୧୭ ବର୍ଷ ଧରି ନିରନ୍ତର ଭାବେ ପରିବେଶ ସୁରକ୍ଷାରେ ଲାଗିଛନ୍ତି ବ୍ରହ୍ମପୁରର ସୁଧିର ରାଉତ

କେବଳ ଯେ ବୃକ୍ଷରୋପଣ କରୁଛନ୍ତି ତାହା ନୁହେଁ ବରଂ ଗାଁ ଗାଁ ବୁଲି ଲୋକଙ୍କୁ ବୃକ୍ଷରୋପଣ ନିମନ୍ତେ ସଚେତନ କରାଇବା ସହିତ ପରିବେଶର ସୁରକ୍ଷା ଓ ପ୍ଳାଷ୍ଟିକ ମୁକ୍ତ ସମାଜ ଗଠନ କରିବା ନିମନ୍ତେ ମଧ୍ୟ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ସୁଧିର ରାଉତ ।

୧୭ ବର୍ଷ ଧରି ନିରନ୍ତର ଭାବେ ପରିବେଶ ସୁରକ୍ଷାରେ ଲାଗିଛନ୍ତି ବ୍ରହ୍ମପୁରର ସୁଧିର ରାଉତ

୧୭ ବର୍ଷ ଧରି ନିରନ୍ତର ଭାବେ ପରିବେଶ ସୁରକ୍ଷାରେ ଲାଗିଛନ୍ତି ବ୍ରହ୍ମପୁରର ସୁଧିର ରାଉତ

  • Share this:
News18 Odia Digital

ବ୍ରହ୍ମପୁର: ଦିନକୁ ଦିନ ବିଗୁଡ଼ୁଛି ପରିବେଶ ତା ସାଙ୍ଗକୁ ବଦଳୁଛି ଉପକୂଳ ଅଞ୍ଚଳର ଚିତ୍ର । ଏଥିରୁ ରକ୍ଷା ପାଇବା ନିମନ୍ତେ ଗୋଟିଏ ମାତ୍ର ଅସ୍ତ୍ର ହେଉଛି ଏହାର ବୃକ୍ଷରୋପଣ ଓ ଉପକୂଳର ସୁରକ୍ଷା । ତେଣୁ ପରିବେଶ ସୁରକ୍ଷା ଦିଗରେ ଦୀର୍ଘ ୧୭ ବର୍ଷ ହେଲା ନିଜର ଉଦ୍ୟମ ଜାରି ରଖିଛନ୍ତି ବ୍ରହ୍ମପୁର ସୁଧିର ରାଉତ । ଗଞ୍ଜାମ ଜିଲ୍ଲାର ୧୩ଟି ଲଣ୍ଡା ପାହାଡ଼ରେ ସବୁଜ ବନାନୀ ସୃଷ୍ଟି କରିଛନ୍ତି ସେ । ଏହା ଛଡ଼ା ସିଡ଼ବଲ୍‌ ଜରିଆରେ ଅପହଞ୍ଚ ଅଞ୍ଚଳରେ ମଧ୍ୟ ବୃକ୍ଷରୋପଣ କରିପାରିଛନ୍ତି ।

କେବଳ ଯେ ବୃକ୍ଷରୋପଣ କରୁଛନ୍ତି ତାହା ନୁହେଁ ବରଂ ଗାଁ ଗାଁ ବୁଲି ଲୋକଙ୍କୁ ବୃକ୍ଷରୋପଣ ନିମନ୍ତେ ସଚେତନ କରାଇବା ସହିତ ପରିବେଶର ସୁରକ୍ଷା ଓ ପ୍ଳାଷ୍ଟିକ ମୁକ୍ତ ସମାଜ ଗଠନ କରିବା ନିମନ୍ତେ ମଧ୍ୟ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ସୁଧିର ରାଉତ ।

ବୃକ୍ଷ ହିଁ ତାଙ୍କ ପାଇଁ ସବୁ କିଛି । ଏଥି ପାଇଁ ତ ଶିକ୍ଷକତାରୁ ଅବସର ନେବା ପରେ ବୃକ୍ଷକୁ ନିଜର ବନ୍ଧୁ ବୋଲି ଭାବି ତା'ର ଅଭିବୃଦ୍ଧି ଓ ସୁରକ୍ଷା ଦିଗରେ କାମ କରି ଆସୁଛନ୍ତି ।

ଗାଁ ଗାଁ ବୁଲି ଲୋକଙ୍କୁ ବୃକ୍ଷରୋପଣ ନିମନ୍ତେ ସଚେତନ କରାଇବା ସହିତ ପରିବେଶର ସୁରକ୍ଷା ପାଇଁ ସଚେତନା ବାର୍ତ୍ତା ବାଣ୍ଟୁଛନ୍ତି ସୁଧିର ରାଉତ


ସୁଧିର ୨୦୦୩ ମସିହାରେ ବିଜୟୱାଡ଼ା ସ୍ଥିତ ଏକ ଘରୋଇ କଲେଜରେ ଶିକ୍ଷକତା କରୁଥିଲେ । ସେହି ସମୟରେ ସେଠିକାର ପରିବେଶକୁ ଅତ୍ୟାଧିକ ଗରମ ରହିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ,ଶିକ୍ଷୟତ୍ରୀମାନେ ନାପସନ୍ଦ କରୁଥିଲେ । ଏହା ପରେ ସୁଧିର କଲେଜ ପରିସରରେ ବିଭିନ୍ନ ପ୍ରକାରର ଗଛ ଲଗାଇଥିଲେ । କିଛି ଦିନ ମଧ୍ୟରେ ଗଛ ବଡ଼ ହେବା ପରେ କଲେଜର ପରିବେଶ ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହିତ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହାକୁ ଦେଖି ସୁଧିରଙ୍କ ପରିବେଶ ତଥା ବୃକ୍ଷ ପ୍ରତି ପ୍ରେମ ବୃଦ୍ଧି ପାଇଥିଲା ।

୨୦୦୬ ମସିହାରେ ଶିକ୍ଷକତା ସାରି ସେ ଓଡ଼ିଶା ଆସିଥିଲେ । ଓଡ଼ିଶାକୁ ଫେରିବା ପରେ ନିଜର ଜନ୍ମମାଟି ଗଞ୍ଜାମ ଜିଲ୍ଳାର ଚିକିଟି ବ୍ଳକ ମାଧବନ୍ଧରେ ରହିଥିଲେ । ନିଜ ଗାଁରେ ସେ ପ୍ରଥମ ପର୍ଯ୍ୟାୟରେ ୧୦୦ ଗଛ ଲଗାଇଥିଲେ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୩୦୦ ଗଛ ଲଗାଇଥିଲେ । ହେଲେ ଫାଇଲିନ୍‌ ବାତ୍ୟାରେ ଅନେକ ଗଛ ଭାଙ୍ଗି ଯାଇଥିଲା । କିଛି ଗଛକୁ ପୁଣି ଜୀବନ୍ତ କରିଥିଲେ ସୁଧିର । ଏହା ପରେ ୨୦୧୦ ମସିହାରେ ସବୁଜ ରଥ ବାହାର କରିଥିଲେ ସେ । ଦାସ କାଠିଆ, ଗାହାଣି ମାଧ୍ୟମରେ ଲୋକଙ୍କୁ ଗାଁ ଗାଁ ବୁଲି ପରିବେଶର ସୁରକ୍ଷା ପାଇଁ ସଚେତନ କରାଇଥିଲେ ।

ଦୀର୍ଘ ୧୭ ବର୍ଷ ହେଲା ନିଜର ଉଦ୍ୟମ ଜାରି ରଖିଛନ୍ତି ବ୍ରହ୍ମପୁର ସୁଧିର ରାଉତ


କିଭଳି ଭାବେ ପରିବେଶକୁ ସୁରକ୍ଷା କରାଯାଇପାରିବ, ଗଛ ଲଗାଇବା, ଜଳ ସଂରକ୍ଷଣ, ନିଜ ଗାଁକୁ ପ୍ଳାଷ୍ଟିକ୍‌ ଓ ପୋଲିଥିନ୍‌ ମୁକ୍ତ କରିବା ଏଭଳି ପରିବେଶକୁ ନେଇ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇଥିଲେ । ଏହା ଦ୍ବାରା ଅନେକ ଲୋକେ ସଚେତନ ମଧ୍ୟ ହୋଇଛନ୍ତି କହିପାରିଛନ୍ତି।

