News 18 Odia Digital
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଭିଜାଇଛି ମାର୍ଚ୍ଚ (march) ମାସ, ଏପ୍ରିଲରେ ତାତି ହେବ ଅସମ୍ଭାଳ । ଏବେଠାରୁ ତାର ପ୍ରଭାବ ବାରି ହେଲାଣି । ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବାରିପଦା (baripada) ଓ ଝାରସୁଗୁଡ଼ାରେ ପାରଦ ୪୦ ଡିଗ୍ରୀ ଡେଇଁଛି । ଭୁବନେଶ୍ବର ସମେତ ୧୩ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ପରେ ରହିଛି । ସେପଟେ ଖରାକୁ ଦେଖି ଆସନ୍ତାକାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ (morning school) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ବଦଳିଲା ପାଗ, ବଢ଼ିଲା ଖରା । ବିଗତ ୩ ସପ୍ତାହ ଧରି ପଶ୍ଚିମା ଝଡ଼ ପ୍ରଭାବରେ ବିକ୍ଷିପ୍ତ ବର୍ଷା ଲାଗି ରହିବା ପରେ ଏବେ ରାଜୁତି ଆରମ୍ଭ କରିଛି ତାତି । ସୋମବାର ସକାଳ ୯ଟା ପରଠାରୁ ଆରମ୍ଭ ହୋଇଯାଇଥିଲା ଟାଇଁ ଟାଇଁ ଖରା । ଦିନ ବଢ଼ିବା ସାଙ୍ଗକୁ ବହିଥିଲା ଗରମ ହାୱା । ମଧ୍ୟାହ୍ନରେ ସାରା ଓଡ଼ିଶାରେ ହୋଇଥିଲା ଅଗ୍ନିବର୍ଷା । ଅପରାହ୍ନ ସୁଦ୍ଧା ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଯାଇଥିବା ରେକର୍ଡ (record) କରାଯାଇଛି । ଏବର୍ଷର ପ୍ରଥମ ସ୍ଥାନ ଭାବେ ବାରିପଦାରେ ୪୦ ଡିଗ୍ରୀ ଉପରକୁ ଯାଇଛି ତାପମାତ୍ରା । ସେହିଭଳି ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା (temperature) ଥିଲା ୩୯.୬ ଡିଗ୍ରୀ । ଭୁବନେଶ୍ବର ଓ ଚାନ୍ଦବାଲିରେ ୩୯ ଡିଗ୍ରୀ, ହୀରାକୁଦରେ ୩୭.୬ ଡିଗ୍ରୀ, ବାଲେଶ୍ବରରେ ୩୬.୪ ଡିଗ୍ରୀ, କେନ୍ଦୁଝରରେ ୩୬.୨ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ପାରାଦୀପରେ ୩୩ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଜ୍ଞାନୀ କହିଛନ୍ତି, ସୋମବାରଠାରୁ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରୁଛି । ଯାହା ଆଗାମୀ କିଛି ଦିନ ଧରି ଜାରି ରହିବ । ଯେଉଁଥିପାଇଁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିବ । ତେଣୁ କାଳବୈଶାଖୀ ବର୍ଷାର ସମ୍ଭାବନା ଖୁବ୍ କମ୍ ରହିଛି । ତେବେ ୧୧ ତାରିଖରୁ ତାପମାତ୍ରା ଆହୁରି ବଢ଼ିପାରେ । ଯଦିଓ ଏକ୍ଟ୍ରିମ ହିଟ୍ କଣ୍ଡିସନ୍ ଜାରି ରହିବ, ତେବେ ଆସନ୍ତା ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସେତେ ଅଧିକ ହେବନାହିଁ ହେବ ନାହିଁ ବୋଲି ପାଣିପାଗ ବିଭାଗ (weather department) ଆକଳନ କରିଛି ।
ସେପଟେ ଖରାକୁ ଦେଖି ରାଜ୍ୟ ସରକାର ହୋଇଛନ୍ତି ସତର୍କ । ୧୧ ତାରିଖରୁ ସବୁ ସ୍କୁଲ ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିନ ୧୦ଟା ବଦଳରେ ସକାଳ ୭ରୁ ଆରମ୍ଭ ହେବ ପାଠପଢ଼ା । ଦିନ ୧୧ଟା ୩୦ ସୁଦ୍ଧ ସବୁ ଶିକ୍ଷାନୁଷ୍ଠାନ ଛୁଟି ହେବ । ପିଲାମାନେ ଆସିବା ବେଳେ ସାଙ୍ଗରେ ପାଣି ବୋତଲ ନେଇ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସ୍କୁଲରେ ପ୍ରଚୁର ପରିମାଣରେ ପିଇବା ପାଣି, ORS ମହଜୁଦ ରଖିବାକୁ କୁହାଯାଇଛି। ଖରା ପାଇଁ ପାଠପଢ଼ାକୁ ଛାଡ଼ି ସ୍କୁଲଗୁଡ଼ିକରେ ଅନ୍ୟ କୌଣସି ଆକ୍ଟିଭିଟି କରାଯିବ ନାହିଁ । ଯଦି ଆଗକୁ ଗ୍ରୀଷ୍ମ ପ୍ରବାହ ଅଧିକ ହୁଏ, ତେବେ ଜିଲ୍ଲାପାଳମାନେ ସ୍ଥିତି ଦେଖି ସ୍କୁଲ ସମୟକୁ ପରିବର୍ତ୍ତନ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏହା ଭିତରେ ପାଣିପାଗ ବିଭାଗ ପକ୍ଷରୁ ଏକ ସୂଚନା ଆସିଛି ଯେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ଏକ ଘୂର୍ଣ୍ଣିବଳୟ ରହିଛି। ଯାହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
ଏହି ଖବର ପଢ଼ନ୍ତୁ -
Dream 11ରେ ଜିତିଲେ ଦିନ ମଜୁରିଆଙ୍କ ପୁଅ: ବନିଲେ ତୃତୀୟ କୋଟିପତି !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।