News18 Odia Digital
ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ। ଆରମ୍ଭ ହୋଇଛି ଗଣାଧିପତିଙ୍କ ଆବାହନ। ଦୁଇବର୍ଷ ପରେ ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ପ୍ରଭୁ ବିଘ୍ନରାଜଙ୍କୁ ନିଜ ପାଖରେ ପାଇ। ଘରଠୁ ଘର, ଶିକ୍ଷାନୁଷ୍ଠାନ ଓ ମଣ୍ଡପ ସବୁଠି ବେଶ ଯାକଜମକରେ ଚାଲିଛି ପୂଜାର୍ଚ୍ଚନା। ଏସବୁ ଭିତରେ ନିଆରା ପରିବେଶ ଦେଖିବାକୁ ମିଳିଛି ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ।

ସର୍ବୋପରି ମଣ୍ଡପରେ ସାଜସଜ୍ଜା ହୋଇ ଗଜାନନଙ୍କ ପୂଜା ହେଉଛି କିନ୍ତୁ ଛାତ୍ରଛାତ୍ରୀ ନିଜେ କରୁଛନ୍ତି ପୂଜାର୍ଚ୍ଚନା। ସରସ୍ୱତୀ ଶିଶୁ ମନ୍ଦିରରେ ଭକ୍ତିମୟ ପରିବେଶରେ ଆରମ୍ଭ ହୋଇଛି ଲମ୍ବୋଦରଙ୍କ ଆବାହନ। ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ। ପିଲାଏ ନିଜ ନିଜ ସାଙ୍ଗରେ ଘରୁ ନେଇ ଆସିଛନ୍ତି ନିଜର ମୂର୍ତ୍ତି ବା ଗଣେଶଙ୍କ ଫଟୋ। ସାଙ୍ଗରେ ପୂଜା ସାମଗ୍ରୀ। ଫୁଲ, ଚନ୍ଦନ, ସିନ୍ଦୁର, ପୁଷ୍ପ, ଅକ୍ଷତ, ଫଳ ଓ ପ୍ରଭୁଙ୍କ ପ୍ରିୟ ଲଡୁ ରହିଛି ସଭିଙ୍କ ପୂଜା ଥାଳିରେ। ଘଣ୍ଟା ଘଣ୍ଟି ସହ ମୁହଁରେ ମନ୍ତ୍ର ଉଚ୍ଚାରଣ କରି ବୁଦ୍ଧି ଦାତା ଗଣେଶଙ୍କ ଆବାହନ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ମନରେ ଭକ୍ତିଭାଵ ଜାଗ୍ରତ କରିବା ତଥା ପୂଜାର୍ଚ୍ଚନାର ବିଧି ବିଧାନ ସମ୍ପର୍କରେ ପିଲାଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଏଭଳି ପୂଜା ବିଧି କରାଯାଉଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।
ନିଜେ ପୂଜା କରିବା ଦ୍ୱାରା ପିଲାମାନେ ପୂଜା ସହିତ ଜଡିତ ରହିବା ସହ ହିନ୍ଦୁ ରୀତିନୀତି ଓ ଶାସ୍ତ୍ରର ମହତ୍ୱ ବୁଝିପାରନ୍ତି ବୋଲି ଏଭଳି କରାଯାଉଛି। ସେପଟେ ଚିରା ଚରିତ ପୂଜାରୁ ବାହାରି ନିଜେ ପୂଜା କରିବା ରୀତିକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।