ପରିବେଶର ସୁରକ୍ଷା ନିମନ୍ତେ ଆଉ ଏକ ଅଭିଯାନ ଆରମ୍ଭ କରିଥିଲେ ସୁଧିର ରାଉତ । ୨୦୧୬ ମସିହାରେ ପିତାତଳି ପଞ୍ଚାୟତରେ ୨୮ ଏକର ଜମିରେ ୧୨ ହଜାରରୁ ଅଧିକ ଗଛ ଲଗାଯାଇଥିବା ବେଳେ ବର୍ତ୍ତମାନ ୧୦ ହଜାରରୁ ଅଧିକ ଗଛ ବଞ୍ଚିଛି । ସେହି ପରି ୨୦୧୭ ମସିହାରେ ଏକ ଲଣ୍ଡା ପାହାଡ଼ରେ ମାଟି ଖସିକି ଦେଢ଼ ଲକ୍ଷ ମଞ୍ଜି ପୋତିଥିଲେ । ସେଥିରୁ ବର୍ତ୍ତମାନ ପ୍ରାୟ ୫୦, ୦୦୦ ଗଛ ବଞ୍ଚି ରହିଛି । ୨୦୧୮ ମସିହାରେ ପୁଣି ଏକ ଅଭିଯାନ ଆରମ୍ଭ କରିଥିଲେ ସୁଧିର । ଯେଉଁଥିରେ ସୁଧିରଙ୍କ ସହ ଆଉ ୨୦ ରୁ ୨୫ ଜଣ ସ୍ବେଚ୍ଛାସେବୀ ରାଜ୍ୟର ବିଭିନ୍ନ ଜିଲ୍ଲାର ଗାଁ ଗାଁ ବୁଲି ବୁଲି ଘଣ୍ଟ ବାଡ଼େଇ ଓ ଶଙ୍ଖ ବଜାଇ ପରିବେଶ ସୁରକ୍ଷାର ବାର୍ତ୍ତା ଲୋକଙ୍କୁ ପ୍ରଦାନ କରିଥିଲେ ।

ସୁଧିର ରାଉତଙ୍କ ଏଭଳି ପରିବେଶ ପାଇଁ ଭଲ ପାଇବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ଯେ ରାଜ୍ୟରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ପ୍ରଶଂସା ପାଇପାରିଛନ୍ତି। ଯାହା ଫଳରେ ବାହାର ରାଜ୍ୟର ଅନେକ ପରିବେଶବିତମାନେ ସୁଧିରଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

୨୦୧୯ରେ ନର୍ମଦା ନଦୀର ଉତ୍ପତ୍ତିସ୍ଥଳ ଅମରକଣ୍ଟକର କିଛି ସ୍ବେଚ୍ଛାସେବୀମାନେ ସିଡବଲ ମେସିନ୍‌ ସୁଧିରଙ୍କୁ ପ୍ରଦାନ କରିଥିଲେ । ଏହି ମେସିନରେ ମାଟି ଓ ମଞ୍ଜି ପକାଇବା ଦ୍ବାରା ମଞ୍ଜିକୁ ନେଇ ଛୋଟ ଛୋଟ ମାଟି ଗୁଳା ହୋଇଥାଏ । ଏହି ମାଟି ଗୁଳା ସାହାର୍ଯ୍ୟରେ ଖୁବ ସହଜରେ ଗଛ ସୃଷ୍ଟି ହୁଏ । ଯେଉଁ ପାହାଡ଼ିଆ ଅଞ୍ଚଳରେ ପହଞ୍ଚି ଗଛ ଲଗାଇବା ଅସମ୍ଭବ ତଥା ଅପହଞ୍ଚ ଅଞ୍ଚଳ ଗୁଡ଼ିକରେ ସିଡବଲ ବ୍ୟବହାର କରି ଗଛ ଲଗାଇବା ନିମନ୍ତେ ଆଗବର ହୋଇ ଉଠିଛନ୍ତି ସୁଧିର ।

