• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଅନଲାଇନ୍ ପରୀକ୍ଷା ଦାବିରେ ବଢୁଛି ଛାତ୍ରଛାତ୍ରୀଙ୍କ ଅଶାନ୍ତି; ରାଜ୍ୟ ରାଜଧାନୀରେ ମୁଣ୍ଡ ଟେକିଲାଣି ଆନ୍ଦୋଳନ

ଅନଲାଇନ୍ ପରୀକ୍ଷା ଦାବିରେ ବଢୁଛି ଛାତ୍ରଛାତ୍ରୀଙ୍କ ଅଶାନ୍ତି; ରାଜ୍ୟ ରାଜଧାନୀରେ ମୁଣ୍ଡ ଟେକିଲାଣି ଆନ୍ଦୋଳନ

ଯୁକ୍ତ ୨ ପରେ ଯୁକ୍ତ ୩ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଲେ। ସେମିଷ୍ଟର ପରୀକ୍ଷା ଛାଡ଼ି କଲେ ବିକ୍ଷୋଭ। ଅଧ୍ୟକ୍ଷଙ୍କୁ ଭେଟି ଜଣାଇଲେ ଦାବି। ପରୀକ୍ଷା ଘୁଞ୍ଚାଅ ନହେଲେ ଅନଲାଇନ କର।

ଅନଲାଇନ୍ ପରୀକ୍ଷା ଦାବିରେ ବଢୁଛି ଛାତ୍ରଛାତ୍ରୀଙ୍କ ଅଶାନ୍ତି

ଅନଲାଇନ୍ ପରୀକ୍ଷା ଦାବିରେ ବଢୁଛି ଛାତ୍ରଛାତ୍ରୀଙ୍କ ଅଶାନ୍ତି

  • Share this:
News18 Odia Digital

ଭୁବନେଶ୍ବର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଯୁକ୍ତ ତିନି ଛାତ୍ରଛାତ୍ରୀ। ଗୋଟିଏ ଜିଦ ସମାନ ଦାବି ଅନଲାଇନରେ ପାଠପଢ଼ା ହୋଇଛି ଅନଲାଇନରେ ପରୀକ୍ଷା ହେଉ। ଏନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ଆରମ୍ଭ କରି ବିଜେବି କଲେଜ ପରିସର ଅଶାନ୍ତ ହୋଇଉଠିଥିଲା। ବିଜେବି କଲେଜର ତୃତୀୟ ସେମିଷ୍ଟର ସୋମବାରଠାରୁ ଆରମ୍ଭ ହୋଇଥିବାବେଳେ ପିଲା ପରୀକ୍ଷା ନ ଦେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଅନଲାଇନରେ ପରୀକ୍ଷା ହେଉ ନଚେତ ଅଫଲାଇନ ପରୀକ୍ଷା ଘୁଞ୍ଚାଯାଉ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ। ମାଷ୍ଟର କ୍ୟାଣ୍ଟିନ୍ ଛକ ହେଉ ଅବା ବିଜେବି ମହାବିଦ୍ୟାଳୟ ସୋମବାର ସବୁଠି ଦେଖିବାକୁ ମିଳିଥିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଅନଲାଇନ୍ ପରୀକ୍ଷା ଦାବିରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେପଟେ ବିଜେବି କଲେଜରେ ପରୀକ୍ଷା ଛାଡ଼ି କଳା ବିଭାଗ ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ। ଅଫଲାଇନ ନୁହେଁ ଅନଲାଇନ୍ ପରୀକ୍ଷା କରିବାକୁ ଦାବି କରିଛନ୍ତି ସମସ୍ତେ। ଅନଲାଇନରେ ପାଠପଢ଼ା ହେତୁ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ରହିଛନ୍ତି। ଅନେକ କୋର୍ସ ବୁଝିବା ବାକି ରହିଛି। ଏଣୁ ଅନଲାଇନ ପରୀକ୍ଷା ହେଉ ନଚେତ୍ ଅଫଲାଇନ ପରୀକ୍ଷା ଘୁଞ୍ଚାଯାଉ ବୋଲି କହିଛନ୍ତି। ଏ ନେଇ ଅଧ୍ୟକ୍ଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅଫଲାଇନରେ ପରୀକ୍ଷା କରିବାକୁ। ଏଣୁ ଅନଲାଇନ ପରୀକ୍ଷା ପ୍ରଶ୍ନ ଉଠୁନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି। ପରୀକ୍ଷା ପରିଚାଳନା ବୈଠକ ପରେ ପରୀକ୍ଷା ଘୁଞ୍ଚିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଯୁକ୍ତ ତିନି ଛାତ୍ରଛାତ୍ରୀ


"ଆମେ ଅନଲାଇନରେ ପାଠ ପଢିଛୁ ଅଫଲାଇନରେ ପରୀକ୍ଷା କାହିଁକି ଦେବୁ। ଅଧା ପାଠ ପଢ଼ା ହେଇନି, କୋର୍ସ ବୁଝି ହେଉନି। ସେଥିରେ ପରୀକ୍ଷା କେମିତି ଦେବୁ? ଅଫଲାଇନ ପରୀକ୍ଷା ପାଇଁ ଆମକୁ ସମୟ ଦିଆଯାଉ ନହେଲେ ଅନଲାଇନ ପରୀକ୍ଷା କରାଯାଉ, କହିଥିଲେ ଆନ୍ଦୋଳନକାରୀ ଛାତ୍ର ଜ୍ଞାନେନ୍ଦୁ ମହାନ୍ତି।

"ପିଲାମାନେ ଆସି ଅଭିଯୋଗ କରୁଛନ୍ତି ଅଫଲାଇନ ପରୀକ୍ଷା ଦେବୁନି। ଅନଲାଇନ ପରୀକ୍ଷା କରନ୍ତୁ ନହେଲେ ପରୀକ୍ଷା ଘୁଞ୍ଚାନ୍ତୁ। ଆମ ହାତର କଥା ନୁହେଁ, ଆମକୁ ସରକାରଙ୍କ ପାଖରୁ ଯାହା ନିର୍ଦ୍ଦେଶ ଆସିଛି ସେହି ଆଧାରରେ ପରୀକ୍ଷା ହେଉଛି। ଆଜି ପୁଣି ପରୀକ୍ଷା ପରିଚାଳନା କମିଟି ବସିବା ପରେ ଘୁଞ୍ଚେଇବା ନିଷ୍ପତ୍ତି ନେବୁ," ସୋମବାର କହିଥିଲେ ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର।

କୋଭିଡ କଟକଣା ଭିତରେ ପ୍ରାୟ ପାଞ୍ଚ ମାସ ପାଠପଢ଼ା ହୋଇଥିବାବେଳେ ଜାନୁଆରୀ ମାସରେ ଏକ ମାସ ପାଇଁ ବନ୍ଦ ହୋଇଥିଲା ରାଜ୍ୟର ସମସ୍ତ ମହାବିଦ୍ୟାଳୟ। ଏହା ପୂର୍ବରୁ ଉଭୟ ଅନଲାଇନ, ଅଫଲାଇନ ମୋଡ଼ରେ ହୋଇଥିଲା ପାଠପଢ଼ା। ତଥାପି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ। ରାଜ୍ୟ ସରକାର ଅଫଲାଇନରେ ପରୀକ୍ଷା କରିବାକୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଇତିମଧ୍ୟରେ ବାରମ୍ବାର ଛାତ୍ର ଆନ୍ଦୋଳନ ଓ ଅସନ୍ତୋଷ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଡୁଆରେ ପକାଇଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଅଫଲାଇନ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ ମତ ରଖିଛନ୍ତି। ସ୍ୱଚ୍ଛତାର ସହ ପରୀକ୍ଷା ଓ ମୂଲ୍ୟାୟନ ନ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ। ଉଚ୍ଚଶିକ୍ଷା ପାଇଁ ସେମାନେ ଅନେକ ଅସୁବିଧା ଭୋଗିବେ। ଏଣୁ ପିଲାଙ୍କୁ ପଢ଼ିବାକୁ ସମୟ ଦିଆଯାଉ ଓ ଅଫଲାଇନ ପରୀକ୍ଷା କରାଯାଉ ବୋଲି କହିଛନ୍ତି।

ବର୍ତ୍ତମାନ ସମୟ ଆସିଛି ପିଲାଙ୍କର ଅଫଲାଇନ ପରୀକ୍ଷା କରିବାର। ଏଣିକି ଆଉ ଅନଲାଇନ ନୁହେଁ ସ୍ୱଚ୍ଛତାର ସହ ଅଫଲାଇନ ପରୀକ୍ଷା ହେବା ଦରକାର। ନଚେତ୍ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବ। ପିଲାଙ୍କୁ ପାଠ ପଢ଼ିବାକୁ ସମୟ ଦିଆଯାଉ ଓ ପରୀକ୍ଷା ଅଫଲାଇନ କରାଯାଉ ବୋଲି କହିଛନ୍ତି ଶିକ୍ଷାବିତ ବାସୁଦେବ ଛାଟୋଇ।

ଉଭୟ ଯୁକ୍ତ ୨ ଓ ୩ ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ନେଇ ଅଡ଼ି ବସିଥିବାବେଳେ ଚୁପ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ। ସମୟ ଗଡୁଛି ହେଲେ ନିଷ୍ପତ୍ତି ହୋଇପାରୁନି।
Published by:Lipina Das
First published: