଜ କାମକୁ ନେଇ ସବୁବେଳେ ବ୍ୟସ୍ତ ରହୁଥିଲା । ଶନିବାର ଏକ ଗ୍ୟାରେଜ ଖୋଲିବ ବୋଲି ଟଙ୍କା ନେଇ ଘରକୁ ଆସୁଥିଲା । ବୋଧେ ଏଥି ପାଇଁ ତାଙ୍କୁ କେହି ଅପହରଣ କରିଥାଇ ପାରନ୍ତି ।’’

ଧଉଳି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ରବିବାର ସକାଳୁ ପୋଲିସର ଏକ ଟିମ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ନୂଆଗାଁ ନଈ ପଠାରୁ ପତିତ ପାବନଙ୍କ ସାର୍ଟ, ଚପଲ, ପର୍ସ ଓ ଏକ ଛୁରୀ ମିଳିଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ବୁଦା, ବିଲ ଆଦି ସ୍ଥାନରେ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁରାକ ମିଳି ନଥିଲା ।

ଅଭିଯୋଗ କୁ ଭିତ୍ତି କରି ଆମେ ତଦନ୍ତ କରୁଛୁ । ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି । କୌଣସି ସୁରାକ ମିଳୁ ନଥିବାରୁ ଟେକନିକାଲ ଉପାୟରେ ତଦନ୍ତ ଜାରି ରହିଛି । ଖୁବ୍ ଶୀଘ୍ର ଅପହରଣ ଘଟଣାର ପର୍ଦା ଫାସ କରିବା ସହ ପତିତ ପାବନଙ୍କୁ ଉଦ୍ଧାର କରାଯିବ କହିଛନ୍ତି ଭୁବନେଶ୍ୱର ଯୋନ-୨ ଏସିପି ବିଷ୍ଣୁ ପାତ୍ର ।

ପୋଲିସ ତଦନ୍ତ କରୁଥିବା ସମୟରେ କିଛି ସନ୍ଦେହ ମଧ୍ୟ ସାମ୍ନାକୁ ଆସିଛି । ବିଶେଷ କରି ଅପହରଣକାରୀ ମାନେ ଯଦି ଅପହରଣ କରିବେ, ତେବେ ପତିତପାବନର ଫୋନକୁ କାହିଁକି ତା ପାଖରେ ଛାଡ଼ି ଥିଲେ ? ଟଙ୍କା ପାଇଁ ଯଦି ଅପହରଣ କରିବେ, ତେବେ ଟଙ୍କା ନେବା ପରେ ତାକୁ କେଉଁଠି ପୋପଡ଼ି ଦେଇଥିବେ । ହେଲେ ଏମିତି ବି କିଛି ଘଟିନାହିଁ । ତେଣୁ ପୋଲିସ ସନ୍ଦେହ କରୁଛି ଅପହରଣ ପଛରେ ଆଉ କିଛି କାରଣ ନାହିଁ ତ।
Published by:Lipina Das
First published: