ଖଟରେ ଶୋଇଲେ ଖଟ ଓଲଟି ପଡିବ; ଗ୍ରାମଦେବୀ ହେବେ ଅସନ୍ତୋଷ

ଗାଁ ଲୋକଙ୍କ ଅଜବ ବିଶ୍ୱାସ। ଖଟରେ ଶୋଇଲେ ମାଡି ଆସିବ ବିପଦ। ବର୍ଷ ବର୍ଷ ଧରି ପଟିଆ ମଶିଣା ପାଲଟିଛି ସାହାରା।

ଗ୍ରାମଦେବୀ ହେବେ ଅସନ୍ତୋଷ

ଗ୍ରାମଦେବୀ ହେବେ ଅସନ୍ତୋଷ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଦେବଗଡ଼: ଖଟରେ ଶୋଇଲେ ଖଟ ଓଲଟି ପଡିବ। ଗ୍ରାମଦେବୀ ଅସନ୍ତୋଷ ହେବେ। ଘରେ ଘରେ ସାପ ବାହାରିବ। ଦେଖୁ ଦେଖୁ ଗାଁକୁ ବିପଦ ମାଡି ଆସିବ । ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏଭଳି କିଛି ବିଶ୍ୱାସକୁ ନେଇ ଦେବଗଡ ଜିଲ୍ଲା ଟିପିରିସିଙ୍ଗା ଗ୍ରାମରେ ଲୋକ ଆଜି ବି ଖଟରେ ଶୋଉନାହାଁନ୍ତି।

ଏମିତିକି ଘରେ ବି କେହି ଖଟ ରଖିନାହାନ୍ତି । ଗ୍ରାମଦେବୀଙ୍କୁ ସମ୍ମାନ ଜଣାଇ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତଳେ ପଟିଆ ପକାଇ ଶୋଉଛନ୍ତି। ହେତୁବାଦୀ ଓ ପରମ୍ପରାବାଦୀଙ୍କୁ ନେଇ ରାଜ୍ୟ ଉଠୁଛି ପଡୁଛି । ଏଭଳି ସମୟରେ ଗ୍ରାମବାସୀଙ୍କ ଏହି ବିଶ୍ୱାସର କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ । ପୂର୍ବ ପ୍ରଚଳିତ ପ୍ରଥା କିମ୍ବା ପରମ୍ପରା ମାନିବା କିଛି ନୂଆଁକଥା ନୁହେଁ । କିନ୍ତୁ ଲୋକକଥା ବା କିମ୍ବଦନ୍ତୀ ଆଧାରରେ ଗାଁର ଲୋକ ପିଢି ପରେ ପିଢି ଖଟରେ ଶୋଉ ନାହାନ୍ତି ।

ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଲଇମୁରା ପଞ୍ଚାୟତ ଆଦିବାସୀ ଅଧ୍ୟ୍ୟୁଷିତ ଟିପିରିସିଙ୍ଗା ଗ୍ରାମରେ ଏଭଳି ଏକ ନିଆରା ତଥା ବିରଳ ପ୍ରାୟ ଚଳଣି ଯୁଗ ଯୁଗ ଧରି ଚାଳି ଆସୁଛି । ଗାଁରେ କାହାରି ଘରେ ଖଟ ନାହିଁ । ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି । କାରଣ ଖଟରେ ଶୋଇଲେ ଗ୍ରାମଦେବୀ ମା’ ବରିହାଣୀ କୋପ କରିବେ । ଗାଁ ନିକଟ ଜଙ୍ଗଲ ମଧ୍ୟରେ ନାଳ କଡରେ ପୂଜା ପାଉଥିବା ମା’ ବରିହାଣୀଙ୍କୁ ସମ୍ମାନ ଜଣାଇ ଗାଁରେ ସମସ୍ତେ ତଳେ ଶୋଇଥାନ୍ତି ।

ଖଟର ବିକଳ୍ପ ଭାବେ ସମସ୍ତେ ପଟିଆ ବ୍ୟବହାର କରିଥାନ୍ତି । ପଟିଆର ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ପରିବାରର ସଦସ୍ୟ ମାନେ ଜଙ୍ଗଲରୁ ଖଜୁରୀ ପାଲ ସଂଗ୍ରହ କରିବା ସହ ଏହାକୁ ଶୁଖାଇ ପଟିଆ ତିଆରି କରିଥାନ୍ତି । ନିଜ ଘରେ ବ୍ୟବହାର କରିବା ସହ କେହି କେହି ବଜାରରେ ବିକ୍ରୀ କରି ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ।

ଟିପିରିସିଙ୍ଗା ଗ୍ରାମରେ ପ୍ରାୟ କିସାନ ସମ୍ପ୍ରଦାୟର ଲୋକ ଥିବା ବେଳେ ଦେଢ ଶହରୁ ଉର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ବର୍ଷ ପୂର୍ବେ ନବ ବିବାହିତ ଜଣେ ଯୁବକ ବିବାହ ଭାର ସହିତ ଉପହାର ଭାବେ ଘରକୁ ଏକ ଖଟ ଆଣିଥିଲେ । ମାତ୍ର ସେଥିରେ ଶୋଇବା ବେଳକୁ ଖଟଟି ଓଲଟି ପଡିଲା ଏବଂ ନବ ବିବାହିତ ଦମ୍ପତି ଗାଁ ଲୋକଙ୍କ ଆଗରେ ଅପଦସ୍ଥ ହୋଇଥିଲେ । ଏଥିସହ ତାଙ୍କ ଘରେ ଖଟଥିବା ନେଇ ମା’ ବରିହାଣୀଙ୍କ ପୂଜକଙ୍କୁ ମଧ୍ୟ ସ୍ୱପ୍ନାଦେଶ ହୋଇଥିଲା । ଫଳରେ ବାଧ୍ୟ ହୋଇ ଖଟଟିକୁ ବ୍ୟବହାର ନକରି କନ୍ୟାପିତାଙ୍କ ଘରକୁ ଫେରାଇ ଦେଇଥିଲେ । ଏଭଳି କିଛି ଘଟଣା ପାଇଁ ଗାଁରେ କେହି ଖଟ ବ୍ୟବହାର କରନ୍ତିନି । ଘରକୁ କୁଣିଆ ଆସନ୍ତୁ  ବା ଗାଁକୁ କେହି ପ୍ରଶାସନୀକ ଅଧିକାରୀ ଆସିଲେ ସେମାନଙ୍କୁ ମଧ୍ୟ ଖଟ ବଦଳରେ ପଟିଆ ଦିଆଯାଏ ।

ବିଜ୍ଞାନ ବନାମ ବିଶ୍ୱାସ । ଆଧୁନିକ ଯୁଗରେ ବି ଲୋକ ଏଭଳି ଜୀବନ ବଞ୍ଚୁଛନ୍ତି । ଖଟ ଓଲଟିବା ଘଟଣା କେତେ ସତ କେତେ ମିଛ ସିଏ କେବଳ ଗ୍ରାମବାସୀଙ୍କୁ ହିଁ ଜଣା । ମାତ୍ର ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବ ନିଶ୍ଚିତ ।
Published by:Soumya Das
First published: