୨ ବର୍ଷ ପରେ ପୁଣି ଆରମ୍ଭ ହେଲା ସମର କ୍ୟାମ୍ପ
News18 Odia Digital
ବ୍ରହ୍ମପୁର: ଏବେ ସମୟ ଖରା ଛୁଟିର। ପାଠପଢ଼ାରୁ କିଛିଟା ବିରତି ମିଳିଛି ପିଲାଙ୍କୁ। ଆଉ ଏହି ଛୁଟି ସମୟକୁ ଅପଚୟ ନକରି କିଭଳି ଭାବେ ସଠିକ୍ ଉପଯୋଗ କରିହେବ ସେଥିପାଇଁ ଚିନ୍ତିତ ଉଭୟ ପିଲା ଓ ଅଭିଭାବକମାନେ। ପିଲାଙ୍କ ସ୍ୱାସ୍ଥ୍ୟ ସହିତ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରଶିକ୍ଷଣ ଶିବିର। ଯେଉଁଥିରେ ଦେଖିବାକୁ ମିଳୁଛି ପିଲାଙ୍କ ଭିଡ଼।
ପ୍ରଶିକ୍ଷଣ ଶିବିର ଗୁଡିକରେ ବିଭିନ୍ନ କ୍ରୀଡ଼ା ସହ ନାଚ ଗୀତ ବିଭିନ୍ନ ବିଷୟରେ ତାଲିମ ଦିଆଯାଉଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ କୋଚମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲିଖିତ ହୋଇଛି।
କେଉଁଠି ପିଲାମାନେ ହ୍ୟାଣ୍ଡ ବଲ ତାଲିମ ନେଉଛନ୍ତି ତ ଆଉ କେଉଁଠି ସ୍କେଟିଂ ତ ଆଉ କେଉଁଠି ପିଲାମାନେ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍ ତାଲିମ ନେଉଛନ୍ତି। ଏପରିକି କିଛି ପ୍ରଶିକ୍ଷଣ ଶିବିରରେ ବକ୍ସିଂର ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରାଯାଉଛି।
‘‘ଖରା ଛୁଟିକୁ ଅପଚୟ ନକରି ତାଲିମ ନେବାରେ ଲାଗି ପଡ଼ିଛନ୍ତି ପିଲାମାନେ। ଯାହାକୁ ନେଇ ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ମଧ୍ୟ ପରିଲିଖିତ ହୋଇଛି। ପ୍ରଶିକ୍ଷଣ ଶିବିରରେ କେବେଳ ତାଲିମ ନୁହେଁ ନିଜ ବନ୍ଧୁଙ୍କ ସହ ମିଶି ଭାବର ଆଦାନ ପ୍ରଦାନ ହେଉଥିବା ସହ ନୂଆ ନୂଆ ସାଙ୍ଗ ମିଳୁଛନ୍ତି,’’ କହିଛନ୍ତି ପ୍ରଶିକ୍ଷାର୍ଥୀ ଅନ୍ବେଷା ବିଷୋୟୀ।
‘‘ଏଭଳି ତାଲିମ ଦ୍ୱାରା ନିଜିର ସ୍ୱାସ୍ଥ୍ୟ ଫିଟ୍ ରହିବା ସହ ଏଭଳି କୋଚିଂ କ୍ୟାମ୍ପ ଦ୍ୱରା ଯାହା ପ୍ରଶିକ୍ଷଣ ମିଳୁଛି ତହା ଭବିଷ୍ୟତରେ ବେଶ୍ ଉପଯୋଗ ହୋଇପାରିବ। ଏହା ସହ ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ସମସ୍ତ ପ୍ରକାର କୋଚିଂ କ୍ୟାମ୍ପ ବନ୍ଦ ରହିଥିଲା ବର୍ତ୍ତମାନେ ବିଏମସି ଦ୍ୱାରା ଏଭଳି ସମର କ୍ୟାମ୍ପ କରାଯାଉଥିବାରୁ ବେଶ୍ ଲାଭବାନ ହେବ,’’ କହିଛନ୍ତି ପ୍ରଶିକ୍ଷାର୍ଥୀ ସ୍ବୟଂସୁଦ୍ଧା ପଣ୍ଡା।
ପିଲାମାନଙ୍କୁ ତାଲିମ ଦେବାକୁ କୋଚମାନେ ଲାଗିପଡ଼ିଛନ୍ତି ଫୁଲ୍ ଦମରେ। କ୍ରୀଡାର ବିଭିନ୍ନ କୌଶଳ ପିଲାମାନଙ୍କୁ ଅବଗତ କରାଉଛନ୍ତି କୋଚ। କୁନିକୁନି ପିଲାମାନଙ୍କୁ ତାଲିମ ଦେଇ ବେଶ ଉତ୍ସାହିତ ଅଛନ୍ତି ସେମାନେ। ସେପଟେ ସମର କୋଚିଂ କ୍ୟାମ୍ପ ପାଇଁ ବ୍ୟାପକ ଆୟୋଜନ କରିଛନ୍ତି ଆୟୋଜକ।
ଚଳିତ ଥର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମାଗଣାରେ ବାସ୍କେଟବଲ, ଟେବୁଲ ଟେନିସ, ବକ୍ସିଂ, ଆଧୁନିକ ନୃତ୍ୟ, ବ୍ୟାଡମିଣ୍ଟନ ଭଳି ୧୦ଟି ବିଭିନ୍ନ ବିଭାଗରେ ତାଲିମ ପାଇଁ ବ୍ୟବସ୍ଥା କରାଯାଇଛି। ଏକ ମାସ ଧରି ଏହି କୋଚିଂ କ୍ୟାମ୍ପ ଆୟୋଜନ କରାଯାଇଥିବା ବେଳେ ଏଥିରେ ୭୦୦ରୁ ଅଧିକା ବାଳକ ଓ ବାଳିକା ଅଂଶ ଗ୍ରହଣ କରିଛନ୍ତି।
‘‘ଦୁଇ ବର୍ଷର କୋରୋନା ପରେ ସମର କ୍ୟାମ୍ପ ଆୟୋଜିତ ହେବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି। ବିଭିନ୍ନ ଖେଳରେ ଭାଗ ନେଇ ନିଜ ମଧ୍ୟରେ ରହିଥିବା କ୍ରୀଡ଼ାକୁ ଆହୁରି ବିକାଶ କରିବାରେ ଲାଗି ପଡ଼ିଛନ୍ତି। ବିଏମସି ପକ୍ଷରୁ ଏହି ସମର କ୍ୟାମ୍ପ କରାଯାଇଥିବା ବେଳେ କ୍ୟାମ୍ପରେ ତାଲିମ ନେବା ପରେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନର ବ୍ୟବସ୍ଥା ରହିଛି,’’ କହିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ।
ଏଭଳି କ୍ରୀଡ଼ା ପ୍ରଶିକ୍ଷଣ ଦ୍ୱାରା ପିଲାମାନଙ୍କ ଅବସର ବିନୋଦନ ସହ ଖେଳ ଓ ନାଚ ଗୀତ ପ୍ରତି ଆଗ୍ରହ ସୃଷ୍ଟି କରୁଛି। କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଶିବିର ବାସ୍ତରେ ସ୍ୱାଗତଯୋଗ୍ୟ ପଦକ୍ଷେପ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।