News18 Odia Digital
କନ୍ଧମାଳ: ଖାଲି ହଳଦୀ ନୁହେଁ, ଏବେ କନ୍ଧମାଳର ଷ୍ଟ୍ରବେରୀ ପାଲଟିବ ବ୍ରାଣ୍ଡ୍ । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଜିଲ୍ଲାର ୬ଟି ବ୍ଲକରେ ଆରମ୍ଭ କରାଯାଇଛି ଷ୍ଟ୍ରବେରୀ ଚାଷ । ନୂଆ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଉଦ୍ୟମରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଚାଷ ବ୍ୟାପକ ପରିମାଣରେ ଆରମ୍ଭ ହୋଇଛି । ଏଥିପାଇଁ ଆଇଟିଡିଏ ପକ୍ଷରୁ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯାଇଛି ପ୍ରୋତ୍ସାହନ ।...
ପୂରା ଜିଲ୍ଲାରେ ୨୦ରୁ ଅଧିକ ଏହି ଚାଷରେ ଲାଗିଛନ୍ତି । ବିଭିନ୍ନ ଜମିରେ ଫସଲ ଅମଳ ମଧ୍ଯ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳମାନଙ୍କ ମଧ୍ୟରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଷ୍ଟ୍ରବେରି ନାଁରେ ଏହାକୁ ବିକ୍ରି କରିବେ ବୋଲି ନିଷ୍ପତି ନିଆଯାଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକର ତୁଡ଼ିପାଜୁ ଓ ମିଣିଆ, ଫିରିଙ୍ଗିଆ ବ୍ଳକର ରତଙ୍ଗ, ବାଲିଗୁଡ଼ା ବ୍ଳକର ବାଟାଗୁଡ଼ା, ଦାରିଙ୍ଗବାଡ଼ି ବ୍ଳକର ଗ୍ରିନବାଡ଼ି, ରାଇକିଆ ବ୍ଳକର ମାଣିକେଶ୍ୱର ଏବଂ ଚକାପାଦ ବ୍ଳକର ଶଙ୍କରାଖୋଲ ଠାରେ ଏହି ଚାଷ ଆରମ୍ଭ ହୋଇଛି । ପ୍ରତ୍ୟେକ ଅଞ୍ଚଳରେ ପ୍ରଥମ ଦଫାରେ ୨ ଏକର ଜମିରେ ଏହି ଚାଷ କରାଯାଇଥିବା ବେଳେ ୨୦ ହଜାର ଚାରା ରୋପଣ କରାଯାଇଛି ।
ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରାକରୀସ୍ତରରେ ଏହି ଚାଷ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଥିବା ବେଳେ ଏଥିରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ଜ୍ଞାନ କୌଶଳ ପ୍ରଦାନ ପାଇଁ ଉଦ୍ୟାନ ବିଭାଗ ଏବଂ ଜଳଛାୟା ସହଯୋଗ ପକ୍ଷରୁ ସହଯୋଗ କରାଯାଉଛି । ବିଶେଷ କରି ମାଟି ପରୀକ୍ଷା କରିବା, ରୋପଣ, ବୁନ୍ଦା ଜଳସେଚନ (Drop Irrigation) ଭଳି ବିଭିନ୍ନ କାର୍ଯ୍ୟକ୍ରମ ଉଭୟ ବିଭାଗ ପକ୍ଷରୁ ହାତକୁ ନିଆଯାଇଛି । ଗତ ନଭେମ୍ବର ମାସରୁ ଏହି ଚାଷ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବିକ୍ରି ମଧ୍ୟ ଆରମ୍ଭ ହୋଇଛି । ତେବେ ଜିଲ୍ଲାରେ ବିଭିନ୍ନ ବ୍ଳକରେ ଆରମ୍ଭ ହୋଇଥିବା ଏହି ଷ୍ଟ୍ରବେରି ଚାଷର ବ୍ୟବସାୟୀକରଣ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।
ଏହି ଚାଷ ଥରେ କଲେ ୫ବର୍ଷ ଯାଏ ଅମଳ ଦେଇଥାଏ । ତେବେ ଯେଉଁ ଚାରା ରୋପଣ କରାଯାଇଛି ତାହା SHG ଗୋଷ୍ଠୀ ସିଧା ସଳଖ ମହାରାଷ୍ଟ୍ରର ପୁଣେରୁ କିଣିଛନ୍ତି । ପ୍ରଥମ ଥର ପାଇଁ ଜିଲ୍ଲାରେ ଏହି ଷ୍ଟ୍ରବେରି ଚାଷ କରାଯାଇଥିବା ଯୋଗୁଁ ଏ ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଷ୍ଟ୍ରବେରି ଚାଷ ପାଇଁ ଯେଉଁ ପାଣିପାଗର ଆବଶ୍ୟକ ତାହା କନ୍ଧମାଳ ଜିଲ୍ଲାରେ ସମ୍ଭବ ହୋଇଥିବା ଯୋଗୁଁ ଏହି ଚାଷ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ସଫଳତା ମିଳିଛି । ଷ୍ଟ୍ରବେରି ଏହି ଚାଷ କରି ମହିଳା ମାନେ ଭଲ ଦରରେ ବିକ୍ରି କରି ଲାଭାନ୍ବିତ ହୋଇଛନ୍ତି । ଏହି ଚାଷ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଅଧିକ ଲାଭବାନ ହୋଇ ପାରିବେ ବୋଲି ଆଶା ରଖିଛନ୍ତି ଓ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସମଗ୍ର ଜିଲ୍ଲାରେ ଷ୍ଟ୍ରବେରୀ ଚାଷରେ ନିୟୋଜିତ ହୋଇଛନ୍ତି ପ୍ରାୟ ୨୦୦ ମହିଳା । ମହାରାଷ୍ଟ୍ର ପୁଣେରେ କ୍ରୟ କରାଯାଇଛି ଷ୍ଟ୍ରବେରୀ ଚାରା । ଚାଷ ଥରେ କଲେ ୫ ବର୍ଷ ପର୍ଯ୍ୟନ୍ତ ଅମଳ ପାଇହେବ । ପ୍ରଥମ ବର୍ଷ ଅଧିକ ଖର୍ଚ୍ଚ ହୋଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷରେ ଲାଭ ଆସିବ ।
(କନ୍ଧମାଳରୁ ବାଳକୃଷ୍ଣ ଚର୍ଚ୍ଚିଙ୍କ ରିପୋର୍ଟ)ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।