ସୁପରମୁନ୍ 2022; ଆଜି ମଧ୍ୟରାତ୍ରିରେ ଆକାଶରେ ଦେଖାଯିବ ସୁପରମୁନ

ଆଜି ମଧ୍ୟରାତ୍ରିରେ ଦେଖାଯିବ ସୁପରମୁନ୍ ।

ଆଜି ମଧ୍ୟରାତ୍ରିରେ ଦେଖାଯିବ ସୁପରମୁନ୍ ।

  • Share this:
News 18 Odia Digital

ନୂଆଦିଲ୍ଲୀ; ବୁଧବାର ସନ୍ଧ୍ୟାରେ ଯେତେବେଳେ ଚନ୍ଦ୍ର ଆକାଶରେ ଉଇଁବେ, ସେତେବେଳେ କିଛି ଭିନ୍ନ ଦେଖିବାକୁ ମିଳିବ । ଚଳିତବର୍ଷର ଅନ୍ୟ ରାତି ଅପେକ୍ଷା ବୁଧବାର ଉଇଁଥିବା ଚନ୍ଦ୍ର ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । ଏହାକୁ ଜୁଲାଇ ସୁପରମୁନ୍ ବା ବକ୍ ଚନ୍ଦ୍ର କୁହାଯାଏ । ଏହା ଏକ ଜ୍ୟୋତିର୍ବିଜ୍ଞାନ ଘଟଣା ହେତୁ ଘଟିଥାଏ । ବାସ୍ତବରେ ଏହି ସମୟ ମଧ୍ୟରେ ଚନ୍ଦ୍ର ପୃଥିବୀର ନିକଟତର ହେବ । ପୃଥିବୀଠାରୁ ଏହାର ଦୂରତା ମାତ୍ର ୩,୫୭,୨୬୪ କିଲୋମିଟର ରହିବ । ଇଣ୍ଡିପେଣ୍ଡେଣ୍ଟର ଏକ ରିପୋର୍ଟ ଅନୁଯାୟୀ, ସେହି ସମୟରେ ସୁପରମୁନ୍ ପ୍ରାୟ ୧୪ ପ୍ରତିଶତ ବଡ଼ ଦେଖାଯିବ ଏବଂ ଏହାର ଉଜ୍ଜ୍ୱଳତା ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ ।

ଜୁଲାଇ ୧୩ରେ, ଚନ୍ଦ୍ର ସମ୍ପୂର୍ଣ୍ଣ ୨୪ ଘଣ୍ଟା ପାଇଁ ବର୍ଷର ଅନ୍ୟ ରାତି ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । କିନ୍ତୁ ୧୨-୧୩ ଜୁଲାଇ ମଧ୍ୟରାତ୍ରି ୧୨.୦୮ ରେ ସବୁ ଠାରୁ ବଡ଼ ଚନ୍ଦ୍ର ଦୃଶ୍ୟମାନ ହେବେ । ଏହି ସମୟ ମଧ୍ୟରେ ଚନ୍ଦ୍ର ନିଜ କକ୍ଷପଥରେ ପୃଥିବୀର ନିକଟତର ହେବେ । ଯଦି ଆପଣ ଉକ୍ତ ସମୟରେ ସୁପରମୁନ ଦେଖିପାରୁ ନାହାଁନ୍ତି, ତେବେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ର ଦୃଶ୍ୟମାନ ହେବେ । ଏହା ପୂର୍ବରୁ ସୁପରମୁନ୍ ଜୁନ୍ ୧୪ ରେ ଦେଖା ଦେଇଥିଲା, ଯାହାକୁ ଷ୍ଟ୍ରବେରୀ ଚନ୍ଦ୍ର କୁହାଯାଉଥିଲା ।

ଯେତେବେଳେ ଚନ୍ଦ୍ର ଆକାଶରେ ଉଦୟ କିମ୍ବା ଅସ୍ତ ହୁଏ, ସେତେବେଳେ ଏହା କାହିଁକି ବଡ଼ ଦେଖାଯାଏ, ଏହି ପ୍ରଶ୍ନ ଏପର୍ଯ୍ୟନ୍ତ ଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି । ଏ ସମ୍ବନ୍ଧରେ ନାସା ବୈଜ୍ଞାନିକମାନଙ୍କ ଦ୍ୱାରା ଦିଆଯାଇଥିବା ଗୋଟିଏ ସମ୍ଭାବ୍ୟ ବ୍ୟାଖ୍ୟା ହେଉଛି ଯେ ଆମେ ଆମର ଦୃଷ୍ଟିଶକ୍ତି ମଧ୍ୟରେ ବସ୍ତୁର ଆପେକ୍ଷିକ ଆକାର ତୁଳନା କରୁ ।

ଗତ ବର୍ଷ ନାସା ଏକ ବ୍ଲଗରେ କହିଛି ଯେ, ବୋଧହୁଏ ଗଛ, ପର୍ବତ ଏବଂ ଅଟ୍ଟାଳିକା ଆମ ମନରେ ଏପରି ଏକ ଭ୍ରମ ସୃଷ୍ଟି କରେ ଯେଉଁଥିପାଇଁ ସେହି ସମୟରେ ଚନ୍ଦ୍ର ଆମକୁ ନିକଟତର ଲାଗନ୍ତି । ଆମେରିକାର ସ୍ପେସ୍ ଏଜେନ୍ସି  କହିଛି, ଏହା ସଠିକ୍ ନୁହେଁ, କାରଣ ମହାକାଶରୁ ଚନ୍ଦ୍ର ଉଇଁବା କିମ୍ବା ଅସ୍ତ ହେବା ସମୟରେ ମଧ୍ୟ ବଡ଼ ଦେଖାଯାଏ, ଯେତେବେଳେ କି ମହାକାଶରେ ଗଛ, ପର୍ବତ ଭଳି କୌଣସି ଜିନିଷ ନାହିଁ ।

ତେବେ ସନ୍ଧ୍ୟା କିମ୍ବା ପ୍ରଭାତରେ ଚନ୍ଦ୍ର କାହିଁକି ବଡ଼ ଦେଖାଯାଏ, ସେ ବିଷୟରେ ଆଉ ବେଶୀ ଚିନ୍ତା କରନ୍ତୁ ନାହିଁ । ବୁଧବାର ଦିନ ଆପଣ ଏହି ବିରଳ ଚନ୍ଦ୍ରକୁ ଦେଖନ୍ତୁ, କାରଣ ଆପଣ ଚଳିତ ବର୍ଷ ଆଉକେବେ ଏହି ବଡ଼ ଏବଂ ଉଜ୍ଜ୍ୱଳ ଚନ୍ଦ୍ର ଦେଖିବାକୁ ପାଇବେ ନାହିଁ  ।
Published by:Soubhagya Mishra
First published: