ଇଚ୍ଛା ଶକ୍ତି ଆଗରେ ହାର ମାନିଲା କ୍ୟାନସର; ୧୧ ହଜାର ଫୁଟ ଉଚ୍ଚ ପାହାଡ଼ ଚଢ଼ିଲେ ସ୍ୱାଗତିକା

୨୦୧୮ ମସିହାରେ ବିଭିନ୍ନ ପରୀକ୍ଷା ପରେ ଜଣାପଡ଼ିଲା ସ୍ୱାଗତିକା କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ନିକଟରେ ହିମାଳୟର ୧୧ ହଜାର ୮୩୦ ଫୁଟ୍ ଉଚ୍ଚତାରେ ପର୍ବତ ଆରୋହଣ କରି ସେ ଚର୍ଚ୍ଚାକୁ ଆସିଛନ୍ତି।  

ସ୍ୱାଗତିକା ଆଚାର୍ଯ୍ୟ (ପ୍ରତୀକାତ୍ମକ ଛବି)

ସ୍ୱାଗତିକା ଆଚାର୍ଯ୍ୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଉଦ୍ୟମ ଓ ପ୍ରଚୁର ଆଗ୍ରହ ଥିଲେ କୌଣସି କାମ ଅସମ୍ଭବ ନୁହେଁ। ଏକଥାର ବାସ୍ତବତା ଅଛି କ୍ୟାନ୍ସରକୁ ହରାଇଥିବା ଛାତ୍ରୀ ସ୍ୱାଗତିକା ଆଚାର୍ଯ୍ୟଙ୍କର ଜୀବନରେ। କ୍ୟାନ୍ସର ଆକ୍ରାନ୍ତ ଆଇନ ବିଭାଗର ଛାତ୍ରୀ ସ୍ୱାଗତିକା ନିକଟରେ ହିମାଳୟର ୧୧ ହଜାର ୮୩୦ ଫୁଟ୍ ଉଚ୍ଚତାରେ ପର୍ବତ ଆରୋହଣ କରି ଚର୍ଚ୍ଚାକୁ ଆସିଛନ୍ତି।

ଆଇନର ଛାତ୍ରୀ ସ୍ୱାଗତିକା ୨୦୧୭ ମସିହାରେ ଶାରୀରିକ ଅସୁସ୍ଥତା କାରଣରୁ  ବିଭିନ୍ନ ଡ଼ାକ୍ତରଙ୍କ ପରାମର୍ଶ ନେଲେ। ଡ଼ାକ୍ତରଙ୍କ ସନ୍ଦେହ ହେଉଥିଲା ସ୍ୱାଗତିକା ଟିବି ବା ଯକ୍ଷ୍ମା ରୋଗରେ ପୀଡ଼ିତ। ସେହି ଅନୁସାରେ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଶାରୀରିକ ଅସୁସ୍ଥତା କମି ନ ଥିଲା । ୨୦୧୮ ମସିହା ମାର୍ଚ୍ଚ ମାସରେ କଲେଜରୁ ଫେରିବା ପରେ ହଠାତ୍ ଚେତା ହରାଇ ସେ ପଡ଼ିଗଲେ । ଆଉ ତାଙ୍କର ବିଭିନ୍ନ ପରୀକ୍ଷା ପରେ ଜଣାପଡ଼ିଲା ସେ କ୍ୟାନ୍ସରରେ ପୀଡ଼ିତ। ନାକ ଭିତରେ ଷ୍ଟେଜ୍ ୨ କ୍ୟାନ୍ସରରେ ସେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ଅନେକ ଡ଼ାକ୍ତରଙ୍କ ପରାମର୍ଶ ନେଲେ ।

ବିଭିନ୍ନ ଘରୋଇ ହସପିଟାଲରେ ଚିକିତ୍ସା ପରେ ଡ଼ାକ୍ତରଙ୍କ ପରାମର୍ଶ ପାଇଁ ସେ ଆପୋଲୋ ହସପିଟାଲରେ ମଧ୍ୟ ଚିକିତ୍ସିତ ହେଲେ। ଏଭଳି ସମୟରେ କ୍ୟାନ୍ସର ରୋଗକୁ ନେଇ ଲୋକଙ୍କ ଭିତରେ ଥିବା ମାନସିକତାକୁ ଦୂର କରିବା ପାଇଁ ଆପୋଲୋ ହସପିଟାଲ ପକ୍ଷରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ‘ପିକ୍ ଟୁ ପିକ୍‌- ଉଇନିଂ ଓଭର କ୍ୟାନ୍ସର’। ଅର୍ଥାତ କ୍ୟାନ୍ସରକୁ ହରାଇବା। ଏହି ଉପଲକ୍ଷେ ସାରା ଦେଶରେ ୮ ଜଣ ବଛା ବଛା କ୍ୟାନ୍ସର ବିଜେତାଙ୍କୁ ଏକ ଟ୍ରେକିଂ ବା ଦୁଃସାହସିକ ପାହାଡ଼ ଚଢା ଅଭିଯାନ ଆରମ୍ଭ କରାଯାଇଥିଲା ।

ପାହାଡ଼ ଚଢା ଅଭିଯାନ ସମ୍ପର୍କରେ ସ୍ୱାଗତିକା କୁହନ୍ତି,"ମାନସିକ ସ୍ତରରେ ଏହି ଅଭିଯାନରେ ସାମିଲ ହେବା ପାଇଁ ସେ ପ୍ରସ୍ତୁତ ଥିଲେ। ଟ୍ରେକିଂ ଇଭେଂଟରେ ପ୍ରତିଦିନ ଅତିକମ୍‌ରେ ୨ରୁ ୪ କିମି ପାହାଡ଼ ଚଢିବାର ଆବଶ୍ୟକତା ଥିଲା। ଏଥିପାଇଁ ଶାରିରୀକ ସୁସ୍ଥତା ସହିତ ମାନସିକ ସୁସ୍ଥତା ମଧ୍ୟ ରହିବା ଥିଲା ଜରୁରୀ। କ୍ୟାନ୍ସର କାରଣରୁ ଅନେକ ଆଶଙ୍କା କରୁଥିଲେ ହୁଏତ ସେ ଅଧାରୁ ଏହି ଅଭିଯାନରୁ ଫେରି ଆସିବେ। କିନ୍ତୁ ନିଜ ଦୃଢ ଇଛାଶକ୍ତି କାରଣରୁ ପ୍ରତିଦିନ ନୂଆ ଉତ୍ସାହ ସହ ସେ ଆଗକୁ ବଢୁଥିଲେ"।

ଉତ୍ତରାଖଣ୍ଡର ଡ଼େରାଡ଼ୁନଠାରୁ ଦିନାରା ବୁଗିଆଲ ପର୍ଯ୍ୟନ୍ତ ରୋମାଞ୍ଚକର ଯାତ୍ରା ଆରମ୍ଭ ହେଲା। ଏହି ପାହାଡ଼ର ଉଚ୍ଚତା ଥିଲା ୧୧ ହଜାର ୮୩୦ ଫୁଟ୍। ପ୍ରଥମ ଦିନରେ ଆଗ୍ରହର ସହିତ ସେମାନେ ଯାତ୍ରା ଆରମ୍ଭ କରିବା ପରେ ପ୍ରାୟ ୩ କିମି ପରେ ପ୍ରଥମ ଦିନର ଯାତ୍ରାକୁ ଶେଷ କରାଗଲା। ସ୍ୱାଗତିକାଙ୍କ ସହିତ ଏହି ପାହାଡ଼ ଚଢ଼ା ଅଭିଯାନରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆପୋଲୋ ହସପିଟାଲରେ ଚିକିତ୍ସିତ ଅନ୍ୟ ୭ ଜଣ କ୍ୟାନ୍ସର ବିଜେତାଙ୍କୁ ମଧ୍ୟ ସାମିଲ କରାଯାଇଥିଲା।

ଡ଼ାକ୍ତରଙ୍କ ମତରେ, ଏହି ଅଭିଯାନର ଉଦେଶ୍ୟ ଥିଲା ମହତ। କିନ୍ତୁ ତାକୁ ସଫଳ କରିବା ଥିଲା ଅନେକ ଚ୍ୟାଲେଞ୍ଜ। ଏହି ଟିମ୍ ସହିତ ମୁଁ ବ୍ୟକ୍ତିଗତ ଭାବରେ ପାହାଡ଼ଚଢା ଅଭିଯାନରେ ସାମିଲ ହୋଇଥିଲା। ଆମକୁ ଏହି ଅଭିଯାନରେ ସାମିଲ ହୋଇଥିବା କ୍ୟାନ୍ସର ବିଜେତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖିବାକୁ ପଡ଼ିଥିଲା।
Published by:Soumya Das
First published: