ଠେଲାଗାଡ଼ିରେ ଜଳଖିଆ ବିକି ପାଠ ପଢ଼ି ପରୀକ୍ଷା ଦେଲେ ଛାତ୍ର ବିକାଶ ; ସଫଳତା ପରେ ପ୍ରଶଂସାର ସୁଅ

ଠେଲାଗାଡ଼ିରେ ଜଳଖିଆ ବିକି ଦଶମ ପରୀକ୍ଷାରେ ଗାଁର ଟପ୍ପର ହେଲେ ବିକାଶ ଦାଶ । ସବୁଆଡ଼ୁ ମିଳୁଛି ପ୍ରଶଂସାର ସୁଅ । ସରକାରୀ ସହାୟତା ପ୍ରଦାନ ଦାବି ।

ଅଭାବ ଅନାଟନ ସତ୍ୱେ ବିକାଶ ରଖିଲେ ୮୮ ପ୍ରତିଶତ ନମ୍ୱର

ଅଭାବ ଅନାଟନ ସତ୍ୱେ ବିକାଶ ରଖିଲେ ୮୮ ପ୍ରତିଶତ ନମ୍ୱର

  • Share this:
News 18 Odia Digital

ବ୍ରହ୍ମପୁର; କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଯାହାର ସଠିକ୍‌ ନିଦର୍ଶନ ଦେଖିବାକୁ ମିଳିଛି ବିକାଶଙ୍କ କ୍ଷେତ୍ରରେ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ରାଣୀପଡ଼ା ଗାଁର ବିକାଶ ଦାଶ । ନିଜ ବାପାଙ୍କ ଦେହାନ୍ତ ହେବା ପରେ ଘର ଚଳାଇବା ପାଇଁ ମାଆ ଜଳଖିଆ ପ୍ରସ୍ତୁତ କରୁଥିଲେ । ବିକାଶ ଓ ତାଙ୍କ ସାନ ଭାଇ ଗାଁ ଗାଁ ବୁଲି ମାଆ ପ୍ରସ୍ତୁତ କରୁଥିବା ଜଳଖିଆ ବିକ୍ରି କରିଥାନ୍ତି । ଜଳଖିଆ ବିକ୍ରି କରି ଯାହା ରୋଜଗାର କରନ୍ତି ସେଥିରେ ବିକାଶଙ୍କ ପରିବାର ଚଳିଥାଏ । ଏଭଳି ଆର୍ଥିକ ଅନାଟନ ସତ୍ୱେ ମଧ୍ୟ ବିକାଶ ନିଜର ପାଠପଢ଼ା ଜାରି ରଖିଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷାରେ ୮୮ ପ୍ରତିଶତ ନମ୍ବର ରଖି ପାସ୍ କରିଛନ୍ତି । ବିକାଶ ଜଳଖିଆ ବିକ୍ରି କରି ପାଠପଢ଼ି ଏତେ ନମ୍ବର ରଖିଥିବା ଯୋଗୁଁ ତାଙ୍କ ସଫଳତାକୁ ନେଇ ଏବେ ସମସ୍ତେ ଗର୍ବିତ ।

ବାପାଙ୍କ ମୃତ୍ୟୁ ପରେ ମୁଣ୍ଡ ଉପରେ ତିନି ଜଣଙ୍କ ଦାୟିତ୍ଵ । ଭଙ୍ଗା ଦଦରା ଘରେ କିଭଳି ସମାଜରେ ସମ୍ମାନର ସହ ଜିଇଁ ହେବ ସେଥିନେଇ ଚାଲିଥିଲା ସଂଘର୍ଷ । ଏଭଳି ଅଭାବ ଅନାଟନରେ ମଧ୍ୟ ସଫଳତାର ସ୍ୱାଦ ଚାଖିଛନ୍ତି ବିକାଶ ।
‘‘ବାପାଙ୍କ ଦେହାନ୍ତ ହେବା ପରେ ସେ ଭାଙ୍ଗି ନ ଯାଇ ନିଜ ପରିବାର ପାଇଁ ରୋଜଗାର କରିବାକୁ ବାହାରକୁ ପାଦ କାଡିଥିଲେ ।  ସକାଳୁ କିଛି ସମୟ ଜଳଖିଆ ବିକ୍ରି କରିବା ପରେ ଦୁଇ ଭାଇ ପାଠ ପଢିବାକୁ ସ୍କୁଲ ଯାଇଥାନ୍ତି । ସେହିପରି ସ୍କୁଲରୁ ଫେରିବା ପରେ ପୁଣି ଗାଁରୁ ଗାଁ ବୁଲି ଜଳଖିଆ ବିକ୍ରି କରିଥାନ୍ତି ‌। ଏଭଳି ଦିନରେ କିଛି ସମୟ ପାଠ ପଢି ବର୍ତ୍ତମାନ ଦଶମ ଶ୍ରେଣୀ ପରୀକ୍ଷାରେ ୬୦୦ ରୁ ୫୮୮ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ଆଗାମୀ ଦିନରେ ଏଭଳି ପରିଶ୍ରମ କରି ପାଠପଢି ଡାକ୍ତର ହେବି ବୋଲି କହିଛନ୍ତି ବିକାଶ ଦାଶ ।

ବିକାଶ ସ୍ଥାନୀୟ କାଳିମେଘି ହାଇସ୍କୁଲରେ ପାଠ ପଢୁଥିଲେ । ପ୍ରତିଦିନ ଜଳଖିଆ ବିକ୍ରି କରି ସଠିକ ସମୟରେ ସ୍କୁଲକୁ ଆସୁଥିଲେ ବିକାଶ । ବିକାଶଙ୍କ ଏଭଳି ପରିଶ୍ରମ କରି ପାଠ ପଢିବାର ଦେଖି ସ୍କୁଲର ଅନେକ ଛାତ୍ରଛାତ୍ରୀ ତାଙ୍କୁ ଦେଖି ଅନୁପ୍ରାଣିତ ହୋଇଥାନ୍ତି । ବିକାଶଙ୍କ ଏଭଳି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି ବିକାଶଙ୍କ ଶିକ୍ଷକ ଅଭିମନ୍ୟୁ ଜେନା ।

୨୦୧୭ ମସିହାରେ ବିକାଶଙ୍କ ବାପା ମୀନକେତନ ସାହୁଙ୍କ ଦେହାନ୍ତ ହୋଇଥିଲା । ଏହାପରେ ବିକାଶ ଘର ଚଳାଇବାର ଦାୟିତ୍ଵ ନେଇଥିଲେ । ନିଜେ ଜଳଖିଆ ବିକ୍ରି କରି ପୁଣି ପାଠ ପଢିବା ପାଇଁ ସମୟ ବାହାର କରିବା ନିହାତି ଭାବେ କଷ୍ଟସାଧ୍ୟ । ଏତେ ଘାତପ୍ରତିଘାତ ମଧ୍ୟରେ ପାଠପଢି ଭଲ ନମ୍ବର ରଖିବା ଗାଁ ପାଇଁ ଗର୍ବ ବୋଲି କହିଛନ୍ତି ବିକାଶଙ୍କ ଗ୍ରାମର କୃଷ୍ଣ ପଲେଇ ।

ଦିଇ ଓଳା ଦୁଇ ମୁଠା ଖାଇବା ପାଇଁ ବ୍ୟବସ୍ଥା କରିବା କଷ୍ଟକର ଥିଲା ବିକାଶଙ୍କ ପାଇଁ । ଏଭଳି ସ୍ଥିତିରେ ବିକାଶଙ୍କୁ ସହାୟତାର ହାତ ବଢାଇଥିଲା ବିପଦର ବନ୍ଧୁ ନାମକ ଏକ ସଙ୍ଗଠନ । ବିକାଶକୁ ପାଠ ପଢିବା କ୍ଷେତ୍ରରେ ଏହି ସଙ୍ଗଠନ ବେଶ ସହାୟକ କରିଥିଲା । ବିକାଶ ନିଜ ପରିବାର ସହ ଏକ ଭଙ୍ଗା ଦଦରା ଘରେ ରହୁଥିବା ବେଳେ  ବିଭିନ୍ନ ଅସୁବିଧାର ସହ ଚଳୁଛନ୍ତି । ତେଣୁ ତାଙ୍କୁ ସମସ୍ତ ପ୍ରକାରର ସରକାରୀ ସୁବିଧା କିଭଳି ଯୋଗାଇ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି,‘‘ ସନ୍ତୋଷ କୁମାର ସ୍ବାଇଁ ସାନ ଉସ୍ତାପଡ଼ା ।

ଅସୁବିଧାରେ ଥାଇ ମଧ୍ୟ ବିକାଶ ନିଜ ପ୍ରତିଭାକୁ ବିକଶିତ କରିପାରିଛନ୍ତି । କେବଳ ପଞ୍ଚାୟତ ନୁହେଁ ଏବେ ଅନେକ ଆଡ଼ୁ ବିକାଶଙ୍କ ପାଇଁ ଆଶୁଛି ପ୍ରଶଂସାର ବାର୍ତ୍ତା ।
Published by:Soubhagya Mishra
First published: