News18 Odia Digital
ବ୍ରହ୍ମପୁର: ବିଶ୍ବ ଏଡସ୍ ଦିବସରେ ମାନବ ଶୃଙ୍ଖଳରେ ସାମିଲ ହେଲେ ଦୁଇ ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ। ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ଅନୁଷ୍ଠାନ ପରିସରରେ ଏଡସର ରେଡ୍ ରିବନ ଲୋଗୋକୁ ଅଧ୍ୟୟନରତ ବିଦ୍ୟାର୍ଥୀ ମାନେ ସବୁଠାରୁ ବଡ଼ ମାନବ ଶୃଙ୍ଖଳରେ ସାମିଲ ହୋଇ ଏକ ରେକର୍ଡ଼ ସୃଷ୍ଟି କରିଥିଲେ।
ସରକାରୀ ଆଇଟିଆଇ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅରୁଣା ସ୍ବେଚ୍ଛାସେବୀ ସଂସ୍ଥା ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସରକାରୀ ଆଇଟିଆଇ ପକ୍ଷରୁ ମିଳିତ ଏଭଳି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ହୋଇଥିବା ବେଳେ ଏହା ଏସିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହେବ ବୋଲି ଆଶା କରାଯାଉଛି।

ଯୁବ ବର୍ଗଙ୍କୁ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ନିହାତି ଭାବେ ଆବଶ୍ୟକ । ଅନେକ ଲୋକେ ଏଡସ ସମ୍ପର୍କରେ ଜାଣିନଥିବା ଯୋଗୁଁ ଏହି ରୋଗ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ରୋକିବା ନିମନ୍ତେ ଏକ ମାତ୍ର ମାଧ୍ୟମ ହେଉଛି ସଚେତନତା ବୋଲି ଉପସ୍ଥିତ ଅତିଥି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର କୂଳପତି ଡଃ.ପ୍ରଫୁଲ କୁମାର ମହାନ୍ତି, ବ୍ରହ୍ମପୁର ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଡ଼.ରଜତ କୁମାର ପାଣିଗ୍ରାହୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ କୈଳାସ ଚନ୍ଦ୍ର ସାହୁ , ଅରୁଣାର ସଂପାଦକ ଲୋକନାଥ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।