News 18 Odia Digital
ଗଞ୍ଜାମ: ଆଜି ହେଉଛି ବଡ଼ଦିନ । ଦୀର୍ଘ ଦୁଇବର୍ଷର କୋରୋନା କଟକଣା ହଟିବା ପରେ ଆଜି ଖ୍ରୀଷ୍ଟମାସ ପାଇଁ ସବୁଠି ଚାଲିଛି ସେଲିବ୍ରେସନ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହଁନ୍ତି ଏହି ପର୍ବକୁ ସବୁ ବର୍ଗରେ ଲୋକେ ଧୁମଧାମରେ ପାଳନ କରୁଛନ୍ତି । ଆଉ ମଧ୍ୟରାତ୍ରରେ ଯୀଶୁ ଧରାବତରଣ କରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଗୁଡିକ ସୁନ୍ଦର ଆଲୋକମାଳାରେ ସଜାଯାଇଛି ।
ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍ ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏଥି ସହିତ ସେ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଏହି ବାଲୁକା କଳାକୃତି ବେଶ୍ ଚର୍ଚ୍ଚା ସାଉଁଟିଛି। ଦୀର୍ଘ ୨୨ ବର୍ଷ ପରେ ପୃଥିବୀର ସବୁଠାରୁ ବଡ଼ ଅର୍ଥାତ୍ ୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଖ୍ରୀଷ୍ଟ ମାସ ପର୍ବ ଅବସରରେ ଏଭଳି ବିରଳ ବାଲୁକା କଳାକୃତି ତିଆରି କରି ଉଚ୍ଚ ପ୍ରଶଂସା ପାଉଛି। ଏହାକୁ ୧୫ ଜଣ ଛାତ୍ରଛାତ୍ରୀ ଦୁଇ ଦିନ ଧରି ବାଲୁକା ଶିଳ୍ପୀଙ୍କୁ ତିଆରି କରିବାରେ ସହଯୋଗ କରିଛନ୍ତି । ଏହି ସାନ୍ତାକ୍ଳଜକୁ ତିଆରି କରିବା ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା।
ଏହି କଳାକୃତିକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।