ଭୂପୃଷ୍ଠରୁ ଆକାଶମାର୍ଗକୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; DRDO ଓ ନୌସେନା ଦ୍ୱାରା ସମ୍ପନ୍ନ

ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି ।

ଭୂପୃଷ୍ଠରୁ ଆକାଶମାର୍ଗକୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; DRDO ଓ ନୌସେନା ଦ୍ୱାରା ସମ୍ପନ୍ନ

ଭୂପୃଷ୍ଠରୁ ଆକାଶମାର୍ଗକୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; DRDO ଓ ନୌସେନା ଦ୍ୱାରା ସମ୍ପନ୍ନ

  • Share this:
News 18 Odia Digital

ବାଲେଶ୍ୱର; ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ଏବଂ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଛି । ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭୂଲମ୍ବ (ଭର୍ଟିକାଲ) ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା । ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ) ସିକର୍‌ ବା ଲକ୍ଷ୍ୟଭେଦ ପ୍ରଣାଳୀ ଉଚ୍ଚ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା ।

ପରୀକ୍ଷଣ ସମୟରେ, ଫ୍ଲାଇଟ୍‌ ଡେଟାକୁ ବ୍ୟବହାର କରି କ୍ଷେପଣାସ୍ତ୍ରର ଗତିପଥ ଏବଂ ପ୍ରଦର୍ଶନ ମାନକ ଅନୁଧ୍ୟାନ କରାଯାଇଥିଲା । ଚାନ୍ଦିପୁର ଆଇଟିଆର ପକ୍ଷରୁ ମୁତୟନ କରାଯାଇଥିବା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଟେଲିମେଟ୍ରୀ ପ୍ରଣାଳୀ ଭଳି ବିଭିନ୍ନ ଦୂର ମାପନ ଉପକରଣ ସହାୟତାରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଡିଜାଇନ ଏବଂ ଏହାକୁ ବିକଶିତ କରିବାରେ ଡିଆରଡିଏଲ, ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଓ ପୁଣେର ଆର ଏଣ୍ଡ ଡି ଇଞ୍ଜିନିୟର୍ସ ଭଳି ବିଭିନ୍ନ ଡିଆରଡିଓ ପ୍ରୟୋଗଶାଳାର ଯୋଗଦାନ ରହିଥିଲା । ଏସବୁ ପ୍ରୟୋଗ ଶାଳାର ବରିଷ୍ଠ ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ପ୍ରଣାଳୀର ପରୀକ୍ଷଣକୁ ଅନୁଧ୍ୟାନ କରିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ଆକାଶମାର୍ଗ ପରୀକ୍ଷଣ ନିମନ୍ତେ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏହା ସହ ଜଡ଼ିତ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ବୋଲି ସେ କହିଛନ୍ତି । ସଫଳ ଫ୍ଲାଇଟ୍‌ ଟେଷ୍ଟରେ ନିୟୋଜିତ ସବୁ ବୈଜ୍ଞାନିକ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ପରୀକ୍ଷଣ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଭାବଶୀଳତାକୁ ପ୍ରମାଣିତ କରିଛି ।
First published: