ଚଳିତ ବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ ; ବିଧାନସଭା ଘେରାଉ କରିପାରନ୍ତି ଛାତ୍ର ସଂଗଠନ

ଗତ ୫ ବର୍ଷ ହେବ ବିଭିନ୍ନ କାରଣ ପାଇଁ କ୍ୟାମ୍ପସରେ ବନ୍ଦ ରହିଛି ଇଲେକ୍ସନ ପ୍ରିକ୍ରିୟା। ଶିକ୍ଷାବିତ କହିଲେ ଅନ୍ୟ କୌଣସି କାରଣ ପାଇଁ ଶୈକ୍ଷିକ ବାତାବରଣ ନଷ୍ଟ ନ ହେବା ଦରକାର।

ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲ !

ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲ !

  • Share this:
News 18 Odia Digital

ଭୁବନେଶ୍ୱର: ଏଥର କ୍ୟାମ୍ପସ ହେବନି ସରଗରମ । କ୍ୟମ୍ପସ୍ ରାଜନୀତି ମଇଦାନକୁ ଉତ୍ତୁରିବେନି ଛାତ୍ର ନେତା । ବାଜିବନି ବିଗୁଲ୍ କି ହେବନି ପ୍ରଚାର । ଯଦିଓ ସରକାରୀ ଭାବରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇନି କିନ୍ତୁ ଶିକ୍ଷାର ବାତାବରଣକୁ ସୁଧାରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ନିର୍ବାଚନ ନହେବା କାରଣରୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ । ବିଧାନସଭା ଘେରାଉ କରିବା ପାଇଁ ମଧ୍ୟ ଛାତ୍ର ସଂଗଠନ ତତ୍ପର ହେଉଛି ।

ଚଳିତ ବର୍ଷ କଲେଜ୍ ଓ ୟୁନିଭରସିଟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ । ୨୦୧୮ରେ ତିତିଲି, ୧୯ ରେ ଛାତ୍ର ଅଶାନ୍ତି , ୨୦-୨୧ରେ କୋଭିଡ ପାଇଁ ବନ୍ଦ ରହିଥିଲା ଷ୍ଟୁଡେଣ୍ଟ୍ ଇଲେକ୍ସନ । ଅଢେଇ ବର୍ଷ ହେବ ପାଠ ପଢାରେ ବ୍ୟାଘାତ ହୋଇଛି । ଠିକଣା ସମୟରେ ପରୀକ୍ଷା ହୋଇନି, ପରୀକ୍ଷା ଫଳାଫଳକୁ ନେଇ ବହୁ ଛାତ୍ରଛାତ୍ରୀ ଆଶାନ୍ତି ଅଛନ୍ତି । ବିଳମ୍ବରେ ନାମ ଲେଖା ସହିତ ଚଳିତ ବର୍ଷ ନିର୍ବାଚନ ହେଲେ ଅଢେଇ ମାସ ପାଠପଢା ବିଳମ୍ବ ହେବ। ସେ ଦୃଷ୍ଟିରୁ ୨୦୨୨ ରେ ନିର୍ବାଚନ ହେବ ନାହିଁ। ଯଦିଓ ଏ ନେଇ ସରକାରୀ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିନ୍ତୁ ସୂତ୍ର କହୁଚି ଏହିସବୁ କାରଣ ପାଇଁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ବିଭିନ୍ନ ଛାତ୍ର ସଙ୍ଗଠନ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଗତ ୪ ବର୍ଷ ହେବ ଛାତ୍ର ନିର୍ବାଚନ ବନ୍ଦ କରିଛନ୍ତି । ଛାତ୍ର ନିର୍ବାଚନ ଦ୍ୱାରା ନେତୃତ୍ୱ ତିଆରି ହୁଏ, ଯିଏ ଭବିଷ୍ୟତରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବାରେ ସମର୍ଥ ହେଇଛନ୍ତି । ଯେତେବେଳେ ଏହା ହେବନି ବୋଲି ସରକାର ମନା କରୁଛନ୍ତି ତାହା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଦୁଃଖର ବିଷୟ । ଫଳରେ ଶିକ୍ଷାନୁଷ୍ଠାନରେ ନେତୃତ୍ବର ଅଭାବ ଯୋଗୁଁ କ୍ୟାମ୍ପସ ରେ ସମସ୍ୟା ଠୁଳ ହୋଇଛି ହେଲେ କହିବାକୁ ଦାବି କରିବାକୁ କେହି ନାହାନ୍ତି । ବଡ଼ କଥା ହେଉଛି ଗତ ୪ ବର୍ଷ ହେବ ଇଲେକ୍ସନ ହେଉନାହିଁ କିନ୍ତୁ ପିଲାଙ୍କ ଠାରୁ ନିର୍ବାଚନ ପାଇଁ ପଇସା ଆଦାୟ ହେଉଛି । ତାହା କୁଆଡେ ଯାଉଛି ବୋଲି ଏବିଭିପି ପ୍ରଶ୍ନ କରୁଛି । ଛାତ୍ରର ହକ ଓ ନ୍ୟାୟ ପାଇଁ ଇଲେକ୍ସନ ହେଉ ବୋଲି ଏବିଭିପି ଆନ୍ଦୋଳନ କରିବ। ଆବଶ୍ୟକ ପଡ଼ିଲେ ବିଧାନସଭା ଘେରାଓ କରିବ ବୋଲି ଏଭିବିପି ପକ୍ଷରୁ କୁହାଯାଇଛି ।

(ଫାଇଲ୍ ଫଟୋ)


ସେପଟେ ଏହି ପ୍ରସଙ୍ଗରେ ସରକାର ଓ ଗଣଶିକ୍ଷା ବିଭାଗକୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ । ସରକାରରେ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ଭିତରୁ ଅନେକ ଛାତ୍ର ସଂସଦର ନେତା ହୋଇଥିଲେ । ଆଜି ସେମାନେ କାହିଁକି ନୀରବ । ଛାତ୍ର ବିଜେଡ଼ି କଣ ପାଇଁ ସ୍ଥାଣୁ ଓ କୋମାରେ ଅଛି ବୋଲି ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ ।
ସେପଟେ ଶିକ୍ଷାବିତ ମଧ୍ୟ ଏହାକୁ ନେଇ କହିଛନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ସାମିଲ କରିବା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ହେଲେ କ୍ରମେ ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଦଳର ହସ୍ତକ୍ଷେପ କ୍ୟାମ୍ପସର ବାତାବରଣକୁ କଳୁଷିତ କରି ଦେଇଛି । ଛାତ୍ର ଅଶାନ୍ତି ଠାରୁ ଆରମ୍ଭ କରି ହିଂସାକାଣ୍ଡ, ଗ୍ରୁପିଜିମ ଭଳି ଘଟଣା ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ଯଦି ଛାତ୍ର ସଂସଦ ନିର୍ବାଚନର ଆଭିମୁଖ୍ୟ ପୂରଣ ହୋଇପାରୁନାହିଁ ତେବେ ଏହାକୁ ବନ୍ଦ କରିବା ସଠିକ ନିଷ୍ପତ୍ତି । ଅନେକ ସମୟରେ ନଜିର ରହିଛି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ସିଲେକ୍ସନ ପଦ୍ଧତିରେ ମେଧାବୀ ଓ ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କୁ ନେତା ଭାବେ ଚୟନ କରିଥାନ୍ତି । ଯାହା ଦ୍ୱାରା ଶିକ୍ଷାନୁଷ୍ଠାନ ର ଉନ୍ନତି ଓ ଛାତ୍ରଛାତ୍ରୀ ଦାବି ପୂରଣ ହୁଏ । ସେହି ଉପାୟ ଅବଲମ୍ବନ କରାଯାଉ ।

ବର୍ତ୍ତମାନ ଛାତ୍ର ସଂସଦ ନିର୍ବାଚନକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି କ୍ୟାମ୍ପସରେ ତାହା ହେବା ଅନୁଚିତ । ଏଣୁ ଶିକ୍ଷାବିତ କମଳ ପ୍ରସାଦ ମହାପାତ୍ର କହିଛନ୍ତି, ଯେଉଁ ପ୍ରକ୍ରିୟା ଦ୍ୱାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି ତାହା ନ ହେବା ଉଚିତ" ।
ଏ ନେଇ ଛାତ୍ର ବିଜେଡ଼ି କି ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
Published by:Soubhagya Mishra
First published: