କିଶନନଗର ଥାନା ପରିସରରେ ଆତ୍ମାହୁତି ଉଦ୍ୟମ
News18 Odia Digital
କଟକ: କଟକ ଜିଲ୍ଲା କିଶନନଗର ଥାନା ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଠାରୁ ନ୍ୟାୟ ନମିଳିବା ଅଭିଯୋଗ କରି ଥାନା ସାମ୍ନାରେ ନିଜ ଦେହରେ ନିଆଁ ଲାଗାଇଲେ ସ୍ଥାନୀୟ କୋରିଆଁ ଗାଁର ବାସିନ୍ଦା ଗୁଣନିଧି ବିଷୋଇ। ଗୁଣନିଧିଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଜମିବାଡ଼ିକୁ କେନ୍ଦ୍ର କରି ନିଜ ପୁତୁରାମାନଙ୍କ ସହ ଗୁଣନିଧିଙ୍କର ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ତେବେ ଗତ ରବିବାର ଦିନ ତାଙ୍କର ପୁତୁରାମାନେ ସଙ୍ଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଗୁଣନିଧି। କିନ୍ତୁ ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅନ୍ୟ କୌଣସି ଉପାୟ ନ ପାଇଁ ଗୁଣନିଧି ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ।
"୪ ଦିନ ତଳେ ସାଗର ବିଷୋଇ, ଗୋଲକ ବିଷୋଇ ଓ ଦୟାନିଧି ବିଷୋଇ ତିନି ଜଣ ଯାକ ଏକାଠି ହୋଇ ବାପାଙ୍କୁ ମାଡ଼ ମାରିଥିଲେ। ବାପା ଏ ସମ୍ପର୍କରେ କିଶନନଗର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ପୋଲିସ କିଛି ବି କଲା ନାହିଁ। ସେଥିପାଇଁ ବାବା ଏମିତି ଏକ ପଦକ୍ଷେପ ନେଇଗଲେ। ଏଥିପାଇଁ ପୋଲିସ ସମ୍ପୂର୍ଣ୍ଣ ଦାୟୀ," କହିଛନ୍ତି ଆତ୍ମହତ୍ୟାଙ୍କୁ ଚେଷ୍ଟା କରୁଥିବା ଗୁଣନିଧିଙ୍କ ପୁଅ କୃତିବାସ ବିଷୋଇ।
ମିଳିଥିବା ସୂଚନା ମୁତାବକ ପେସାରେ ଜେଣ ବ୍ୟବସାୟୀ ଥିବା ଗୁଣନିଧି ଆଜି ସକାଳ ପ୍ରାୟ ୧୦ଟା ବେଳେ କିଶନନଗର ଥାନାରେ ପହଁଚିଥିଲେ। ତାଙ୍କ ଅଭିଯୋଗ ଉପରେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି କହି ଥାନା ଅଧିକାରୀଙ୍କ ସହ ଗୁଣନିଧିଙ୍କ ବଚସା ମଧ୍ୟ ହୋଇଥିଲା। ଏହା ପରେ ନିଜ ସାଥିରେ ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ ଗୁଣନିଧି। ଏହା ଦେଖି ଉପସ୍ଥିତ ଥିବା ପୋଲିସ କର୍ମୀ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ସହ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଇଥିଲେ। ସେପଟେ ଏହି ଘଟଣା ପରେ ଗୁଣନିଧିଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛି ପୋଲିସ।
"୪ ଦିନ ତଳେ ଉଭୟ ପକ୍ଷ ଥାନାକୁ ଆସି ପରସ୍ପର ବିରୁଦ୍ଧରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଥିଲା। ଗୁଣନିଧିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ଧରିବା ପାଇଁ ଆମେ ସ୍ବତନ୍ତ୍ର ଟିମ ଗଠନ କରିଛୁ," କହିଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ।
ଏହି ଘଟଣା ପରେ କିଶନନଗର ଥାନା ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଗୁଣନିଧିଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି ତାଙ୍କ ପରିବାର ଲୋକେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।