‘‘ମେସିନ୍‌ ସାହାର୍ଯ୍ୟରେ ହଜାର ହାଜର ସିଡବଲ ପ୍ରସ୍ତୁତ କରି ଲଣ୍ଡା ପାହାଡ଼ ଓ ପାହାଡ଼ିଆ ଅଞ୍ଚଳକୁ ଯାଇ ସିଡବଲ ଫିଙ୍ଗି ଚାଲିଲେ । ଏହି ସିଡ଼ବଲ ଦ୍ବାରା ଅନେକ ଗଛ ମଧ୍ୟ ନୂଆ ଭାବେ ସୃଷ୍ଟି ହୋଇପାରିଲା । ଏହି ସିଡ଼ବଲର ବ୍ୟବହାର ଓଡ଼ିଶାରେ ପ୍ରଥମ ଥର ମୁଁ କରିଛି । ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଲକ୍ଷ ସିଡ଼ବଲ ବିଭିନ୍ନ ଅଞ୍ଚଳରେ ଫିଙ୍ଗା ଯାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ତିନି ଲକ୍ଷ ମଞ୍ଜି ପୋତାଯାଇଛି,’’ କହିଛନ୍ତି ପରିବେଶବିତ୍‌ ସୁଧିର ରାଉତ ।

ସ୍ବେଚ୍ଛାସେବୀ ମାୟାଧର ବିଷୋୟୀ କହିଛନ୍ତି, ‘‘ସୁଧିରଙ୍କ ଏଭଳି କାର୍ଯ୍ୟକୁ ଅନେକ ଲୋକେ ପ୍ରଶଂସା କରିଥିବା ବେଳେ କିଛି ସ୍ବେଚ୍ଛାସେବୀ ସ୍ବଇଚ୍ଛାରେ ସୁଧିରଙ୍କ ସହ ପରିବେଶ ସୁରକ୍ଷା ଦିଗରେ ସାମିଲ ହୋଇଥିଲେ । ସୁଧିରଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହିତ ସଚେତନତା ମୂଳକ ବାର୍ତ୍ତା ବାଣ୍ଟିବାରେ ସହାୟକ ହୋଇଛନ୍ତି କିଛି ସ୍ବେଚ୍ଛାସେବୀ । ଅବସର ସମୟକୁ ଏଭଳି ଖାଲିରେ ନ ଅତିବାହିତ କରି ପରିବେଶ ପାଇଁ ସେ ସମୟ ଦେଉଥିବାରୁ ବେଶ ଖୁସୀ ଲାଗୁଛି ।’’

ଓଡ଼ିଶାକୁ ସୁଧିର ଫେରିବା ପରେ ତାଙ୍କ ସହ କାମ କରି ଆସୁଛନ୍ତି ସୁଶାନ୍ତ । ୨୦୦୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧିର ଗଛ ଲଗାଇବା ହେଉ ଅଥବା ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବ କାର୍ଯ୍ୟକ୍ରମ ହେଉ ସବୁ ସ୍ଥାନରେ ପହଞ୍ଚିଥାନ୍ତି ସୁଶାନ୍ତ ।

ସ୍ବେଚ୍ଛାସେବୀ ସୁଶାନ୍ତ ମହାନ୍ତି କହିଛନ୍ତି, ‘‘ପ୍ରତିଦିନ ସକାଳୁ ୧୧ଟା ପର୍ଯ୍ୟନ୍ତ ଏଭଳି ଗଛ ଲଗାଇବା ଠାରୁ ଆରମ୍ଭ କରି ପରିବେଶର ସୁରକ୍ଷା ଦିଗରେ ମଧ୍ୟ କାମ କରିଥାନ୍ତି ସୁଧିର । ଲୋକେ ପରିବେଶର ସ୍ଥିତିକୁ ନେଇ ସବୁ ଜାଣିଥିବା ବେଳେ ମଧ୍ୟ ସଚେତନତାର ଅଭାବ ରହିଥିବା ଯୋଗୁଁ ତାଙ୍କୁ ସଚେତନ କରାଇବା ସହିତ ପରିବେଶର ସୁରକ୍ଷା ଦିଗରେ କାମ କରିବା ହେଉଛି ସବୁଠୁ ବଡ଼ କାର୍ଯ୍ୟ ।’’
Published by:Lipina Das
First published: