News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ଘଡ଼ଘଡି଼ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ରାଜ୍ୟକୁ ମୌସୁମୀ ଛୁଇଁବା ଦିନଠାରୁ ଭଲ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ୨୫ ତାରିଖ ବେଳକୁ ଓଡି଼ଶା ସଲଗ୍ନ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ, ବିଶେଷତଃ ଉତ୍ତର ଓଡ଼ିଶାରେ, ବର୍ଷା ବଢି଼ବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । କେନ୍ଦୁଝର ଓ ରାୟଗଡ଼ାରେ ଭଲ ବର୍ଷା ହେବ । ଫଳରେ ନିଆଣ୍ଟିଆ ବର୍ଷାରୁ ମୁକ୍ତ ହେବେ ଏହି ଦୁଇ ଜିଲ୍ଲା । ରାଜ୍ୟର ଛଅଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ଅନୁଭୂତ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଓ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEO
ଜୁନ୍ ୧ ତାରିଖରୁ ୨୨ ତାରିଖ ମଧ୍ୟରେ ଓଡ଼ିଶାରେ ୧୩୯.୫ ମିମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ୧୩୭.୦ ମିମି ବର୍ଷା ଏହି ସମୟରେ ହୋଇଥାଏ । ଜୁନ୍ ୨୨ ତାରିଖ ସୁଦ୍ଧା ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୨୪୧.୫ ମମି ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୫.୭ ମିମି ବର୍ଷା ରେକର୍ଡ଼ ହୋଇଛି ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ସାରା ବିଶ୍ୱରେ ଚିନ୍ତା ବଢ଼ାଇଲା; ଅନେକ ଦେଶରେ ପୁଣି ଲକଡାଉନ୍ ଲାଗୁ ହେଲା
ଆଠଟି ଜିଲ୍ଲାରେ – ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଯାଜପୁର, ଭଦ୍ରକ, କନ୍ଧମାଳ ଓ କେନ୍ଦୁଝର – ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ଵାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ୍ ରହିଛି । ଦୁଇଟି ଜିଲ୍ଲା – ସୁନ୍ଦରଗଡ଼ ଓ କୋରାପୁଟ –ସ୍ୱାଭାବିକ ଠାରୁ ଅତ୍ୟଧିକ, ଅର୍ଥାତ୍ ୬୦% କିମ୍ବା ତା’ ଠାରୁ ଅଧିକ, ବର୍ଷା ଅନୁଭୂତ କରିଛନ୍ତି । ଛଅଟି ଜିଲ୍ଲା – ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା ଓ ମାଲକାନଗିରି – ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ପାଇଥିବା ବେଳେ ଅବଶିଷ୍ଠ ୧୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବେଙ୍ଗଲ୍ BJP MP ଲକେଟ୍ ଚାଟାର୍ଜୀ ଲୋକଙ୍କ ବିରୋଧର ସାମନା କରିବା ପରେ ରାଜ୍ୟପାଳ ଖପା
‘‘ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି । କିଛି ସ୍ଥାନରେ ଅଧିକ ତ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ବର୍ତ୍ତମାନ ରାଜ୍ୟ ଉପରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ବର୍ଷା ହେଉଛି । ଆଗକୁ ୨୭ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଜାରି ରହିବ,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପ୍ରାୟ ‘ନଗ୍ନ’ ପୋଷାକରେ ରାଖୀ ସାୱନ୍ତଙ୍କ ବ୍ୟାୟାମର VIDEO ଭାଇରାଲ୍ ହେଲା, ପ୍ରଶ୍ନ ଠିଆ କଲା
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ‘‘୨୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢି଼ବ । ବିଶେଷ କରି ଉତ୍ତର ଓଡ଼ିଶାରେ ଏହାର ପ୍ରକୋପ ଅଧିକ ରହିବ । ଓଡିଶା ସଂଲଗ୍ନ ବଙ୍ଗୋପସାଗରରେ ୨୫ ତାରିଖ ସୁଦ୍ଧା ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ତା’ର ପ୍ରଭାବରେ ଜୁନ୍ ଶେଷ ସପ୍ତାହରେ ଭଲ ବର୍ଷା ହେବ ।’’
ଜୁନ୍ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ଜୁନ୍ ୨୩ ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡି଼ ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ୱରରେ ଜୁନ୍ ୨୨ ତାରିଖରେ ୧୧୦ ମିମି ବର୍ଷା ହୋଇଥିବା ବେଳେ କଟକରେ ୩୦ ମିମି ବର୍ଷା ରେକର୍ଡ଼ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।