ମାଆ ଆମକୁ ଜନ୍ମଦେବାବେଳେ ଯେତେ କଷ୍ଟ ପାଇଥାଏ ତା ତୁଳନାରେ ଏ କିଛି ନୁହେଁ; ସୁବ୍ରତ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ୧୦ ମାସ ୧୦ଦିନ ଗର୍ଭରେ ରଖି ଅସହ୍ୟ ଯନ୍ତ୍ରଣା ସହି ନିଜ ସନ୍ତାନକୁ ଜନ୍ମଦେଇଥାଏ ମାଆ (Mother) । କେବଳ ସେତିକିରେ ସରିନଥାଏ ମାଆର ଦାୟିତ୍ୱ । ଛାତିରୁ ଅମୃତ ତୁଲ୍ୟ କ୍ଷୀର ପିଆଇ ଯେତେ ଦୁଃଖ କଷ୍ଟ ଆସୁ ପଛେ ପିଲାକୁ ବଡ଼ କରିଥାଏ ମାଆ । ନିଜର କଷ୍ଟକୁ ଚାପି ରଖି ପିଲାର ମୁହଁରେ ହସ ଫୁଟାଇବାକୁ ମାଆ ଅନବରତ ଭାବରେ ଚେଷ୍ଟା କରିଥାଏ । ଠିକ ସେହିପରି ମାଆର ପଣତକାନି ପିଲା ପାଇଁ ହୋଇଥାଏ ଦୁନିଆର ସବୁଠୁ ଖୁସିର ସ୍ଥାନ । ମାଆ ଓ ପିଲା ଉଭୟେ ଉଭୟଙ୍କର ଜୀବନ । ଆଉ ଯେତେବେଳେ ଗୋଟିଏ ଜୀବନ ଚାଲିଯାଏ ସେତେବେଳେ ଅନ୍ୟ ଜଣଙ୍କୁ ଖୁବ କଷ୍ଟ ହୋଇଥାଏ । ଛାତିରୁ କଲିଜା ଅଲଗା ହେବାପରି ଲାଗିଥାଏ । ନିଜ ରକ୍ତକୁ ଭୁଲିବା ଏତେ ସହଜ ହୋଇନଥାଏ । ଠିକ ସେହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ (Social Media) ।
ଯାଜପୁର ଶାସନ୍ଦା ଗ୍ରାମର ୨୯ ବର୍ଷୀୟ ଯୁବକ ସୁବ୍ରତ କୁମାର ସ୍ୱାଇଁ ନିଜ ଛାତିରେ ଜନ୍ମଦାତ୍ରୀ ମାଆଙ୍କ ପାଇଁ ଏକ ଟାଟୁ ବନେଇଛନ୍ତି । ଖୁବ ସୁନ୍ଦର ଭାବରେ ମାଆଙ୍କର ଛବିକୁ ହୃଦୟରେ ସ୍ଥାନିତ କରିଛନ୍ତି ସୁବ୍ରତ । କିଛିଦିନ ତଳେ ସୁବ୍ରତଙ୍କ ମାଆ ପ୍ରମିଳା ସ୍ୱାଇଁ ତାଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ମାଆ ହଠାତ ଅସୁସ୍ଥ ହୋଇପଡିବା ପରେ ସୁବ୍ରତ ନିଜ ମାଆଙ୍କୁ ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ । ଧାର କରଜ କରି ଅନେକ କଷ୍ଟ ସହି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ମାଆଙ୍କୁ ଖୁବ ଭଲ ପାଉଥିଲେ ସୁବ୍ରତ । ମାଆଙ୍କ ମୃତ୍ୟୁରେ ଖୁବ ଭାଙ୍ଗିପଡିବା ସହ ମାଆଙ୍କୁ ଝୁରି ହେଉଛନ୍ତି ସୁବ୍ରତ । ସେ କେବେ ବି ଭାବିନଥିଲେ ଯେ ହଠାତ ତାଙ୍କ ମାଆ ତାଙ୍କଠାରୁ ଅଲଗା ହୋଇଯିବେ । ମାଆ ଚାଲିଯିବା ପରେ ଏବେ ବି ମାଆଙ୍କ କଥାକୁ ମନେ ପକାଇ ଆଖିରୁ ଲୁହ ଗଡାଉଛନ୍ତି ସୁବ୍ରତ । ମାଆଙ୍କ ମୃତ୍ୟୁ ପରେ ନିଜ ମାଆଙ୍କର ଛବିକୁ ନିଜ ଛାତିରେ ରଖିବା ପାଇଁ ଭାବିଥିଲେ । ଛାତିର ବାମ ପଟରେ ନିଜ ମାଆଙ୍କର ଏକ ସୁନ୍ଦର ଟାଟୁ ଆଙ୍କିଲେ । ଏଥିପାଇଁ ସେ ବାଲେଶ୍ୱରର ଟାଟୁ ଆର୍ଟିଷ୍ଟ ମୁନାଙ୍କର ପରାମର୍ଶ ନେଇଥିଲେ । ଟାଟୁ ଆଙ୍କିବାରେ ମୁନା ଖୁବ ଦକ୍ଷ । ମୁନାଙ୍କ ନିକଟରେ ଟାଟୁ କରିବା ସମୟରେ ଟାଟୁର ଆକାର ବେଶ୍ ବଡ଼ ହୋଇଥିବାରୁ ସୁବ୍ରତଙ୍କୁ ବେଶ୍ କଷ୍ଟ ହୋଇଥିଲା । କିନ୍ତୁ ସୁବ୍ରତ କହିଛନ୍ତି ଆମ ମାଆ ଆମକୁ ଜନ୍ମ ଦେବାପାଇଁ ଯେତିକି କଷ୍ଟ ପାଏ ସେ କଷ୍ଟ ତୁଳନାରେ ଏ କିଛି ନୁହେଁ । ଏଥିସହ ସୁବ୍ରତ କହିଛନ୍ତି, ମୋ ମାଆ କେତେ କଷ୍ଟ କରି ମତେ ବଡ଼ କରିଥିଲା କିନ୍ତୁ ମୁଁ ଚାକିରି କରିବା ପରେ ଖୁସିର ଦିନ ଆସିଥିଲା । ହେଲେ ସେ ଖୁସିର ଦିନରେ ମୋ ବୋଉ ମୋ ପାଖରେ ନାହିଁ । ଭୁବନେଶ୍ୱରରେ ରହିବା ଦିନଠୁ ପ୍ରତି ଶନିବାର ନିଜ ଘରକୁ ଫେରିବା ସମୟରେ ବୋଉ ମୋ ପାଇଁ କେତେ କଣ ରୋଷେଇ କରି ଅପେକ୍ଷା କରିଥାଏ । ମତେ ପାଖରେ ପାଇ ଗେହ୍ଲ କରିପକାଏ । କିନ୍ତୁ ଏବେ ଘର ଖାଲି ଖାଲି ଲାଗୁଛି । ଏବେ ବି ସୁବ୍ରତ ଗାଁକୁ ଗଲେ ଗାଁରେ ମାଆଙ୍କ ସମାଧି ସ୍ଥାନକୁ ଯାଆନ୍ତି । ହୃଦୟର ଅନେକ କଥା ମାଆଙ୍କ ସମାଧି ସାମ୍ନାରେ ମାଆଙ୍କୁ କହିଥାନ୍ତି ।
ଆଜିର ଯୁଗରେ ଟାଟୁ କରୁଥିବା ବ୍ୟକ୍ତିମାନେ ନିଜର ଜୀବନସାଥି ବା ପ୍ରେମିକାଙ୍କ ନାମ ନଚେତ ନିଜ ନାମକୁ ଟାଟୁରେ ଆଙ୍କୁଥିବା ସମୟରେ ସୁବ୍ରତ ନିଜ ମାଆଙ୍କ ନାମକୁ ଛାତିରେ ଆଙ୍କି ନିଜ ମାଆଙ୍କ ପ୍ରତି ଥିବା ଭଲପାଇବାକୁ ପରିପ୍ରକାଶ କରିଛନ୍ତି । ସୁବ୍ରତଙ୍କ ଏପରି ପ୍ରୟାସ ସତରେ ଖୁବ ନିଆରା । ସୁବ୍ରତ ଜଣେ ମଧ୍ୟବିତ୍ତ ପରିବାରର ପିଲା । ଯାଜପୁର ବରୁଣେଶ୍ୱର କଲେଜରୁ ନିଜର ଗ୍ରାଜୁଏସନ ସାରି ଭୁବନେଶ୍ୱରରେ ମେଡିସିନ ବିଭାଗରେ କାମ କରୁଛନ୍ତି । ଏଥିସହ ସୁବ୍ରତ ସମାଜସେବା ମଧ୍ୟ କରନ୍ତି । ଯଦି କୌଣସି ବ୍ୟକ୍ତି କିଛି ଅସୁବିଧାରେ ପଡିଥାନ୍ତି ତେବେ ଖବର ପାଇବା ପରେ ସୁବ୍ରତ ତୁରନ୍ତ ତାଙ୍କ ନିକଟରେ ପହଞ୍ଚିଯାନ୍ତି । କୌଣସି ରୋଗୀଙ୍କର ଆର୍ଥିକ ସହଯୋଗ ଦରକାର ପଡିଲେ ନିଜ ସାଙ୍ଗ ସାଥିଙ୍କୁ ଏ ବିଷୟରେ ଅବଗତ କରାଇବା ସହ ନିଜ ସକ୍ଷମ ଅନୁସାରେ ଟଙ୍କା ଦେଇଥାନ୍ତି । ନିଜ ସାଙ୍ଗସାଥିଙ୍କ ସହ ମିଶି ଗରିବ ରୋଗୀଙ୍କ ପାଇଁ ଅର୍ଥ ସଂଗ୍ରହରେ ଲାଗିପଡ଼ନ୍ତି । ସୁବ୍ରତଙ୍କ ଏପରି ମାତୃଭକ୍ତି ଓ ସମାଜସେବା ଅନ୍ୟମାନଙ୍କ ପାଇଁ ଖୁବ ପ୍ରେରଣାଦାୟୀ ।

ଏହି ଖବର ବି ପଢ଼ନ୍ତୁ -
http://ଶାହାରୁଖଙ୍କ 'ପଠାନ' ପରେ... ଅନୁଭବଙ୍କ 'ରାବଣ'କୁ ନେଇ ଉଠିଲା ବିବାଦPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।