ଚୋରି ଚୋରି ଚୁପ୍କେ ଚୁପ୍କେ: ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ବାହା ହେଲେ ଓଲିଉଡ ଅଭିନେତ୍ରୀ ଝିଲିକଙ୍କୁ
ଏକ ଭବ୍ୟ କିନ୍ତୁ ଗୋପନୀୟ ସମାରୋହରେ ଝିଲିକଙ୍କ ମଥାରେ ସିନ୍ଦୂର ଭରିଛନ୍ତି ଡ୍ୟାନି । ତେବେ ଏହି ହାଇପ୍ରୋଫାଇଲ୍ ନବ ଦମ୍ପତ୍ତି ବିବାହକୁ କାହିଁକି ଗୁପ୍ତ ରଖିଥିଲେ ସେ ବିଷୟରେ ଚର୍ଚ୍ଚା ହେଉଛି । ବିଧାୟକ ଡ୍ୟାନି ମାସକ ତଳେ ଝିଲିକଙ୍କୁ ବିବାହ କରିଥିଲେ ବୋଲି ଶୁଣାଯାଇଥିଲା ।

ସିନେମା ନୁହେଁ ସତ: ପ୍ରୀତିରଞ୍ଜନ ସିନ୍ଦୂର ପିନ୍ଧାଉଛନ୍ତି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ।
- News18 Odia
- Last Updated: March 12, 2020, 5:14 PM IST
ଭୁବନେଶ୍ୱର: ରାଜନୀତି ଓ ସିନେମା ଜଗତର ସମ୍ପର୍କ ନୂଆ ନୁହେଁ, କିନ୍ତୁ ଏ ସମ୍ପର୍କ ସେତେ ନିବିଡ଼ ବି ନୁହେଁ ଯେତେ ଏବେ ଏବେ ଓଡ଼ିଶାରେ ହୋଇଥିବାର ଜଣା ପଡ଼ିଛି । ଯାଜପୁର ସୁକିନ୍ଦାର ବିଜେଡି ନେତା ତଥା ବିଧାୟକ ପ୍ରୀତିରଂଜନ ଘଡ଼ାଇ ଓରଫ୍ ଡ୍ୟାନି ବିବାହ କରିଛନ୍ତି ଓଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ । ଏ ବାହାଘର ହୋଇଛି ଲୁଚାଛପାରେ, ମାନେ ଚୋରି ଚୋରି ଚୁପ୍କେ ଚୁପ୍କେ ।
ଏକ ଭବ୍ୟ କିନ୍ତୁ ଗୋପନୀୟ ସମାରୋହରେ ଝିଲିକଙ୍କ ମଥାରେ ସିନ୍ଦୂର ଭରିଛନ୍ତି ଡ୍ୟାନି । ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି ପ୍ରୀତିରଂଜନଙ୍କ ପିତା ତଥା ରାଜ୍ୟର ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଓ ମାଆ । ସୋସିଆଲ ମିଡିଆରେ ଏ ହାଇପ୍ରୋଫାଇଲ୍ ଜୋଡ଼ିଙ୍କ ବିବାହର ଖବର ଓ ଫଟୋ ଆସିବା ପରେ ହିଁ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଏ ଶୁଭ ଖବର ମିଳିଛି । ସୋସିଆଲ୍ ମିଡ଼ିଆରେ ଖାଲି ବିବାହ ବେଳର ଫଟୋ ଆସିନି, ତା’ ସହ ଆସିଛି ବିବାହ ସେଲିବ୍ରେସନର ଭିଡିଓ ।
ଗଞ୍ଜାମ ଜିଲ୍ଲା ପଥରାସ୍ଥିତ ସ୍ବସ୍ତି ଚିଲିକା ରିସର୍ଟରେ ଆୟୋଜିତ ଏହି ଲୋ-ପ୍ରୋଫାଇଲ୍ ମ୍ୟାରେଜ୍ ସେରିମନିରେ ହାଇପ୍ରୋଫାଇଲ୍ ଫିଗର ଦୁଇ ଜଣ ନାଚଗୀତରେ ମସଗୁଲ ହୋଇଥିଲେ । ହାତଗଣତି ଅତିଥିଙ୍କ ଗହଣରେ ଏହି ସେଲିବ୍ରେସନ ହୋଇଥିଲା । ଜଣେ ରାଜନେତାଙ୍କ ସହ ଜଣେ ଅଭିନେତ୍ରୀଙ୍କ ଏହି ବିବାହକୁ ଗୁପ୍ତ ରଖିବା ନିଶ୍ଚୟ କଷ୍ୟସାଧ୍ୟ ହୋଇଥିବ, ହେଲେ କଷ୍ଟ ସଫଳ ହୋଇଛି ବୋଲି ଅନେକ ମତ ଦେଇଛନ୍ତି ।

ବିବାହ ସମାରୋହରେ ବିଧାୟକ ପ୍ରୀତିରଂଜନ ଓ ଝିଲିକ ଭଟ୍ଟାଚାର୍ଯ୍ୟ ।
ତେବେ ପ୍ରଶ୍ନ ଉଠୁଛି କାହିଁକି ଏ ବିବାହକୁ ଗୁପ୍ତ ରଖିଥିଲେ ବିଧାୟକ ଡ୍ୟାନି । ଚର୍ଚ୍ଚା ହେଉଛି ଯେ ପାଖାପାଖି ମାସକ ତଳେ ଅଭିନେତ୍ରୀ ଝିଲିକଙ୍କୁ ବିବାହ କରିଥିଲେ ଡ୍ୟାନି । ଚିଲିକାର ଏକ ରିସୋର୍ଟରେ ଅତ୍ୟନ୍ତ ଗୋପନୀୟ ଭାବେ ସଂପନ୍ନ ହୋଇଥିଲା ଏହି ବିବାହ । କେବଳ ବର କନ୍ୟାଙ୍କ ପରିବାର ସଦସ୍ୟଙ୍କ ଭିତରୁ କିଛି ଓ ସେମାନଙ୍କର ଅତି ନିକଟ କିଛି ଲୋକ ସେହି ବିବାହୋତ୍ସବରେ ଉପସ୍ଥିତ ଥିଲେ । ପାରମ୍ପରିକ ରୀତିନୀତିରେ କରାଯାଇଥିଲା ବାହାଘର ।
୨୦୧୪ ନିର୍ବାଚ଼ନରେ କୋରେଇରୁ ବିଜୟୀ ହୋଇଥିଲେ ପ୍ରୀତିରଞ୍ଜନ ଘଡ଼ାଇ । ୨୦୧୯ରେ ତାଙ୍କ ଆସନ ବଦଳି ଯାଇଥିଲା, ଓ ସେ ସୁକିନ୍ଦାରୁ ବି ରାଜନୈତିକ ବାଜି ମାରିଥିଲେ । ଯାଜପୁର ଜିଲ୍ଲାର ଜଣେ ପ୍ରଭାବଶାଳୀ ଯୁବ ରାଜନେତା ଭାବେ ଉଭୁରିଥିବା ପ୍ରୀତିରଞ୍ଜନ ଓ ଓଲିଉଡ୍ ଅଭିନେତ୍ରୀ ଝିଲିକଙ୍କ ପ୍ରେମ କିଛି ମାସ ତଳେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ଉଭୟ ପରସ୍ପରର ଜୀବନସାଥୀ ହେବା ପରେ ସେ ଚ଼ର୍ଚ୍ଚାରେ ବିରାମ ଲାଗିବ ବୋଲି ଆଶା କରାଯାଉଛି ।
ଦେଖନ୍ତୁ ଭିଡିଓ: