ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପରୀକ୍ଷାର ଅନେକ ଦିନ ପରେ ବି ପ୍ରକାଶ ପାଇନାହିଁ ଯୁକ୍ତ ୨ ରେଜଲ୍ଟ; ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ପରୀକ୍ଷାର ଅନେକ ଦିନ ପରେ ବି ପ୍ରକାଶ ପାଇନାହିଁ ଯୁକ୍ତ ୨ ରେଜଲ୍ଟ; ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ପରୀକ୍ଷାକୁ ୩୭ ଦିନ ବିତିଯାଇଥିଲେ ବି ପ୍ରକାଶ ପାଇପାରୁନି ରେଜଲ୍ଟ। ଚିନ୍ତାରେ ୧୩ ହଜାରରୁ ଛାତ୍ରଛାତ୍ରୀ। ନଭେମ୍ବର ୧ରୁ ଯୁକ୍ତ ୩ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଚିନ୍ତାରେ ଅଭିଭାବକ।

ପରୀକ୍ଷାର ଅନେକ ଦିନ ପରେ ବି ପ୍ରକାଶ ପାଇନାହିଁ  ଯୁକ୍ତ ୨ ରେଜଲ୍ଟ; ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ
ପରୀକ୍ଷାର ଅନେକ ଦିନ ପରେ ବି ପ୍ରକାଶ ପାଇନାହିଁ ଯୁକ୍ତ ୨ ରେଜଲ୍ଟ
  • News18 Odia
  • Last Updated: November 17, 2021, 4:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

ଭୁବନେଶ୍ବର: ପରୀକ୍ଷା କରି ଫଳ କଥା ଭୁଲିଗଲେ କାଉନସିଲ କର୍ତ୍ତୃପକ୍ଷ। ଚଳିତ ବର୍ଷ ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇଥିଲା ସତ ହେଲେ ଏଥିରେ ତ୍ରୁଟି ଦର୍ଶାଇ ହଜାର ହଜାର ପରୀକ୍ଷାର୍ଥୀ ଆନ୍ଦୋଳନ କରିଥିଲେ । ଶେଷରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପୂର୍ବ ଘୋଷଣା ମୁତାବକ ଅଫଲାଇନ୍ ପରୀକ୍ଷା ଦେଇଥିଲେ । ହେଲେ ବିଡମ୍ବନାର ବିଷୟ ସେମାନଙ୍କ ରେଜଲ୍ଚ ଏବେ ସୁଦ୍ଧା ପ୍ରକାଶବ ପାଇନି। ଏ ହେଉଛି ଯୁକ୍ତ ୨ ବିକଳ୍ପ ପରୀକ୍ଷାର ସ୍ଥିତି।

ପରୀକ୍ଷା ଶେଷ ହେବାକୁ ୩୭ ଦିନ ବିତିଯାଇଥିଲେ ବି ପ୍ରକାଶ ପାଇପାରୁନି ରେଜଲ୍ଟ। ଚିନ୍ତାରେ ୧୩ ହଜାରରୁ ଛାତ୍ରଛାତ୍ରୀ। ନଭେମ୍ବର ୧ରୁ ଯୁକ୍ତ ୩ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଚିନ୍ତାରେ ଅଭିଭାବକ।

ପରୀକ୍ଷା କରି ଫଳ ପ୍ରକାଶ ନେଇ କାଉନସିଲର ଖୋଜ ଖବର ନାହିଁ । କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ସ୍ବତନ୍ତ୍ର ପରୀକ୍ଷା ଫଳ ? କେତେ ବାଟ ଗଲା ଖାତା ଦେଖା ? ପରୀକ୍ଷା କରିଦେଇ ଚୁପ୍ ବସିଛି କି ସିଏଚ୍ଏସ୍ଇ ? ଯୁକ୍ତ ତିନିରେ ନାମ ଲେଖାଇବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବେ ଛାତ୍ରଛାତ୍ରୀ ? ନା ଗଣଶିକ୍ଷା ବିଭାଗ ନା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କିଏ ସ୍ପଷ୍ଟ କରୁଛନ୍ତି । ସହପାଠୀମାନେ ମହାବିଦ୍ୟାଳୟରେ ନାମ ଲେଖି ପାଠ ପଢ଼ିଲେଣି, ହେଲେ ମାର୍କରେ ଅସନ୍ତୁଷ୍ଟ ହୋଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏବେ ରେଜଲ୍ଟ ଅପେକ୍ଷାରେ ବସିଛନ୍ତି ।

ଯୁକ୍ତ ୨ ରେଜଲ୍ଟକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ


ଚଳିତ ବର୍ଷ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇଥିବା ସ୍ବତନ୍ତ୍ର ଅଫଲାଇନ ପରୀକ୍ଷା ଅକ୍ଟୋବର ମାସ ୧ ରୁ ୧୧ ତାରିଖ ହୋଇଥିଲା। ୩୭ ଦିନ ବିତିଥିଲେ ବି ରେଜଲ୍ଟ ବାହାରି ପାରୁନି। ଗୋଟିଏ ପଟେ ଚଳିତ ବର୍ଷ ଯୁକ୍ତ ତିନି ନାମ ଲେଖା ଶେଷ ହୋଇ ସେମାନଙ୍କ ସହପାଠି ନଭେମ୍ବର ପହିଲାରୁ କଲେଜରେ ପାଠପଢ଼ିଲେଣି। ହେଲେ ସ୍ବତନ୍ତ୍ର ପରୀକ୍ଷା ଦେଇଥିବା ୧୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ଏବେ ରେଜଲ୍ଟକୁ ଅନାଇ ବସି ରହିଛନ୍ତି ।

