News 18 Odia Digital
ଭୁବନେଶ୍ୱର; ଚିଟଫଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ତାଗିଦ୍ । ମାମଲା କେବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ସେ ନେଇ ପ୍ରଶ୍ନ କରିଛନ୍ତି । ସିବିଆଇ ଏବଂ ଓଡ଼ିଶା ସରକାରଙ୍କୁ ଭର୍ସନା କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇବା ପାଇଁ ୧୦-୧୫ ବର୍ଷ ଅପେକ୍ଷା କରିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ଆରମ୍ଭ ହୋଇଛି ପୁଣି କାଦୁଆ ଫିଙ୍ଗା ରାଜନୀତି । ବିଜେଡ଼ି-ବିଜେପି ପରସ୍ପରକୁ ଦୋଷାରୋପ କରୁଥିବା ବେଳେ କଂଗ୍ରେସ ଉଭୟଙ୍କ ଉପରେ ବର୍ଷିଛି । କ୍ଷତିଗ୍ରସ୍ତ ଜମାକାରୀ କହିଛନ୍ତି ତଦନ୍ତ ସମୟସୀମା ମଧ୍ୟରେ ଶେଷ ହେଉ। ସମ୍ପତି ବାଜ୍ୟପ୍ତି କରି ଜମାକାରୀଙ୍କ ଟଙ୍କା ଫେରସ୍ତ ହେଉ।
ଚିଟ୍ଫଣ୍ଡ ମାମଲାରେ ସିବିଆଇକୁ ତାଗିଦ କରିବା ସହ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଅଗ୍ରଗତି ସଂପର୍କରେ ଜଣାଇବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ସୋମବାର ସୁ୍ଦ୍ଧା ରିପୋର୍ଟ ଜଣାଇବାକୁ କୋର୍ଟ କହିଛନ୍ତି । ସେହି ସୋମବାର ଦିନ ହିଁ ମାମଲାର ଶୁଣାଣି ହେବ । ସିବିଆଇକୁ ତାଗିଦ କରି କୋର୍ଟ କହିଛନ୍ତି, ଚିଟଫଣ୍ଡ ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇବାକୁ ଚାହିଁଛନ୍ତି । ଏଥିଲାଗି ଟଙ୍କା ଫେରି ପାଇବାକୁ ୧୦ରୁ ୧୫ ବର୍ଷ ଅପେକ୍ଷା କରି ହେବ ନାହିଁ । ଯେଉଁଠି ସିବିଆଇ ଏବଂ ଇଡି ତଦନ୍ତ ଭାର ନେଉଛନ୍ତି ସେଠାରେ ବିଳମ୍ବ ହେଉଛି । ମାମଲା ନିର୍ଣ୍ଣାୟକ ସ୍ତରରେ କେବେ ପହଞ୍ଚିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ କହିଛି ସୁପ୍ରିମକୋର୍ଟଙ୍କ ଭର୍ସନା ପରେ ସରକାରଙ୍କ ନିଦ ଭାଙ୍ଗିଛି । ମଦନ ମୋହନ ଦାସ କମିଶନ ବସିଥିଲେ ମଧ୍ୟ ଏଯାଏ ଜମାକାରୀ ଚିହ୍ନଟ ହୋଇପାରିଲା ନାହିଁ।
ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର କର୍ପୋସ ପାଣ୍ଠି କରିଥିଲେ ନିର୍ବାଚନୀ ବୈତରଣୀ ପା଼ରି ହେବା ପାଇଁ। କୈଣସି ପ୍ରକାର ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତ ପାଆନ୍ତୁ ଏ ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କ ନାହିଁ । ଓଡ଼ିଶା ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରନ୍ତି, କୁମ୍ଭୀର କାନ୍ଦଣା କାନ୍ଦନ୍ତି। ଲୋକଙ୍କ ପାଇଁ ମନରେ ଦରଦ ନାହିଁ। କେମିତି ନିର୍ବାଚନ ଜିତିବେ ସେନେଇ ପଲିଟିକାଲ ଷ୍ଟଣ୍ଟ ମାରନ୍ତି। କର୍ପୋସ ପାଣ୍ଠି ପଲିଟିକାଲ ଷ୍ଟଣ୍ଟ ଥିଲା। ଇଓ ଡବ୍ଲୁ ପ୍ରୋପଟିଜ ସିଜ୍ କଲା ଟଙ୍କା ଗଲା କୁଆଡେ ? ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ଜମାକାରୀ ଟଙ୍କା ପାଆନ୍ତୁ ବୋଲି। ସିବିଆଇ ତଦନ୍ତ କରିବ । ଟଙ୍କା ଦେବାକୁ କର୍ପୋସ ଫଣ୍ଡ ଥିଲା । ସିବିଆଇ କେଉଁଠି ମନା କରିନି ଟଙ୍କା ନଦେବା ପାଇଁ । ଓଡ଼ିଶାବାସୀଙ୍କ ପାଇଁ ଆନ୍ତରିକତା ନାହିଁ । ନାଟକ କରୁଛନ୍ତି କେବଳ ନିର୍ବାଚନ ଜିତିବା ପାଇଁ । ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ସରକାର ।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ରାଜ୍ୟ ସରକାର ପ୍ରକୃତ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କର୍ପୋସ ଫଣ୍ଡ କଲେ। ତିନିଶହ କୋଟି ଟଙ୍କାର ବଜେଟରେ ବ୍ୟବସ୍ଥା ରହିଲା। କିଛି ଜମାକାରୀ ପାଇଛନ୍ତି। ତଦନ୍ତ ବିଳମ୍ବ ହେବା ଭିନ୍ନ କଥା। ସିବିଆଇ ପାରିବା ପଣିଆ ଦେଖାଉଥିଲେ ଦକ୍ଷତାକୁ ନେଇ। କିନ୍ତୁ ତାଙ୍କ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିଛି । ତଦନ୍ତକୁ ବିଳମ୍ବିତ କରିବାର କୈାଣସି ଯଥାର୍ଥତା ନାହିଁ। ଭାରତ ବର୍ଷର ସର୍ବୋଚ୍ଚ ନ୍ୟାୟାଳୟ ଏହି କଥା କହିଛନ୍ତି । ମୁଁ ଭାବୁଛି ଚତନୈ ଉଦୟ ହେବ। ସିବିଆଇ ନିଜ ବିଶ୍ୱସନୀୟତାକୁ ଠିକ ରଖିବା ପାଇଁ ଠିକଣା ସମୟରେ ତଦନ୍ତ ମାରନ୍ତୁ। ସମ୍ପତି ବାଜ୍ୟପ୍ତି ହେବା ସହ ଅର୍ଥ ଫେରସ୍ତର ବ୍ୟବସ୍ଥା ରହିଛି। ଜମାକାରୀଙ୍କୁ ଚିହ୍ନଟ କରିବା ବ୍ୟବସ୍ଥା ହେବା ଦରକାର । ବିରୋଧୀ ରାଜନୈତିକ ଦୃଷ୍ଟିକୋଣରୁ କହିଛନ୍ତି । ରାଜ୍ୟସରକାର ଦାଇତ୍ୱର ଏବଂ ସମବେଦନାର ସହ ଏ କାର୍ଯ୍ୟକ୍ରମ କରୁଛନ୍ତି । ଠକାମୀର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କୁ ସାହାଯ୍ୟ କରିବା ପାଇଁ।
କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ନିର୍ବାଚନ ସରିଗଲେ କୋଳାକୋଳି ପାଖେଇଲେ କଳି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ସ୍ପଷ୍ଟ ହୋଇଛି । ରାଜ୍ୟ ଓ କେନ୍ଦ୍ର ସରକାର ଟଙ୍କା ଫେରସ୍ତ ପାଇଁ ଯତ୍ନବାନ ହେଉନାହାନ୍ତି।
ଓଡ଼ିଶା ପ୍ରୋଟେକ୍ସନ ଅଫ ଇଣ୍ଟ୍ରେଷ୍ଟ ଅଫ ଡିପଜିଟରର୍ସ,( OPID) ଆକ୍ଟ୨୦୧୩ ଅନୁସାରେ କମ୍ପାନୀର ସମ୍ପତ୍ତିକୁ ବାଜ୍ୟାପ୍ତି କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିପାରିବେ ସରକାର। ସରକାର ସମ୍ପତି ବ୍ୟାଜାପ୍ତି କରୁଥିବା ବେଳେ ଟଙ୍କା ଫେରସ୍ତ କରୁନଥିବା ଅଭିଯୋଗ କରିଛନ୍ତି ଖ୍ୟାତି ଗ୍ରସ୍ତ ଜମାକାରୀ ସଂଘ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।