" ଆମେ ପରୀକ୍ଷା ଫଳରେ ଅସନ୍ତୋଷ ହୋଇ ପରୀକ୍ଷା ଦେଲୁ। ଫଳ ଶୀଘ୍ର ପ୍ରକାଶ କରାଯିବ ବୋଲି କାଉନସିଲ କଥା ଦେଇଥିଲା। ହେଲେ ନଭେମ୍ବର ମାସ ଅଧାରୁ ଅଧିକ ହେଲା ପଛେ ରେଜଲ୍ଟ ବାହାରିଲାଣି। ଆମ ସାଙ୍ଗସାଥି ପହିଲାରୁ କଲେଜ ଯାଇ ପାଠ ପଢ଼ିଲେଣି। ଆମ ପାଇଁ ମନ ପସନ୍ଦ କଲେଜ କିମ୍ବା ସିଟ୍ ବି ନାହିଁ। ଏମିତି ହେଲେ ଆମ କ୍ୟାରିୟର କ'ଣ ହେବ,’’ କହିଛନ୍ତି ପରୀକ୍ଷାର୍ଥୀ ଅମିତ ରଞ୍ଜନ।

ପରୀକ୍ଷାର୍ଥୀଙ୍କ ଅଭିଭାବକ ସୁବିଜ୍ଞାନ ଗଡତିଆ କହିଛନ୍ତି, "ଆମ ପିଲାମାନେ ବର୍ଷ ବର୍ଷ ଧରି ପରିଶ୍ରମ କରି ପରୀକ୍ଷା ଦେଇଛନ୍ତି। ୪ ଲକ୍ଷ ପିଲାଙ୍କ ଖାତା ଦେଖା ୪୫ ଦିନରେ ସାରି ରେଜଲ୍ଟ ବାହାରେ। ଏଠି ୧୩ ହଜାର ପିଲାଙ୍କ ରେଜଲ୍ଟ ୩୭ ଦିନ ହେଲା ବାହାରି ପାରୁନି। ତୁରନ୍ତ ରେଜଲ୍ଟ ବାହାର କରିବାକୁ ଆମେ ଦାବି କରୁଛୁ ।"

ଫଳରେ ଚଳିତ ଶିକ୍ଷା ବର୍ଷରେ ଆଉ ପାଠ ପଢ଼ିବେ ନା ପୁଣି ବର୍ଷେ ନଷ୍ଟ ହେବ ସେ ନେଇ ମଧ୍ୟ ଆଶା ଆଶଙ୍କା ଦେଖାଦେଇଛି । ଯଦିଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କ ଲାଗି ଆଉଥରେ ନାମ ଲେଖା ପ୍ରକ୍ରିୟା କରିବାକୁ ଆଶ୍ବାସନା ଦିଆଯାଇଛି ତଥାପି ବିଳମ୍ବ ରେଜଲ୍ଟ ଓ ଶିକ୍ଷା ବର୍ଷକୁ ନେଇ ସନ୍ଦେହ ବଢୁଛି । ତେବେ ପୂର୍ବରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ନେଇ ପରିଷଦ ପକ୍ଷରୁ କୁହାଯାଇଥିବା ବେଳେ ଏବେ ସତେ ଯେପରି କୌଣସି ଖୋଜ ଖବର ନାହିଁ । ତଥାପି ଖୁବ୍ ଶୀଘ୍ର ଫଳ ପ୍ରକାଶ କରିବା ନେଇ ପରିଷଦ ପକ୍ଷରୁ ଅନୌପଚାରିକ ଭାବେ ଉତ୍ତର ମିଳିଛି । ସେପଟେ ପରିଷଦର ପୂର୍ବତନ ଅଧ୍ୟକ୍ଷଙ୍କ କହିବା କଥା ଯଦି କିଛି ସମସ୍ୟା ରହିଛି ତେବେ ପିଲାମାନଙ୍କୁ ପରିଷଦ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହେବା ଦରକାର।

"ପରିଷଦ କାହିଁକି ବାହାର କରିନାହିଁ ରେଜଲ୍ଟ ତା ପଛରେ କଣ କାରଣ ରହିଛି କାଉନସିଲ ତାହା ସ୍ପଷ୍ଟ କରୁ। ପିଲାଙ୍କ ଭବିଷ୍ୟତର କଥା । ଏଣୁ ଅଧିକ ବିଳମ୍ବ ନ କରି ତୁରନ୍ତ ଫଳ ପ୍ରକାଶ କରୁ କାଉନସିଲ,’’ କହିଛନ୍ତି ଶିକ୍ଷାବିତ୍ ବାସୁଦେବ ଛାଟୋଇ।

ଫଳ ପ୍ରକାଶ କରିବାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଳମ୍ବ ହେବା ଓ ଯୁକ୍ତ ତିନି ନାମ ଲେଖା ସରି ପାଠପଢ଼ା ଆରମ୍ଭ ହୋଇଥିବାରୁ ଫଳ ପ୍ରକାଶ ପରେ ପିଲାମାନେ ରଖିଥିବା ମାର୍କ ଆଧାରରେ ଉପଯୁକ୍ତ କଲେଜରେ ନାମ ଲେଖାଇବା ସୁବିଧା କରିବାକୁ ଦାବି ହୋଇଛି।
Published by: Lipina Das
First published: November 17, 2021, 4:13 PM IST